ଆଦିତ୍ୟ ଆଲୁମିନିୟମରେ ସ୍ଥାୟୀ ନିଯୁକ୍ତି ପ୍ରସଙ୍ଗ : ଧାରଣାରେ ବସିଲେ ବିଧାୟକ ନାଉରୀ ନାୟକ
ସମ୍ବଲପୁର : ସମ୍ବଲପୁର ଜିଲାରେ ଅନେକ ଗୁଡିଏ ଶିଳ୍ପାନୁଷ୍ଠାନ ଗଢ଼ି ଉଠିବାର ପ୍ରାୟ ୧୫ ବର୍ଷ ବିତିଯିବା ସତ୍ୱେ ଏ ପର୍ଯ୍ୟନ୍ତ ସେହି ଶିଳ୍ପାନୁଷ୍ଠାନ ଗୁଡିକ ପାଇଁ ଜମି ହରାଇଥିବା ପରିବାର ମାନେ ଉପଯୁକ୍ତ କ୍ଷତିପୂରଣ ଓ ନିଯୁକ୍ତି ପାଇ ନ ଥିବାର ଅଭିଯୋଗ ନିୟମିତ ସମ୍ମୁଖକୁ ଆସୁଛି । ଏହି କ୍ରମରେ ସମ୍ବଲପୁର ଜିଲା ଅର୍ନ୍ତଗତ ରେଙ୍ଗାଲି ତହସିଲ ଅର୍ନ୍ତଗତ ଲପଙ୍ଗା ଠାରେ ଆଦିତ୍ୟ ଆଲୁମିନିୟମ କମ୍ପାନୀ ପାଇଁ ଜମି ହରାଇଥିବା ପରିବାର ମାନଙ୍କ ସଙ୍ଗଠନ ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ, ବୋମଲୋଇ (ସମ୍ବଲପୁର) ତରଫରୁ ଦାବି ପୂରଣ ସକାଶେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଆରମ୍ଭ କରାଯାଇଛି। ସଭାପତି ପ୍ରମୋଦ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ହେଉଥିବା ଏହି ଧାରଣା ପ୍ରଦର୍ଶନକୁ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କ ସମେତ ସ୍ଥାନୀୟ ଲୋକଙ୍କ ବିପୁଳ ସମର୍ଥନ ମିଳିଛି।
ବୁଧବାର ପୂର୍ବାହ୍ନରେ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ଆରମ୍ଭ ହେବା ପରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ଧାରଣାସ୍ଥଳରେ ପହଞ୍ଚି ଜନତାଙ୍କ ବିରୋଧକୁ ସମର୍ଥନ କରିବା ସହିତ ଧାରଣାରେ ବସିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଛନ୍ତି ଯେ, ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସଂଘ ତରଫରୁ ଅନେକ ବାର କମ୍ପାନୀ ସମେତ ଜିଲା ପ୍ରଶାସନକୁ ଦରଖାସ୍ତ ଦେଇ ସ୍ଥାନୀୟ ନିଯୁକ୍ତି ପାଇଁ ଦାବି କରିଥିଲେ । ଏଣୁ ସେମାନେ ବାଧ୍ୟ ହୋଇ ନାଯ୍ୟ ଦାବି ପୂରଣ ସକାଶେ ଧାରଣା ପ୍ରଦର୍ଶନ କରୁଛନ୍ତି । ଏହି ଅଞ୍ଚଳ ଗୁଡିକରେ ଶିଳ୍ପାନୁଷ୍ଠାନ ଗୁଡିକ ହୋଇଛି, କିନ୍ତୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳୁନାହିଁ । ନିୟମାନୁଯାୟୀ କମ୍ପାନୀ ପାଇଁ ଆବଶ୍ୟକ ହେଉଥିବା ଅଣକୁଶଳୀ ଓ କୁଶଳୀ କର୍ମଚାରୀ ମାନଙ୍କର ନିଯୁକ୍ତିରେ ସ୍ଥାନୀୟ ନିଯୁକ୍ତି ଯଥାକ୍ରମେ ୯୦ ଓ ୭୦ ପ୍ରତିଶତ ଅଟେ। ସାରା ରାଜ୍ୟରେ ଏହି ନିୟମକୁ ଲାଗୁ କରାଯାଉଥିବାରୁ ସ୍ଥାନୀୟ ଅଞ୍ଚଳର ନିବାସୀମାନେ ନିଯୁକ୍ତି ପାଇ ପାରୁ ନାହାନ୍ତି । ସେମାନେ ଜମି ହରାଇବା ସହିତ ସେମାନଙ୍କର ଆର୍ଥିକ, ଶାରିରୀକ କ୍ଷତି ମଧ୍ୟ କମ୍ପାନୀ ମାନଙ୍କ ଦ୍ୱାରା ହେଉଥିବା ପ୍ରଦୂଷଣ ଯୋଗୁଁ ହେଉଥିବା ବେଳେ ସେମାନଙ୍କୁ କିଛି ମିଳୁ ନାହିଁ ଏବଂ ସେମାନେ ବେକାର ହୋଇ ରହିଛନ୍ତି । ଏହି କଥାକୁ ମୁଁ ବିଧାନସଭାରେ ମଧ୍ୟ ଉପସ୍ଥାପିତ କରିଥିବା ବେଳେ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ସ୍ଥାନୀୟ ଲୋକ ମାନଙ୍କର ପ୍ରଥମେ ନିଯୁକ୍ତି ହେବା ପରେ ଅନ୍ୟ ମାନଙ୍କୁ ନିଯୁକ୍ତି କରାଯାଉ ବୋଲି ଦାବି କରିଆସୁଛି । ଏବେ ମଧ୍ୟ ଅନେକ ବ୍ୟକ୍ତି ସେମାନଙ୍କର କ୍ଷତିପୂରଣ ପାଇ ପାରି ନାହାନ୍ତି। ଏଥି ସହ ପାରିପାର୍ଶ୍ବିକ ବୈଠକ (ଆପିଡିସି) ପ୍ରତି ୩ ମାସରେ ହେବାର ନିୟମ ରହିଥିବା ବେଳେ ୨୦୧୮ ମସିହାରୁ ହେଉ ନାହିଁ। ଯଦି ବୈଠକ ସରକାର ଓ ପ୍ରଶାସନ କରନ୍ତେ ତାହା ହେଲେ ସମସ୍ୟା ଗୁଡିକର ଆଲୋଚନା କରାଯାଇ ସମାଧାନ କରାଯାଇ ପାରନ୍ତା। ପାରିପାର୍ଶ୍ବିକ ବୈଠକକୁ ଜାଣି ଶୁଣି ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଧାୟକ ନାଉରୀ ନାୟକ କହିଛନ୍ତି।
କମ୍ପାନୀ ଖୋଲିବା ସମୟରେ ଲପଙ୍ଗା ଅଞ୍ଚଳର ଅନେକ ପରିବାର ସେମାନଙ୍କର ଜମି ହରାଇଥିବା ବେଳେ ଏ ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ଓ ଜମିହରା ମାନଙ୍କୁ କ୍ଷତିପୂରଣ ସହିତ ଆନୁସଙ୍ଗିକ ଦାବି ଗୁଡିକ ପୂରଣ କରାଯାଇ ନାହିଁ । ୧୧ ଥର ଦାବି କରାଯାଇଥିଲେ ସୁଦ୍ଧା ପ୍ରଶାସନ କିମ୍ବା କମ୍ପାନୀ କୌଣସି କଥା ଶୁଣୁ ନାହିଁ। ୨୦୧୩ ମସିହାରୁ କମ୍ପାନୀ କତ୍ତୃପକ୍ଷ, ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ହୋଇଥିବା ତ୍ରିପାକ୍ଷିକ ଚୁକ୍ତିନାମାକୁ ମଧ୍ୟ କାର୍ଯ୍ୟକରୀ କରାଯାଇ ନାହିଁ । ଏଥି ସହ କମ୍ପାନୀରେ ଯେଉଁ କିଛି ସ୍ଥାନୀୟ ବ୍ୟକ୍ତି ନିଯୁକ୍ତି ପାଇ ୬ ବର୍ଷରୁ ଉର୍ଦ୍ଧ କାମ କରି ସାରିଛନ୍ତି, ସେମାନଙ୍କୁ ମଧ୍ୟ ଜାଣିଶୁଣି ସ୍ଥାୟୀ ନିଯୁକ୍ତି ଓ ପଦୋନ୍ନତି ପ୍ରଦାନ କରାଯାଉ ନାହିଁ । ଏଣୁ ଆମେ ବାଧ୍ୟ ହୋଇ ଆମେ ଆମର ହକ ପାଇଁ ଆନ୍ଦୋଳନ କରୁଛୁ। ୭ ଦିନ ମଧ୍ୟରେ ଯଦି ଦାବି ପୂରଣ ନ ହୁଏ, ତାହା ହେଲେ ଅନଶନ କରିବୁ ବୋଲି ସଭାପତି ପ୍ରମୋଦ ପ୍ରଧାନ କହିଛନ୍ତି।
Comments are closed.