ଜୁଆଡି ମାମଲାର ବଦଳୁଛି ମୋଡ; ୭ ଜୁଆଡି ଓ ୨ ଦାଦନ ସର୍ଦ୍ଦାରଙ୍କୁ ପଚରାଉଚୁରା
ଜଣ ଜଣଙ୍କୁ ଜେରା କଲେ ଅତିରିକ୍ତ ଏସ୍ପି
ବଲାଙ୍ଗିର: ଗତଗୁରୁବାର ରାତିରେ କଣ୍ଟାବାଞ୍ଜି ପୁଲିସ ଶ୍ରୀ ଅନ୍ନପୂର୍ଣ୍ଣା ଲଜ୍ରେ ଚଢଉ କରିଥିଲା । ଆନ୍ଧ୍ରପ୍ରଦେଶ ରାଜ୍ୟ ହାଇଦରାବାଦ, ସାଙ୍ଗାରେଡ୍ଡି ଓ ନାରାୟଣପେଟ ଜିଲାର ପେଭାଲୁରୀ ଭେଙ୍ଗାଇଲର, ପି.ଗୋପୀନାଥ ନାଇଡୁ, ବି.ରମେଶ ନାଏକ, ଏନ୍.ଲକ୍ଷ୍ମଣ, କେ.ଭେଙ୍କଟେଶ୍ୱର ରାଓ, ଏନ୍.ବାବୁଦାସ ନାଏକ, ପି. ଶ୍ରୀନିବାସ ରାଓଙ୍କୁ ଧରିବା ସହ ଲକ୍ଷ ଲକ୍ଷ ଟଙ୍କା ଜବତ କରିଥିଲା । ଶୁକ୍ରବାର ଗଣମାଧ୍ୟମକୁ ଡକାଇ କଣ୍ଟବାଞ୍ଜି ଏସ୍ଡିପିଓ ଡ.ହୃଷିକେଶ ମେହେର ବିବୃତି ଦେଇଥିଲେ । ଗିରଫ ବ୍ୟକ୍ତିମାନେ ଆନ୍ଧ୍ରପ୍ରଦେଶର । ସେମାନେ ଜୁଆ ଖେଳୁଥିଲେ । ୪ ବିଡା ତାସ, ୮ଟି ମୋବାଇଲ୍, ୫୮ଲକ୍ଷ ୫୨ହଜାର ୨୫୦ ଟଙ୍କା ଜବତ ହୋଇଛି ବୋଲି କହିଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଦାଦନ ସର୍ଦ୍ଦାର ନା ଜୁଆଡି ବୋଲି ପ୍ରଶ୍ନ କରିଥିଲେ । ଜୁଆଡି ବୋଲି ଦର୍ଶାଇବା ସହ ବିବୃତି ପଢି ସାରି ଥାନା ଭିତରକୁ ଚାଲିଗଲେ ଏସ୍ଡିପିଓ । ଗଣମାଧ୍ୟମରେ ଜବତ ଟଙ୍କା ସହ ଆନ୍ଧ୍ରରୁ ଜୁଆଡି ଖେଳିବାକୁ ଆସିଥିଲେ କି ବୋଲି ପ୍ରଶ୍ନ ହେଲା । ରାତିରେ ଅତିରିକ୍ତ ଏସ୍ପି ସୁରେଶ କୁମାର ନାୟକ ଯାଇ ତଦନ୍ତ କରିଥିଲେ ।
ଶନିବାର ଗଣମାଧ୍ୟମକୁ ଏସ୍ପି ନୀତିନ କୁଶଲକର ଜବତ ଟଙ୍କାରେ ହେରଫେର ହୋଇଥିବା ସ୍ୱୀକାର କଲେ । ମାମଲା ପରିଚାଳନାରେ ତ୍ରୁଟି ରହିଥିବା ମାନିଲେ । ରବିବାର ଥାନାରୁ ୧୩ ଲକ୍ଷ ଟଙ୍କା ଥିବା ବ୍ୟାଗ ମିଳିଲା ବୋଲି ଗଣମାଧ୍ୟମକୁ ସୂଚନା ମିଳିଲା । ସେହିପରି ଏସ୍ଡିପିଓ ଡ.ମେହେରଙ୍କୁ କୌଣସି ମାମଲା ପରିଚାଳନା କରିପାରିବେ ନାହିଁ ଓ ସେ ଜିଲା ପୁଲିସ ମୁଖ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଆସିଲା । ସୋମବାର ବଲାଙ୍ଗିର ପୁଲିସ ମୁଖ୍ୟାଳୟକୁ ଆସିଥିଲେ ଏସ୍ଡିପିଓ ଡ.ମେହେର । ଏସ୍ପି ଶ୍ରୀ କୁଶଲକରଙ୍କୁ ସାକ୍ଷାତ କରିବାକୁ ବର୍ଦ୍ଦି ପିନ୍ଧି ଅପେକ୍ଷା କରିଥିଲେ । ଗଣମାଧ୍ୟମ ପ୍ରତିନିଧି ଘଟଣା ସଂପର୍କରେ ପୁଣିଥରେ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରିଥିଲେ । ମୋ ଇଚ୍ଛା ବିରୋଧରେ ପଚାରନ୍ତୁ ନାହିଁ…ମୁଁ କିଛି କହିବି ନାହିଁ ବୋଲି ବାରମ୍ବାର ଦୋହରାଇବା ଭିତରେ ସେ ମୁଁ ନିର୍ଦ୍ଦୋଷ ।
ମୋ ମୁଣ୍ଡରେ ଅଠା ବୋଳି ଦିଆଯାଉଛି । ନା ମୁଁ ଲଜ୍କୁ ଯାଇଥିଲି, ନା ମୁଁ ରିପୋର୍ଟ କରିଥିଲି, ନା ମୁଁ ତଦନ୍ତକାରୀ । ଗଣମାଧ୍ୟମ ସମ୍ମୁଖରେ ବିବୃତି ରଖିବାକୁ କୁହାଗଲା ମୁଁ ବିବୃତି ରଖିଲି । ଗଲା ଶୁକ୍ରବାର ଯେଉଁ ଦମ୍ଭର ସହ ଏସ୍ଡିପିଓ ଡ.ମେହେର ବିବୃତି ରଖୁଥିଲେ ସୋମବାର ପ୍ରତିକ୍ରିୟା ଦେବା ବେଳେ ସେ ଦମ୍ଭ ନଥିଲା । ମୁଁ କାହିଁକି ଥାନାରେ ଟଙ୍କା ବ୍ୟାଗ ରଖିବି ବୋଲି ଓଲଟି ପ୍ରଶ୍ନ କରୁଥିଲେ । ମୁଁ ଟଙ୍କା ବାବଦରେ ଜାଣେ ନାହିଁ କହୁଥିଲେ । ତେବେ ମୁଖ୍ୟାଳୟରେ ଯୋଗଦେବାକୁ ଆସିଥିବା ଏସ୍ଡିପିଓ ଡ.ମେହେରଙ୍କ ପ୍ରତିକ୍ରିୟା ପରେ ପୁଲିସ ଅଧିକ ସତର୍କ ଓ କ୍ରିୟାଶୀଳ ହୋଇଛି ।
ମଙ୍ଗଳବାର ବ୍ୟକ୍ତିଗତ ମୁଚାଲିକାରେ ଖଲାସ ହୋଇଥିବା ୭ ଜୁଆଡି, ୨ଜଣ ସ୍ଥାନୀୟ ଦାଦନ ସର୍ଦ୍ଦାରଙ୍କୁ ପୁଲିସ ସୁରକ୍ଷା ବ୍ୟବସ୍ଥାରେ ବଲାଙ୍ଗିର ପୁଲିସ ମୁଖ୍ୟାଳୟକୁ ଅଣାଯାଇଥିଲା । ସେମାନେ ଆସିବା ପରେ ଗୋଟିଏ ପଟେ ଜୁଆଡି ଓ ୨ ଦାଦନ ସର୍ଦ୍ଦାର ବସିଥିଲେ । ସାମ୍ନାରେ ସାଧା ପୋଷାକରେ ବହି ପଢୁଥିଲେ ଡ.ମେହେର । କେହି କୌଣସି ପ୍ରତିକ୍ରିୟା ଦେବାକୁ ଚାହିଁ ନଥିଲେ । ଗଣମାଧ୍ୟମକୁ ଅଟକାଇ ରଖାଯାଇଥିଲା । ତା’ପରେ ଜଣ ପରେ ଜଣଙ୍କୁ ଅତିରିକ୍ତ ଏସ୍ପି ଶ୍ରୀ ନାୟକଙ୍କ ପ୍ରକୋଷ୍ଠକୁ ଡକାଯାଉଥିଲା । ଦୀର୍ଘ ସମୟ ଧରି ପଚରା ଉଚୁରା ଚାଲିଥିଲା । କେତେ ଟଙ୍କା ଆଣିଥିଲେ, କଣ କରନ୍ତି ? ପୁଲିସର ଚଢାଉ ଭଳି ବିଭିନ୍ନ ପ୍ରଶ୍ନ କରାଯାଇଥିବା ସୂଚନା ମିଳିଛି ।
ତେବେ ଅତିରିକ୍ତ ୧୩ ଲକ୍ଷ ଟଙ୍କା ମିଳିବା ପରେ ଆଉ ୭ଲକ୍ଷ ଟଙ୍କା ମିଳିଥିବା କୁହାଯାଉଛି । କିନ୍ତୁ ପୁଲିସ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟିକରଣ କି ପ୍ରତିକ୍ରିୟା ରଖାଯାଇ ନାହିଁ । ଏସ୍ପି ଶ୍ରୀ କୁଶଲକର ଜବତ ଟଙ୍କାରୁ ଅଧିକ ମିଳିଥିବା ସ୍ୱୀକାର କରିଥିଲେ ବି ଅତିରିକ୍ତ ଏସ୍ପି ତଦନ୍ତ ରିପୋର୍ଟକୁ ଅପେକ୍ଷା ବୋଲି କହି କାମ ଶେଷ କରିଦେଇଛନ୍ତି । କେତେ ଟଙ୍କା ମିଳିଲାଣି ଓ କେଉଁଠି ଏହି ଟଙ୍କା ମିଳିଲା ତାହା ସ୍ପଷ୍ଟ କରୁ ନାହାନ୍ତି । ପ୍ରାଥମିକ ଭାବେ ଯାହା ଏସ୍ଡିପିଓ ପଦରୁ ଡ.ମେହେରଙ୍କୁ ପ୍ରତ୍ୟାହାର କରାଯାଇ ମୁଖ୍ୟାଳୟକୁ ଅଣାଯାଇଛି । ଅନ୍ୟ କୌଣସି ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ହୋଇ ନାହିଁ ।
Comments are closed.