ଗ୍ରୀନ୍‌, ୱେଡ୍‌ଙ୍କ ପ୍ରହାର; ଭାରତକୁ ହରାଇଲା ଅଷ୍ଟ୍ରେଲିଆ

ମୋହାଲି: କ୍ୟାମେରନ୍ ଗ୍ରୀନ୍‌ ଓ ମାଥ୍ୟୁ ୱେଡ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ମଙ୍ଗଳବାର ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବିଶ୍ବର ୧ନଂ ଟି୨୦ ଦଳ ଭାରତକୁ ୪ ୱିକେଟରେ ବିଶ୍ବ ଚମ୍ପିଆନ୍ ଅଷ୍ଟ୍ରେଲିଆ ପରାସ୍ତ କରିଛି। କେ.ଏଲ୍‌. ରାହୁଲ, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତ ୬ ୱିକେଟରେ ୨୦୮ ରନ୍‌ କରିଥିଲା। ପରେ ୪ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ଅଷ୍ଟ୍ରେଲିଆ ଜିତିଥିଲା। ଏହି ବିଜୟ ସହ ୩ ମ୍ୟାଚ୍‌ର ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ହୋଇଛି। ଶୁକ୍ରବାର ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳାଯିବ।

୨୦୯ ରନ୍‌ ଲକ୍ଷ୍ୟରେ ଅଷ୍ଟ୍ରେଲିଆ ଚମତ୍କାର ଢଙ୍ଗରେ ଇନିଂସ ଆରମ୍ଭ କରିଥିଲା। ଓପ୍‌ନିଂ ଯୋଡ଼ି ୨୦ ବଲ୍‌ରୁ ୩୯ ରନ୍‌ କରିଥିଲେ। ଅଧିନାୟକ ଆରୋନ୍ ଫିଞ୍ଚ୍‌ ୧୩ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୨ ରନ୍‌କରି ଆଉଟ୍‌ ହୋଇଥିଲେ। ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ଯୁବ ଅଲ୍‌ରାଉଣ୍ଡର କାମେରନ୍ ଗ୍ରୀନ୍। ଫଳରେ ଅଷ୍ଟ୍ରେଲିଆ ଓଭର ପିଛା ୧୦ରୁ ଅଧିକ ରନ୍‌ ଗତିରେ ସ୍କୋର୍ କରିଥିଲା। ୧୦ ଓଭରରେ ୧୦୯ ରନ୍‌ ହୋଇଥିଲା। ଷ୍ଟିଭେନ୍ ସ୍ମିଥ୍ ଓ ଗ୍ରୀନ୍‌ ୨ୟ ୱିକେଟ ପାଇଁ ଦ୍ରୁତ ୭୦ ରନ୍‌ ଯୋଡ଼ିଥିଲେ। କାମେରନ୍ ଗ୍ରୀନ୍‌ ୩୦ ବଲ୍‌ରୁ ୪ଟି ଛକା ଓ ୮ଟି ଚୌକା ସହ ୬୧ ରନ୍‌ କରିଥିଲେ।

prayash

ଏହାସହ ୩୬ ରନ୍‌ରେ ଅଷ୍ଟ୍ରେଲିଆ ୪ଟି ୱିକେଟ ହରାଇଥିଲା। ଷ୍ଟିଭେନ୍ ସ୍ମିଥ୍ ୨୪ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୫ ରନ୍‌ କରିଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ ୧ ରନ୍‌ କରି ପାରିଥିଲେ। ଜୋସ୍ ଇଙ୍ଗ୍‌ଲିସ୍‌ ୧୦ ବଲ୍‌ରୁ ୩ଟି ଚୌକା ସହ ୧୭ ରନ୍‌ କରିଥିଲେ। ୧୪୫ ରନ୍‌ରେ ୫ଟି ୱିକେଟ ପଡ଼ିଯିବା ପରେ ଶେଷ ୩୫ ବଲ୍‌ରୁ ଅଷ୍ଟ୍ରେଲିଆ ୬୪ ରନ୍‌ ଆବଶ୍ୟକ କରୁଥିଲା। ପରେ ଅଭିଜ୍ଞ ମାଥ୍ୟୁ ୱେଡ୍‌ ଓ ଅଷ୍ଟ୍ରେଲିଆ ପାଇଁ ପ୍ରଥମ ମ୍ୟାଚ୍‌ ଖେଳିଥିବା ସିଙ୍ଗାପୁର ଜନ୍ମିତ ଟିମ୍‌ ଡେଭିଡ୍‌ ଆକ୍ରମଣ କରିଥିଲେ। ଦୁହେଁ ୬ଷ୍ଠ ୱିକେଟ ପାଇଁ ୩୦ ବଲ୍‌ରୁ ୬୨ ରନ୍‌ ଯୋଗକରି ଦଳର ବିଜୟ ନିଶ୍ଚିତ କରିଥିଲେ। ଡେଭିଡ୍‌ ୧୪ ବଲ୍‌ରୁ ୧୮ ରନ୍‌ କରିଥିଲେ। ୱେଡ୍‌ ୨୧ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୪୫ ରନ୍‌କରି ଅପରାଜିତ ଥିଲେ। ୨୪ ବଲ୍‌ରୁ ୫୫ ରନ୍‌ ଆବଶ୍ୟକ ଥିବା ବେଳେ ଅଷ୍ଟ୍ରେଲିଆ ୨୦ ବଲ୍‌ରୁ ୫୭ ରନ୍‌ ମାରିଥିଲା। ଅକ୍ଷର ପଟେଲ ୩ଟି ଓ ଉମେଶ ଯାଦବ ୨ଟି ୱିକେଟ ନେଇଥିଲେ। ଗ୍ରୀନ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

ଭାରତ ପାଇଁ କେ.ଏଲ୍‌. ରାହୁଲ ଚମତ୍କାର ଢଙ୍ଗରେ ଇନିଂସ ଆରମ୍ଭ କରିଥିଲେ। ସୂର୍ଯ୍ୟକୁମାର ଯାଦବ ମଝି ଓଭରରେ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଶେଷ ୭ ଓଭରରେ ବିସ୍ଫୋରକ ବ୍ୟାଟିଂକରି ହାର୍ଦିକ ପାଣ୍ଡ୍ୟା ଇନିଂସ ଫିନିସ୍‌ କରିଥିଲେ। ଫଳରେ ଭାରତ ୨ ଶହରୁ ଅଧିକ ରନ୍‌ କରି ପାରିଥିଲା। ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଅଧିନାୟକ ରୋହିତ ଶର୍ମା ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ବିରାଟ କୋହଲି ଏକ ବେପରୁଆ ସଟ୍‌ ଖେଳି ୨ ରନ୍‌କରି ବିଦାୟ ନେଇଥିଲେ। ପରେ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ୩ୟ ୱିକେଟ ପାଇଁ ୭ ଓଭରରେ ୬୮ ରନ୍‌ ଯୋଡ଼ିଥିଲେ। ଅର୍ଦ୍ଧଶତକ ହାସଲ କରିଥିବା କେ.ଏଲ୍‌. ରାହୁଲ ଆକ୍ରମଣ କରି ୩୫ ବଲ୍‌ରୁ ୩ଟି ଛକା ଓ ୪ଟି ଚୌକା ସହ ୫୫ ରନ୍‌ କରିଥିଲେ। ସୂର୍ଯ୍ୟ ବିସ୍ଫୋରକ ବ୍ୟାଟିଂକରି ୨୫ ବଲ୍‌ରୁ ୪ଟି ଛକା ସହ ୪୬ ରନ୍‌ କରିଥିଲେ। ଏହାପରେ ହାର୍ଦିକ ପାଣ୍ଡ୍ୟା ଏକା ଇନିଂସ ସମ୍ଭାଳିଥିଲେ। ଫଳରେ ଶେଷ ୮ ଓଭରରେ ଭାରତ ୧୦୫ ରନ୍‌ କରି ପାରିଥିଲା। ଅକ୍ଷର ପଟେଲ ଓ ଦିନେଶ କାର୍ତ୍ତିକ ୬ ରନ୍‌ ଲେଖାଏଁ କରିଥିଲେ। ଜୀବନର ୨ୟ ଟ୍ବେଣ୍ଟି୨୦ ଅର୍ଦ୍ଧଶତକ ହାସଲ କରିଥିବା ହାର୍ଦିକ ପାଣ୍ଡ୍ୟା ମାତ୍ର ୩୦ ବଲ୍‌ରୁ ୫ଟି ଛକା ଓ ୭ଟି ଚୌକା ସହ ୭୧ ରନ୍‌ କରି ଅପରାଜିତ ଥିଲେ। ହାର୍ଦିକ ଶେଷ ୩ଟି ବଲ୍‌ରୁ ଛକା ମାରିଥିଲେ।

kalyan agarbati

Comments are closed.