ମୋହାଲି ଟି-୨୦ରେ ହାରିଲା ଭାରତ
ଭାରତକୁ ଅଷ୍ଟ୍ରେଲିଆ ୪ ୱିକେଟରେ ପରାସ୍ତ କଲା
ମୋହାଲି : ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ଭାରତ ଦ୍ବାରା ରଖାଯାଇଥିବା ୨୦୯ ରନର ଟାର୍ଗେଟକୁ ଅଷ୍ଟ୍ରେଲିଆ ୧୯.୨ ତମ ଓଭରରେ ୨୧୧ ରନ କରି ହାସଲ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ କାମେରନ ଗ୍ରୀନ ସର୍ବାଧିକ ୬୧ ରନ କରିଥିଲେ। ସେହିପରି ଷ୍ଟିଭ ସ୍ମିଥ ୩୫ ରନ କରିଥିବାବେଳେ ଆରନ ଫିଞ୍ଚ୍ ୨୨ରନ ଏବଂ ମାଥ୍ୟ ୱାଡେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୧ଟି ବଲରେ ୪୫ ରନ କରି ଦଳ ପାଇଁ ବିଜୟ ଆଣି ଦେଇଥିଲେ।
ମୋହାଲି ଟି-୨୦ରେ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୦୮ ରନ କରିଥିଲା । ଭାରତ ଆରମ୍ଭରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ୱିକେଟ ହରାଇବା ପରେ ସଂକଟରେ ପଡ଼ିଥିଲା । କିନ୍ତୁ କେଏଲ ରାହୁଲ ଓ ସୂର୍ଯ୍ୟ କୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳକୁ ବିପଦମୁକ୍ତ କରିଥିଲେ । ରାହୁଲ ୫୫ ରନ ଓ ସୂର୍ଯ୍ୟକୁମାର ୪୮ ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ କରି ମାତ୍ର ୩୦ଟି ବଲରେ ୭୧ ରନ କରିଥିଲେ।
ଅଷ୍ଟ୍ରେଲିଆ ପକ୍ଷରୁ ଜସ ହେଜଲଉଡ ୨ଟି ଓ ନାଥନ ଏଲିସ ୩ଟି ଓ୍ବିକେଟ ନେଇଥିଲେ। ସେହିପରି କ୍ୟାମେରନ ଗ୍ରୀନ ଗୋଟିଏ ୱିକେଟ ନେଇଥିଲେ।
Comments are closed.