ଜରାଜୀର୍ଣ୍ଣ ଅବସ୍ଥାରେ ଅଟ୍ଟାଳି ଜଗନ୍ନାଥ ମନ୍ଦିର: ମନ୍ଦିର ଉପରେ ଗଛ ଭର୍ତ୍ତି, ମନ୍ଦିର ପ୍ରତି ବିପଦ
ଆଠଗଡ : ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କ ମନ୍ଦିରଟି ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପହଞ୍ଚିଛି। ମନ୍ଦିରର ଉପର ଅଁଳାବେଡାର ଚତୁଃପାର୍ଶରେ ବଡବଡ ଅଶ୍ୱତ୍ଥ ଗଛ ଉଠି ମନ୍ଦିର ଦଧିନଉତି ଦେଖାଯାଉନାହିଁ। ଚତୁଃପାଶ୍ୱର୍ର ଗଛ ଚେର ମନ୍ଦିର କାନ୍ଥ ଓ ପଥର ଫଠାଇ ଭିତରକୁ ପଶିବା ଫଳରେ ବର୍ଷା ସମୟରେ ପାଣି ପଶି ମନ୍ଦିର ପ୍ରତି ବିପଦ ସୃଷ୍ଟି ହେଲାଣି। ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଏହି ପୁରାତନ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜ ହାତକୁ ନେଇଥିବାବେଳେ କେବେ ଥରୁଟିଏ ବି ଏହି ମନ୍ଦିରର ମରାମତି କରିବା ଅବା ରଙ୍ଗ ଲଗାଇବା ଆଦି କାର୍ଯ୍ୟ କରିନାହାଁନ୍ତି। ଦେବୋତ୍ତର ବିଭାଗ ପତ୍ନତତ୍ତ୍ୱ ବିବାଗକୁ ବାରମ୍ବାର ପତ୍ର ମାଧ୍ୟମରେ ମନ୍ଦିରର ଏପରି ଅବସ୍ଥା ସଂପର୍କରେ ଅବଗତ କରାଇଥିଲେ ମଧ୍ୟ ପତ୍ନତତ୍ତ୍ୱ ବିଭାଗର ନିଦ୍ରାଭଙ୍ଗ ହେଉନାହିଁ। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ମନ୍ଦିର ଉପରେ ଏପରି ବଡ ବଡ ଗଛ ଘେରି ରହିଥିବା ଦେଖି ବ୍ୟଥିତ ହେଉଛନ୍ତି। ମୁଖ୍ୟମନ୍ଦିର ଟିରେ ଦୀର୍ଘବର୍ଷ ହେବ ରଙ୍ଗ ଲଗାଯାଇ ନଥିବାରୁ ସଂପୂର୍ଣ୍ଣ ମନ୍ଦିର ଶିଉଳିରେ ପରିପୂର୍ଣ୍ଣ ହୋଇ କଳା ଆସ୍ତରଣ ଜମିଲା ପରି ଦେଖାଯାଉଛି। ଦେବୋତ୍ତର ବିଭାଗ ମଧ୍ୟ କେବଳ ପତ୍ନତତ୍ତ୍ୱ ବିଭାଗ ଉପରେ ଦୋଷ ଲଦିଦେଇ ଚୁପ ହୋଇ ବସିଥିବାରୁ ସ୍ଥାନୀୟ ଅଞ୍ଚଳର ଜଗନ୍ନାଥ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜଗନ୍ନାଥ ବଜାର କମିଟି ପକ୍ଷରୁ ସଭାପତି ହେମନ୍ତ କୁମାର ମହାନ୍ତି ସୋମବାର ଏ ସଂପର୍କରେ ଏକ ଲିଖିତ ଅଭିଯୋଗ କରି ମନ୍ଦିରର ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହେମନ୍ତ କୁମାର ସ୍ୱାଇଁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥି ସହିତ ଅନ୍ୟଏକ ପ୍ରାଚୀନ ମନ୍ଦିର ରାଧାଗୋବିନ୍ଦଜୀଉଙ୍କ ରୋଷଶାଳାଟି ଭାଙ୍ଗିରୁଜି ଯାଇଥିବାରୁ ସେଠାରେ ଠାକୁରଙ୍କ ପ୍ରସାଦ ପ୍ରସ୍ତୁତ ହୋଇପାରୁନାହିଁ। ତେଣୁ ରୋଷଶାଳାକୁ ସଂପୂର୍ଣ୍ଣ ନବୀକରଣ କରିବା ପାଇଁ ଜଗନ୍ନାଥ ବଜାର କମିଟି ପକ୍ଷରୁ ଦାବି କରାଯାଇଛି।
Comments are closed.