ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରାଯିବା ଉଚିତ
କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ନେଇ ସମୀକ୍ଷା ବୈଠକ
ଭୁବନେଶ୍ୱ: ରାଜ୍ୟର ମୋଟ କୃଷି ଶ୍ରମିକଙ୍କ ମଧ୍ୟରୁ ୪୮ ପ୍ରତିଶତରୁ ଊର୍ଦ୍ଧ୍ୱ କୃଷିଜୀବୀ ମହିଳା ଓ କୃଷିଶ୍ରମିକ ହୋଇଥିବାବେଳେ ଛୋଟ ଛୋଟ କୃଷି ଯନ୍ତ୍ରପାତିର ବ୍ୟବହାର ଦ୍ୱାରା ସେମାନଙ୍କର ଶ୍ରମ ଲାଘବ କରାଯାଇ ପାରୁଥିବା ଦୃଷ୍ଟିରୁ ମହିଳା ଶ୍ରମିକ ଉପଯୋଗୀ କୃଷି ଯନ୍ତ୍ରପାତିକୁ ଜନାଦୃତ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଆଜି କୃଷି ଭବନରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୃଷି କ୍ଷେତ୍ରରେ ଯାନ୍ତ୍ରିକୀକରଣ ଓ ମହିଳା କୃଷିଜୀବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଘମାନଙ୍କ ଦ୍ୱାରା କୃଷି ଯନ୍ତ୍ରପାତିର ବ୍ୟବହାର ସଂପର୍କରେ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତିର ସମୀକ୍ଷା କରିଥିଲେ । କୃଷି ଯାନ୍ତ୍ରିକୀକରଣ ପାଇଁ ନିର୍ଦ୍ଧାରିତ ବଜେଟ୍ରେ ଶତକଡ଼ା ୩୦ ପ୍ରତିଶତ ଗ୍ରାମୀଣ ମହିଳା କୃଷକମାନଙ୍କ ପାଇଁ ବ୍ୟବସ୍ଥା କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଁ ଗୁରୁତ୍ୱାରୋପ କରିଥିଲେ । କୃଷି କ୍ଷେତ୍ରରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ, ଡ୍ରୋନ୍ ଆଦିର ଉପଯୋଗିତା ନିମନ୍ତେ କ୍ଷେତ୍ର ପ୍ରଦର୍ଶନ, ତାଲିମ ପ୍ରଦାନ ଓ ଲାଇସେନ୍ସ ଆଦିର ବ୍ୟବସ୍ଥା ନିମନ୍ତେ ଆଶୁ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଗ୍ରାମାଞ୍ଚାଳର ପାରମ୍ପରିକ ଗ୍ରାମୀଣ କାରିଗରମାନଙ୍କୁ କିପରି ଭାବରେ କୃଷି ଯାନ୍ତ୍ରିକୀକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଅନୁଧ୍ୟାନ କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ରାଜ୍ୟର କୃଷି କ୍ଷେତ୍ରରେ ବ୍ୟବହୃତ ଯନ୍ତ୍ରପାତିର ଉପଯୋଗ ଓ ବିଭାଗ ପକ୍ଷରୁ ଏ ଦିଗରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରିଥିଲେ ।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କ ସମେତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ମୁଖ୍ୟଯନ୍ତ୍ରୀ, ଓଡ଼ିଶା କୃଷି ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ, ଏନ୍ଆର୍ଆର୍ଆଇ, ସିୱାର ନିର୍ଦ୍ଦେଶକ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତିର ପ୍ରତିନିଧି ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
Comments are closed.