ବାଲେଶ୍ୱର ଓ କୋରାପୁଟ ଜିଲାରେ ‘ଅହିଂସା ରଥ’ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ଜନମାନସରେ ଉଜ୍ଜୀବିତ ହେଉଛି ସ୍ୱାଧୀନତା ସଂଗ୍ରାମ ଏବଂ ଅହିଂସା ଆୟୁଧ ସଂପର୍କିତ ସ୍ମୃତି
ଭୁବନେଶ୍ୱର: ଗତ ତିନିଦିନ ଧରି ଅହିଂସା ରଥ ବାଲେଶ୍ୱର ଏବଂ କୋରାପୁଟ ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି। ଉଭୟ ବାଲେଶ୍ୱର ଏବଂ କୋରାପୁଟ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ରହିଥିଲା। ଦୁଇ ଜିଲା ପରିକ୍ରମା କରି ଅହିଂସା ରଥ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ସହ ମହାତ୍ମା ଗାନ୍ଧୀଙ୍କର ସତ୍ୟ, ଅହିଂସା, ମାନବବାଦର ବାର୍ତ୍ତା ପ୍ରଚାର କରୁଛି। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଅହିଂସା ରଥ ଅଭିଯାନ ଏକ ଅଭିନବ ପ୍ରୟାସ। ରାଜ୍ୟର ଜନସାଧାରଣଙ୍କ ନିକଟରେ ଏହି ରଥ ପହଞ୍ଚି ସ୍ୱାଧୀନତା ସଂଗ୍ରାମ ତଥା ବୀର ସଂଗ୍ରାମୀମାନଙ୍କ ତ୍ୟାଗ, ସଂଘର୍ଷର କାହାଣୀ ବଖାଣିବା ସହ ଜନମାନସରେ ସ୍ୱାଧୀନତା ସଂଗ୍ରାମ ଏବଂ ଅହିଂସା ଆୟୁଧ ସଂପର୍କରେ ସ୍ମୃତି ଉଜ୍ଜୀବିତ ହୋଇପାରିଛି । ଗତ ଅଗଷ୍ଟ ୧୫ ତାରିଖରୁ ଅଭିଯାନରେ ବାହାରିଥିବା ଅହିଂସା ରଥ ଆଜିକୁ ଦୀର୍ଘ ୩୨ ଦିନ ହେଲା ସାରା ରାଜ୍ୟ ପରିକ୍ରମା କରିଛି।
ଆଜି କୋରାପୁଟ ଜିଲ୍ଲାର ସୁନାବେଡ଼ାଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା । ମୁନିିସିପାଲିଟି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର, କୋରାପୁଟର ଅତିରିକ୍ତ ଜିଲାପାଳ ରାମେଶ୍ୱର ପ୍ରଧାନ, ଯୋଜନା ଉପନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, ସମସ୍ତ କାଉନ୍ସିଲର, ଛାତ୍ରଛାତ୍ରୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ। ସେଠାରୁ ଅହିଂସା ରଥ ନନ୍ଦପୁର ବ୍ଲକ୍ ପରିକ୍ରମା ନିମନ୍ତେ ଗସ୍ତ କରିଥିଲା। ନନ୍ଦପୁରଠାରେ ପଟ୍ଟାଙ୍ଗୀ ବିଧାୟକ ପିତମ ପାଢ଼ୀ, ନନ୍ଦପୁର ବିଡ଼ିଓ, ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନତା ରଥକୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ରଥ ପରିକ୍ରମା ସମୟରେ ବିଭିନ୍ନ ସ୍ଥାନରେ ସଭା ଅନୁଷ୍ଠିତ ହେବା ସହ ସେଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ଓ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
ବନ୍ଦେ ମାତରଂଠାରୁ ଆରମ୍ଭ କରି ବିଭିନ୍ନ ସ୍ଳୋଗାନ୍ ଦେଇ କୋରାପୁଟ ସହର ମେଡିକାଲ ଛକରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ବିରାଟ ରାଲିର ଆୟୋଜନ ହୋଇଥିଲା। ସ୍ଥାନୀୟ ମୁନିସିପାଲିଟିର ନିର୍ବାଚିତ ପ୍ରତିନିଧି, ସ୍କୁଲକଲେଜର ଛାତ୍ରଛାତ୍ରୀ, ମିଶନ ଶକ୍ତି ସଭ୍ୟା, ସାମ୍ବାଦିକ, ସାଧାରଣ ଜନତା ସମସ୍ତଙ୍କର ଉପସ୍ଥିତିରେ ମୁନିସିପାଲିଟି ସଭାଗୃହରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୋଲିସ ବନ୍ଧୁମାନେ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ।
ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରେ ଅହିଂସା ରଥକୁ ଏକ ବିଶାଳ ରାଲି ମାଧ୍ୟମରେ ସ୍ୱାଗତ କରାଯାଇଥିଲା। ଜିଲା ସ୍କୁଲଠାରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲାପାଳ, ସ୍ଥାନୀୟ ବିଧାୟକ, ଜିଲ୍ଲା ପରିଷଦ ସଭାପତି, ମୁନିସିପାଲିଟି ଅଧ୍ୟକ୍ଷ, ଉପଜିଲ୍ଲାପାଳ, ବିଡ଼ିଓ, ସିଡ଼ିପିଓ, ବ୍ଲକ୍ ଅଧ୍ୟକ୍ଷ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ୍ର ଉଲୁଡ଼ା ଗ୍ରାମପଞ୍ଚାୟତଠାରେ ଭୋଗରାଇ ବିଧାୟକ, ବିଡ଼ିଓ, ବ୍ଲକ୍ ଅଧ୍ୟକ୍ଷ, ପଞ୍ଚାୟତିରାଜ ପ୍ରତିନିଧି, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସ୍ଥାନୀୟ ଜନସାଧାରଣ ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ । କବି ସ୍ୱର୍ଗତ ମନୋଜ ଦାସଙ୍କ ପୈତୃକ ଗ୍ରାମ ଶଙ୍ଖାରୀ ଓ ଥାନା ଛକଠାରେ ସଭା ଅନୁଷ୍ଠିତ ହୋଇଥିଲା। ଏଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା।
ସେହିପରି ଖଇରା ବ୍ଲକ୍ର ତୁଡ଼ିଗାଡ଼ିଆଠାରେ ଛାତ୍ରଛାତ୍ରୀମାନେ ଏକ ବିରାଟ ରାଲି କରି ଅହିଂସା ରଥକୁ ସ୍ୱାଗତ ଜଣାଇଥିଲେ। ସିମୁଳିଆ-ଖଇରାର ବିଧାୟକ, ବିଡ଼ିଓ, ତହସିଲଦାର, ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଛାତ୍ରଛାତ୍ରୀ, ପଞ୍ଚାୟତିରାଜ ପ୍ରତିନିଧି ପ୍ରମୁଖ ଏହି ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପରେ ଏହି ରଥ ଗଣ୍ଡିବେଡ଼ା, ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତ, ମହିତାପୁର ଗ୍ରାମପଞ୍ଚାୟତଠାରେ ପରିକ୍ରମା କରିବା ଅବସରରେ ସ୍ଥାନୀୟ ଜନସାଧାରଣ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ମିଶନ ଶକ୍ତି ସଦସ୍ୟା, ସ୍ଥାନୀୟ ଜନସାଧାରଣମାନେ ରଥକୁ ସ୍ୱାଗତ କରିଥିଲେ। ବିିଭିନ୍ନ ସ୍ଥାନରେ ସଭା ଆୟୋଜନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ପ୍ରଦର୍ଶନ ହୋଇଥିଲା।
Comments are closed.