ପୁରୁଣା କଟକ-ସମ୍ବଲପୁର ରାସ୍ତା ପାଲଟିଛି ମରଣଯନ୍ତା

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାଟି ଖାଲଖମାରେ ପରିଣତ ହୋଇଛି। ବର୍ଷାଦିନେ ଖାଲରେ ପାଣିଜମିଯିବା ପରେ ରାସ୍ତାର ପ୍ରକୃତସ୍ଥିତି ଜଣାପଡୁନାହିଁ। ଯାହାଫଳରେ କି ରାସ୍ତାରେ ଯାଉଥିବା ଗାଡିଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଦୁର୍ଘଟଣାରେ ଏକାଧିକ ବାଇକ ଆରୋହୀ ଗୁରୁତର ମଧ୍ୟ ହେଉଛନ୍ତି। ମୋଟାମୋଟି କହିବାକୁ ଗଲେ ରାସ୍ତାର ସ୍ଥିତିକୁ ଅଧିକ ବିଗାଡି ଦେଇଛି ଚଳିତ ବର୍ଷ ମହାନଦୀର ବନ୍ୟାଜଳ। ଯାହାଫଳରେ କି ପାଇକରାପୁର ଠାରୁ ଚମ୍ପାପୁର ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି। ସଜାଗ,ସତର୍କ ନରହିଲେ ନିମିଷେକ ମଧ୍ୟରେ ପ୍ରାଣବାୟୁ ଚାଲିଯିବାର ସମ୍ଭାବନା ରହିଛି। ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥାକୁ ଦେଖି ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ ଓ ପ୍ରମୋଦ କୁମାର ସାହୁ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଆଠଗଡ ଠାରେ ଜିଲ୍ଲାପାଳଙ୍କ ଜନଅଭିଯୋଗ ଶୁଣାଣି ସମୟରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ପୁରୁଣା କଟକ-ସମ୍ବଲପୁର ରାସ୍ତାର ଦୟନୀୟ ସ୍ଥିତିକୁ ନିଜେ ଦେଖିଥିବା କହିବା ସହ ଏହାର ତ୍ୱରିତ ମରାମତି କରିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ମାସକ ପରେ ପ୍ରଭୂ ଧବଳେଶ୍ୱରଙ୍କ ପ୍ରସିଦ୍ଧ ପଞ୍ଚକ ଯାତ୍ରା ଅନୁଷ୍ଠିତ ହେବ। ମହାନଦୀ ଉପରେ ମଧୁସେତୁ ହେବା ପରେ ରାଜଧାନୀ ଭୂବନେଶ୍ୱର ପଶ୍ଚିମ ଓଡିଶାକୁ ସ୍ୱଳ୍ପ ଦୂରତା ହୋଇଥିବାରୁ ଶହଶହ ସଂଖ୍ୟା ଗାଡିଚଳାଚଳ କରୁଛି। ଏପରିକି ଭାରୀଯାନ ସହିତ ଦୃତଗାମୀ ବସ କଟକ-ସମ୍ବଲପୁର ରାସ୍ତାଦେଇ ପଶ୍ଚିମ ଓଡିଶାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ରାସ୍ତାର ସ୍ଥାୟୀ ମରାମତି କରିବା ପାଇଁ ଧବଳେଶ୍ୱର ସେବା ସଂସ୍ଥା ପକ୍ଷରୁ ଦାବି ହୋଇଛି।

kalyan agarbati

Comments are closed.