ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲାରେ ‘ଅହିଂସା ରଥ’ ପରିକ୍ରମା, ତ୍ରିରଙ୍ଗା ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ପରିବେଶ ମୁଖରିତ

ଭୁବନେଶ୍ୱର:ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କ ବୀର ଗାଥାକୁ ମନେ ପକାଇବା ପାଇଁ ସାରା ରାଜ୍ୟରେ ଅହିଂସା ରଥ ପରିକ୍ରମା କରୁଛି। ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା, ଗାନ୍ଧିଜୀ ଓ ଓଡ଼ିଶା ଶୀର୍ଷକ ଚଳଚ୍ଚିତ୍ର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ନେଇ ଏହି ରଥ ଆଜି ମୟୂରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି।
ଆଜି ଅହିଂସା ରଥ କେନ୍ଦୁଝର ଜିଲାରୁ ଆସି ମୟୂରଭଞ୍ଜ ଜିଲାର ସୀମାବର୍ତ୍ତୀ ଗୋଡ଼ଭଙ୍ଗାଠାରେ ପହଞ୍ଚିବା ପରେ ଠାକୁରମୁଣ୍ଡା ବ୍ଲକ୍‌ ବିଡ଼ିଓ, ଜିଲା ପ୍ରଶାସନର ଅଧିକାରୀ, ଛାତ୍ରଛାତ୍ରୀ, ପଞ୍ଚାୟତ ସମିତି ସଭ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଶିକ୍ଷକବୃନ୍ଦ, ଏନ୍‌ସିସି, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ, ସ୍ଥାନୀୟ କଳାକାର ଏବଂ ସ୍ଥାନୀୟ ଜନସାଧାରଣ ଏକ ବିଶାଳ ଶୋଭାଯାତ୍ରାରେ ଦେଶାତ୍ମବୋଧକ ସ୍ଳୋଗାନ୍‌ ଦେଇ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଠାକୁରମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନ ପରିକ୍ରମା କରି ରଥ କପ୍ତିପଦା ବ୍ଲକ୍‌ର ସରତ ଗ୍ରାମପଞ୍ଚାୟତଠାରେ ପହଞ୍ଚିବା ପରେ କପ୍ତିପଦା ବିଡ଼ିଓ, ଗ୍ରାମପଞ୍ଚାୟତର ସଭ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ସମବେତ ଜନସାଧାରଣ ରଥକୁ ସ୍ୱାଗତ ଜଣାଇଥିଲେ। କପ୍ତିପଦା ସ୍କୁଲଠାରେ ସଭା ଅନୁଷ୍ଠିତ ହେବା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା। ସେହିପରି ଉଦଳା ବ୍ଲକ୍‌ର ଜାଲଦା ଛକଠାରେ ଅହିଂସା ରଥକୁ ସ୍ୱାଗତ କରାଯାଇଥିଲା। ଉଦଳା ମୁଖ୍ୟ ବଜାରରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ରଥ ପରିକ୍ରମା କରିବା ସମୟରେ ଅଞ୍ଚଳବାସୀମାନେ ବହୁସଂଖ୍ୟାରେ ଉପସ୍ଥିତ ରହି ଏହାକୁ ସ୍ୱାଗତ କରିଥିଲେ । ସେଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭିଡ଼ିଓ ସୋ ଆୟୋଜିତ ହୋଇଥିଲା।
ଅନ୍ୟ ଏକ ରଥକୁ କରଞ୍ଜିଆ ବ୍ଲକ୍‌ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶୁକୃଳିି ବ୍ଲକ୍‌, ରରୁଆଁ ବ୍ଲକ୍‌ ଏବଂ ଯଶିପରୁ ବ୍ଲକ୍‌ର ବିଭିନ୍ନ ଅଞ୍ଚଳ ପରିକ୍ରମା କରିବା ସମୟରେ ରଥକୁ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଆଶାକର୍ମୀ, ସ୍ଥାନୀୟ ଜନସାଧାରଣ ଏବଂ ବୁଦ୍ଧିଜୀବୀମାନେ ସ୍ୱାଗତ ଜଣାଇବା ସହ ବିଭିନ୍ନ ସ୍ଥାନରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସମସ୍ତ ସ୍ଥାନରେ ଭିଡ଼ିଓ ମାଧ୍ୟମରେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା।
ଆଜି ନବରଙ୍ଗପୁର ଜିଲ୍ଲା ପରିକ୍ରମାର ଶେଷଦିନରେ ଜିଲ୍ଲାର ଦଶଟି ବ୍ଲକ୍‌ ନବରଙ୍ଗପୁର, ପାପଡାହାଣ୍ଡି, ଡାବୁ ଗାଁ, ଝରିଗାଁ, ଚନ୍ଦା ହାଣ୍ଡି, ଉମରକୋଟ, ରାଇଘର, କୋଷଗୁମୁଡା, ନନ୍ଦାହାଣ୍ଡି, ତେ;ୁଳଖୁଣ୍ଟି ବ୍ଲକ୍‌, ଓ ନବରଙ୍ଗପୁର, ଉମରକୋଟ ପୌରପାଳିକାର ବିଭିନ୍ନ ଅଞ୍ଚଳ ପରିକ୍ରମା ସମୟରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ସରକାରୀ ବେସରକାରୀ ଅନୁଷ୍ଠାନ, ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ଜନପ୍ରତିନିଧି, ବିଶିଷ୍ଟ ନାଗରିକ, ସ୍ୱାଧିନତା ସଂଗ୍ରାମୀଙ୍କ ଦାୟଦ, ଛାତ୍ରଛାତ୍ରୀ ଶିକ୍ଷକଶିକ୍ଷୟତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଭବ୍ୟ ସ୍ୱାଗତ କରିଥିଲେ। ଏହିସମୟରେ ବିଭିନ୍ନ ସ୍ଥାନରେ ମହାପୁରୁଷ, ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୂଜ୍ୟପୂଜା ଓ ମାଲ୍ୟାର୍ପଣ କରାଯାଇଥିଲା ଏବଂ ସ୍ୱାଧିନତା ସଂଗ୍ରାମୀଙ୍କ ଦାୟଦମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଫଳତାର ସହିତ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।
ଏହି ‘ଅହିଂସା ରଥ’ ରାଜ୍ୟବାସୀଙ୍କ ମନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି କରୁଛି। ଜନସାଧାରଣଙ୍କ ମନରେ ଜାତୀୟତାଭାବ ଉଦ୍ରେକ କରିବା ସହ ଭାଇଚାରା, ସଂପ୍ରୀତି ଓ ଏକତାର ବାର୍ତ୍ତା ପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ଏହି ମହନୀୟ ପଦକ୍ଷେପ ବେଶ୍‌ ଆଦୃତି ଲାଭ କରିଛି। ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟରୁ ୨ ଅକେଫାବର ପର୍ଯ୍ୟନ୍ତ ସ୍ୱାଧୀନତାର ସ୍ମାରକୀ ବହନ କରୁଥିବା ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟରେ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶର ବାର୍ତ୍ତା ପ୍ରଚାର କରିବ।

kalyan agarbati

Comments are closed.