ଦୟାନଦୀର କଣ୍ଟି ଓ ଭାରତୀପୁର କାଜକୁ କଂକ୍ରିଟ ଢଳେଇ କରାଯିବ
ପିପିଲି :ପିପିଲି ଦେଇ ପ୍ରବାହିତ ଦୟାନଦୀର ଭାରତୀପୁର ଓ କଣ୍ଟି କାଜ ଦ୍ୱାରା ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ବନ୍ୟାଜଳରେ କ୍ଷତିଗ୍ରସ୍ତ ହେଉଥିବା ଦୁଇଟି ଯାକ କାଜକୁ କଂକ୍ରିଟ୍ ଢଳେଇ କରାଯିବ ବୋଲି ଜଳସଂପଦ ବିଭାଗର ପୁରୀ ଜିଲା ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ ପ୍ରକାଶ କରିଛନ୍ତି।
ଦୟାନଦୀର ଭାରତୀପୁର ଓ କଣ୍ଟି କାଜରୁ ନିର୍ଗତ ବନ୍ୟାଜଳ ଦ୍ୱାରା ପ୍ରତ୍ୟେକ ବର୍ଷ ପିପିଲି, ଡେଲାଙ୍ଗ ଓ କଣାସ ବ୍ଲକରେ ବନ୍ୟା ହେବା ସହ ହଜାର ହଜାର ଏକର ଚାଷଜମିର ଫସଲ ଉଜୁଡି ଯାଉଛି।
ଏହି ଦୁଇଟି ଯାକ କାଜ ଦ୍ୱାରା ସୃଷ୍ଟି ହେଉଥିବା ବନ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଛି। ସୋମବାର ଦିନ ଜଳସଂପଦ ବିଭାଗର ପୁରୀ ଜିଲା ଅଧିକ୍ଷଣ ଯନ୍ତ୍ରୀ ରତ୍ନାକର ଦଳେଇ ଓ ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ ଦୟାନଦୀର ଏହି ଭାରତୀପୁର ଓ କଣ୍ଟି କାଜକୁ ପରିଦର୍ଶନ କରିବା ସହ ସ୍ଥିତିକୁ ଅନୁଧ୍ୟାନ କରିଥିଲେ। ବନ୍ୟାଜଳରେ କାଜରେ ଥିବା ବଡ ବଡ ପଥର ଗୁଡିକ ଭାସି ଯାଇଥିବା ବେଳେ ଉଭୟ କାଜ କ୍ଷତିଗ୍ରସ୍ତ ହୋଇଛି। ଉଭୟ କାଜକୁ କଂକ୍ରିଟ୍ ଢଳେଇ କରାଯାଇ ମରାମତି କରାଯିବ ବୋଲି ଶ୍ରୀଦଳେଇ ପ୍ରକାଶ କରିଥିଲେ। ଉଭୟ କାଜ ଦ୍ୱାରା ସୃଷ୍ଟି ହେଉଥିବା ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ପାଇଁ ସେଠାରେ ବନ୍ୟାଜଳର ସଠିକ ପରିଚାଳନା କରାଯାଇ ବନ୍ୟାକୁ ନିୟନ୍ତ୍ରଣ କରିବାକୁ ବିଧାୟକ ଶ୍ରୀମହାରଥୀ କହିଥିଲେ। ତେବେ ଉଚ୍ଚ ସ୍ତରୀୟ ବିଶେଷଜ୍ଞ କମିଟି ଦ୍ୱାରା ଉଭୟ କାଜର ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ପ୍ରକାଶ କରିଥିଲେ।
ଏହାସହ ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ଥିବା ବିଭିନ୍ନ କେନାଲର ତଳଭାଗରେ କେନାଲଜଳ ପହଞ୍ଚୁନଥିବାରୁ କୃଷି କାର୍ଯ୍ୟ ହୋଇପାରୁନଥିବା ଓ ଏହାଦ୍ୱାରା କୃଷକମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେଉଥିବା ସଂପର୍କରେ ଶ୍ରୀ ମହାରଥୀ ଅଧିକ୍ଷଣ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାର ସ୍ଥାୟୀ ପ୍ରତିକାର କରିବାକୁ କହିଥିଲେ। ତେବେ ସେସବୁ କେନାଲକୁ ସଂପୂର୍ଣ୍ଣ କଂକ୍ରିଟ୍ ଢଳେଇ କରାଯିବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଦଳେଇ ପ୍ରକାଶ କରିଥିଲେ। ଏହା ସହ ଭାରତୀପୁର, ସୁଲତାନନଗର, ମଠସାହି, ନାରଣଖେତା, ମାଣିତ୍ରି ଓ ଅନନ୍ତପୁର ମାଇନର ର ପାଟ୍ଟଯୋଶୀପୁର ଠାରେ ଥିବା କେନାଲରେ ବ୍ରିଜ୍ ନିର୍ମାଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।
ବିଧାୟକ ଓ ଅଧିକ୍ଷଣ ଯନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ପିପିଲି ଜଳସଂପଦ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଷଡାନନ ପ୍ରଧାନ, କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ମାଧବ ଚନ୍ଦ୍ର ଷଡଙ୍ଗୀ, ଠିକାଦାର ସୁଧିର କୁମାର ନାୟକ, ପିପିଲି ବ୍ଲକ ଅଧ୍ୟକ୍ଷା ଦେବସ୍ୱିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ୱାଇଁ, ଜିଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ମଲ୍ଲିକ, ସାଂସଦ ପ୍ରତିନିଧି ନାରାୟଣ ସ୍ୱାଇଁ, ପୁର୍ବତନ ଜିଲା ପରିଷଦ ସଭ୍ୟ ଦେବାଶିଷ ନନ୍ଦ, କିଶୋର ଛୋଟରାୟ, ରାଜ୍ୟ ବିଜେଡି ସମ୍ପାଦକ ପ୍ରିୟବ୍ରତ ସାମନ୍ତରାୟ, ଯୁବନେତା ଆର୍ତ୍ତବନ୍ଧୁ ସାମନ୍ତରାୟ, ବିଷ୍ଣୁପ୍ରସାଦ ଦଳେଇ, ରାଜ୍ୟ ଯୁବ ବିଜେଡି ସଂପାଦକ ଅମରଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.