ବୌଦ୍ଧ ଥାନାର ଜବତ ଗାଡି ଗୋଦାମ ପାଲଟିଛି ଜିଲା ମୁଖ୍ୟଚିକିତ୍ସାଳୟ ସମ୍ମୁଖ ରାସ୍ତା, ଆମ୍ବୁଲାନ୍ସ ଯିବାରେ ସୃଷ୍ଟି ହେଉଛି ସମସ୍ୟା
ବୌଦ୍ଧ : ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ବୌଦ୍ଧ ଥାନାର ଜବତ ଗାଡି ଗୋଦାମ ପାଲଟିଥିବାବେଳେ ଅଣାୟତ୍ତ ଟ୍ରାଫିକ ଯୋଗୁଁ ରୋଗୀଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନସ କୁ ଦୀର୍ଘ ସମୟ ଧରି ଅଟକିବାକୁ ପଡିଛି। ସୂଚନା ମୁତାବକ ବୌଦ୍ଧ ଥାନା ଓ ମୁଖ୍ୟ ଚିକିତ୍ସାଳୟ ମଧ୍ୟ ଦେଇ ଯାଇଥିବା ମୁଖ୍ୟ ରାସ୍ତା ବିଶେଷ ପ୍ରଶସ୍ତ ନଥିବାବେଳେ ଏହି ରାସ୍ତାରେ ଦିନ ତମାମ ଟ୍ରାଫିକ ଜାମ ଲାଗି ରହିଥାଏ। ଏହି ରାସ୍ତାଟି ଦୈନିକ ବଜାର ସହିତ ସଂଯୁକ୍ତ ହୋଇଥିବାବେଳେ ମୁଖ୍ୟବସ୍ତି ମଧ୍ୟରେ ରହିଥିବାରୁ ଦୈନନ୍ଦିନ କାର୍ଯ୍ୟପାଇଁ ପ୍ରାୟ ଲୋକ ବ୍ୟବହାର କରିଥାନ୍ତି। କିନ୍ତୁ କିଛିବର୍ଷ ହେଲା ଏହି ରାସ୍ତାକଡରେ ବୌଦ୍ଧଥାନା ପକ୍ଷରୁ ବିଭିନ୍ନ ମାମଲାରେ ଜବତ କରାଯାଉଥିବା ଗାଡି ଗୁଡିକ ମାସ ବର୍ଷ ଧରି ରଖିଦିଆଯାଉଥିବା ଯୋଗୁଁ ସବୁବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଆସୁଅଛି। ବାରମ୍ବାର ଏହି ସମସ୍ୟା ନେଇ ଥାନା କର୍ତ୍ତୃପକ୍ଷ ଓ ଜିଲା ପୋଲିସ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଥାନା ଭିତରେ ସ୍ଥାନ ସମସ୍ୟା ଥିବାରୁ ବାହାରେ ଜବତ ଗାଡି ରଖିବାକୁ ଏକପ୍ରକାର ପୋଲିସ ବାଧ୍ୟ ହେଉଥିବା କୁହାଯାଉଅଛି। ଜିଲାରେ ନୂତନ ଜିଲାପାଳ ଓ ଏସପି ଯୋଗଦେବାପରେ ବୌଦ୍ଧଜିଲା ସାଂସଦ ପ୍ରତିନିଧି ତଥା ବରିଷ୍ଠ ଆଇନଜିବୀ ତାରେଣି ମହାପାତ୍ର ଉଭୟଙ୍କୁ ବ୍ୟକ୍ତିଗତ ଭାବରେ ସାକ୍ଷାତ କରି ମୁଖ୍ୟ ଚିକିତ୍ସାଳୟର ସମ୍ମୁଖ ରାସ୍ତାରୁ ପୋଲିସ ପକ୍ଷରୁ ରଖାଯାଇଥିବା ଗାଡି ଯୋଗୁଁ ରୋଗୀସେବାରେ ବ୍ୟାଘାତ ହେଉଥିବା ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ସେଠାରୁ ଗାଡି ହଟାଇବାକୁ ନିବଦେନ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତାରୁ ଗାଡି ହଟିପାରିନାହିଁ। ଉକ୍ତ ଗାଡିଗୁଡିକ ଯୋଗୁଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ରୋଗୀ ନେଇ ଯିବା ଆସିବା କରୁଥିବା ଆମ୍ବୁଲାନସ ପାଇଁ ସବୁବେଳେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଅଛି। ବୌଦ୍ଧ ଚିକିତ୍ସାଳୟରୁ ବୁର୍ଲାକୁ ରୋଗୀ ନେଇ ଯାଉଥିବା ଏହି ରାସ୍ତାରେ ଟ୍ରାଫିକ ଜାମ ଯୋଗୁଁ ଦୀର୍ଘ ସମୟ ଅଟକି ରହିବା ଫଳରେ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କିନ୍ତୁ ଏହି ଘଟଣା ନୁଆନୁହେଁ ପ୍ରତିଦିନ ରୋଗୀଙ୍କୁ ନେଇ ଏହି ରାସ୍ତାରେ ଆମ୍ବୁଲାନସ ଗଲାବେଳେ ଏହିଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ସେହି ସ୍ଥାନରୁ ଗାଡିଗୁଡିକ ହଟାଇବାକୁ ସହରର ବୁଦ୍ଧିଜିବୀ ମହଲରେ ଦାବି ହେଉଅଛି।
ସୂଚନା ଯୋଗ୍ୟଯେ ଦିନକୁଦିନ ବୌଦ୍ଧ ସହରରେ ଟ୍ରାଫିକ ସମସ୍ୟା ଉତ୍କଟ ହେବାରେ ଲାଗିଛି। ବାରମ୍ବାର ବିଭିନ୍ନ ସରକାରୀ ବୈଠକରେ ଆଲୋଚନା ପରେ ମଧ୍ୟ ଉପଯୁକ୍ତ ପାର୍କିଂ ସ୍ଥାନ ଚିହ୍ନଟ କରାଯାଉନାହିଁ। କିଛିଦିନ ପୂର୍ବରୁ ବୌଦ୍ଧ ଏନଏସି ପକ୍ଷରୁ ଜୋରଦାର ଭାବରେ ସହରରେ ଜବରଦଖଲ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ଜବରଦଖଲ ଉଛେଦ ପରେ ସହରର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ବୋଲି ସାଧାରଣରେ ଆଲୋଚନା ଜୋର ଧରିଥିଲା। କିନ୍ତୁ ବର୍ତ୍ତମାନ ସହରରେ ଟ୍ରାଫିକ ବ୍ୟବସ୍ଥା ପୂର୍ବଠାରୁ ଆହୁରି ଖରାପ ଅବସ୍ଥାରେ ପହଞ୍ଚିଲାଣି। ଏନଏସି ପକ୍ଷରୁ ଜବରଦଖଲ ଉଛେଦ ସମୟରେ ଏନଏସି ଛକଠାରୁ ଭୈରବୀ ଛକ, ଗାନ୍ଧୀଛକଠାରୁ ମୁଖ୍ୟ ଡାକଘର ଛକ ଓ ଏନଏସି ଛକଠାରୁ ଜାତୀୟ ରାଜପଥର ଉଭୟ ପାର୍ଶ୍ବ ରାମନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣକୁ ଗୁରୁତ୍ୱ ଦିଆଯାଇଥିଲା। ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ଦିନ ହେଲା ଜାରି ରହିଥିବାବେଳେ ଏହି ରାସ୍ତାରୁ ଜବରଦଖଲ ହଟିଥିଲେ ମଧ୍ୟ ଟ୍ରାଫିକ ବ୍ୟବସ୍ଥାର ସମାଧାନ ହୋଇପାରିନାହିଁ। କିଛି ସ୍ଥାନରେ ରାସ୍ତା ପ୍ରଶସ୍ତ ହୋଇଥିଲେ ମଧ୍ୟ ପାର୍କିଂ ବ୍ୟବସ୍ଥା ନଥିବାରୁ ଯାନବାହାନ ସବୁ ରାସ୍ତା ଉପରେ ରଖିଦିଆଯାଉଅଛି। ତେଣୁ ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ପାର୍କିଂ ବ୍ୟବସ୍ଥା ସୁଦୃଢ କରିବା ସହିତ ବୌଦ୍ଧ ସହର ମଧ୍ୟରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ସାଧାରଣରେ ମତପ୍ରକାଶ ପାଉଅଛି।
Comments are closed.