ବୌଦ୍ଧ ଜିଲାରେ ଧୁମଧାମରେ ପାଳିତ ହେଲା ଗଣପର୍ବ ନୂଆଖାଇ
ଅଧିଷ୍ଠାତ୍ରୀ ଦେବୀ ଭୈରବୀଙ୍କ ନିକଟରେ ଲାଗିହେଲା ନବାହ୍ନ
ବୌଦ୍ଧ: ଗୁରୁବାର ଦିନ ଥିଲା ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ନୁଆଖାଇ। ଏଥି ପାଇଁ ସାରା ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇପଡିଥିବା ବେଳେ ବୌଦ୍ଧ ଜିଲାରେ ମଧ୍ୟ ପୁରପଲ୍ଳୀରେ ଧୁମଧମାରେ ପାଳିତ ହୋଇଛି ନୂଆଖାଇ ପର୍ବ। ଗାଁ ଗାଁରେ ଖୁସିଲ ମାେହୋଲ ସହ ଜମିଛେ ନାଚ ଗୀତର ଆସର। ଜିଲାରେ କିଛି ଦିନ ତଳେ ବନ୍ୟା ଯୋଗୁଁ ଚାଷିର ଧାନ ଫସଲ ନଷ୍ଟ ହୋଇଥିବା ବେଳେ କିନ୍ତୁ ମା’ଙ୍କ ନିକଟରେ ପ୍ରଥମ ଫସଲର ଭୋଗ ଅର୍ପଣ ପାଇ ସମସ୍ତେ ବ୍ୟସ୍ତ। ନୂଆଖାଇ ପାଇଁ ସାରା ଜିଲା ଚଳଚଞ୍ଚଳ ଥିବା ବେଳେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ଧାର୍ଯ୍ୟ ଲଗ୍ନ ଅନୁସାରେ ୧୧ ଟାରେ ନବାନ୍ନ ଲାଗି କରାଯାଇଥିଲା। ମହାନଦୀରେ ପୂଜା ପରେ ମହାନଦୀର ପବିତ୍ର ଜଳକୁ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା।
ମୁଖ୍ୟ ପୁଜକ ଗୌରି ପ୍ରସାଦ ବଡମାଳି ଓ ପାଳିଆ ପୂଜକ ସାନନ୍ଦ ବଡମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିବା ପରେ ପାଶ୍ୱର୍ ଦେବାଦେବୀମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ। ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ। ମାଙ୍କ ପୁଜା ସମୟରେ ବିଭୁତି ବଡମାଳି, ହରିହର ବଡମାଳି, ତରଣୀ ବଡମାଳି. ଏକା ବହମାଳି, ଧନେଶ୍ୱର ବଡମାଳି ଓ ବିଶ୍ୱ ବଡମାଳି ସାମିଲ ଥିଲେ। କେବଳ ଯେ ମା’ଙ୍କ ନିକଟରେ ନବାନ୍ନ ଲାଗିହେଲା ତାହା ନୁହେଁ ଏହି ପର୍ବ ପାଳନ ନେଇ ଘରେ ଘରେ ନୂଆ ଚାଉଳର ପିଠାପଣା କରିଥିବା ଦେଖାଯାଇଥିଲା। ସମସ୍ତ ଗ୍ରାମ ଗୁଡିକରେ ପ୍ରଥମେ ଗ୍ରାମ ମୁଖିଆଙ୍କ ଦ୍ୱାରା ଗ୍ରାମ ଦେବତୀଙ୍କ ନିକଟରେ ନବାହ୍ନ ଅର୍ପଣ ପରେ ପ୍ରତି ପରିବାରର ସମସ୍ତେ ନୂଆଲୁଗା ପିନ୍ଧି ନିଜ ନିଜର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଅର୍ପଣ କରିଥିଲେ।
ଏହାପରେ ନବାହ୍ନ ଭକ୍ଷଣ କରି ପରିବାର ଓ ଗ୍ରାମର ଗୁରୁଜନଙ୍କ ନିକଟରୁ ଆଶୀର୍ବାଦ ଗ୍ରହଣ କରିଥିଲେ। ବିଭିନ୍ନ ବର୍ଗରେ ପରମ୍ପରା ଅନୁସାରେ କୁରେଇ, ମହୁଲ, ପଲଶା, ଶାଳ ପତ୍ରରେ ନୂଆ ଖାଇଥାନ୍ତି। ନିଜର ଜମିରେ ଚଷା ପୁଅ ଖିର, ଅରୁଆ ଚାଉଳ ଓ ଫୁଲ ଦୁବ ଦେଇ ପୂଜା ମଧ୍ୟ କରିଥିଲେ। ପରମ୍ପରାକୁ ନଭୁଲି ନବାହ୍ନ ଭକ୍ଷଣ ପରେ ଗ୍ରାମର ପିଲା ଠାରୁ ବୁଢା ପର୍ଯ୍ୟନ୍ତ ନିଜ ବୟସ ଠାରୁ ଅଧିକ ବୟସ୍କ ବ୍ୟକ୍ତି ବିଶେଷଙ୍କ ପାଦଛୁଇଁ ଆଶୀର୍ବାଦ ମାଗିଥିଲେ।
Comments are closed.