ଡେଲାଙ୍ଗ ଶାଖା କେନାଲରେ ୩୦ଫୁଟ୍‍ର ଘାଇ, ଶହେ ଏକର ଜମି ଜଳମଗ୍ନ

ପିପିଲି: ପିପିଲି ଦେଇ ପ୍ରବାହିତ ଡେଲାଙ୍ଗ ଶାଖା କେନାଲରେ ୩୦ଫୁଟ୍‍ର ଘାଇ ସୃଷ୍ଟି ହୋଇଛି। ଫଳରେ ଏକଶହରୁ ଉର୍ଦ୍ଧ ଏକର ଚାଷଜମି ସଂପୂର୍ଣ୍ଣ ଜଳମଗ୍ନ ହୋଇଛି। ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଆରୁହା ଗ୍ରାମ ନିକଟରେ ଉକ୍ତ କେନାଲର ଦକ୍ଷିଣପାଶ୍ୱର୍ ବନ୍ଧ ଗତକାଲି ରାତିରେ ଭାଙ୍ଗି ଯିବା ସହ ସେଠାରେ ୩୦ଫୁଟ୍‍ ଲମ୍ବର ଘାଇ ସୃଷ୍ଟି ହୋଇଛି। ଏଥିଯୋଗୁଁ ଆରୁହା, ସିଉଳା, ଝିଙ୍କିରିମାଳ, ମାଟିଆପଡା ଓ ଗୋବିନ୍ଦପୁର ଆଦି ମୌଜାର ଏକଶହରୁ ଉର୍ଦ୍ଧ ଏକର ଜମି ଜଳମଗ୍ନ ହୋଇଛି। କେତେକ ଜମିରେ ୨ଫୁଟ୍‍ ଉଚ୍ଚରେ ଓ ଅନ୍ୟ କେତେକ ଜମିରେ ୩ଫୁଟ୍‍ ଉଚ୍ଚରେ କେନାଲ ଜଳ ପ୍ରବାହିତ ହେଉଥିବା ପରିଲକ୍ଷିତ ହୋଇଥିଲା। ଫଳରେ ଉକ୍ତ ଜମିର ଧାନ ଓ ପରିବା ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଅଭିଯୋଗ ପାଇବା ପରେ ଜଳସେଚନ ବିଭାଗ ପକ୍ଷରୁ ଉକ୍ତ କେନାଲରେ ଜଳଯୋଗାଣ ବନ୍ଦ କରାଯାଇଛି। ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ ବୁଧବାର ଅପରାହ୍ନରେ ଉକ୍ତ ଅଞ୍ଚଳ ଗସ୍ତ କରି କେନାଲ ବନ୍ଧ ମରାମତି ଓ କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ କରିଥିଲେ। ତେବେ ଯୁଦ୍ଧକାଳୀନ ଭିତ୍ତିରେ କେନାଲ ବନ୍ଧ ଘାଇର ମରାମତି କାର୍ଯ୍ୟ ଚାଲିଥିବା ସଂପର୍କରେ ଉତ୍ତରା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜିତୁକୃଷ୍ଣ ନନ୍ଦ ସୂଚନା ଦେଇଛନ୍ତି।

kalyan agarbati

Comments are closed.