ସେମେଲପଦର ଓ ବାଲାପଦର ଗାଁରେ ଝାଡ଼ାବାନ୍ତି ରୋଗ ବ୍ୟାପିବା ଘଟଣା, ୨୪ ଘଣ୍ଟା ପରେ ହସ୍ପିଟାଲରୁ ଫେରିଲା ମୃତଦେହ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା ଗ୍ରାମପଞ୍ଚାୟତର ସେମେଲପଦର ଓ ବାଲାପଦର ଗାଁରେ ସପ୍ତାହେରୁ ଅଧିକ ହେଲା ଝାଡ଼ାବାନ୍ତି ରୋଗ ଲାଗି ରହିଥିବାବେଳେ ଏଥିରେ ଦଶରୁ ଅଧିକ ଲୋକେ ଆକ୍ରାନ୍ତ ହୋଇ ସାରିଛନ୍ତି। ଏଥିରେ ପୂର୍ବରୁ ଜଣକର ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ଜଣକର ମୃତ୍ୟୁ ଘଟିଛି। ମୃତକ ଜଣକ ସେମେଲପଦର ଗାଁର ବେଣୁଧର ଗଉଡ଼। ଅତ୍ୟନ୍ତ ଦୁଃଖଦ ଘଟଣା କ୍ରମରେ ସପ୍ତାହେ ତଳେ ବେଣୁଧରଙ୍କୁ ଚିକିତ୍ସା ପାଇଁ ଖଟିଆରେ ବୋହି ନାଳ ପାରି କରିବା ସହିତ ଆମ୍ବୁଲାନ୍ସରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠୁ ସେ ଘରକୁ ଫେରିବା ସମୟରେ ଅଧା ରାସ୍ତାରେ ତାଙ୍କ ସ୍ତ୍ରୀ ଆସନ୍ତୀ ଗଉଡ଼ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ପୁଣି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସ୍ବାମୀ-ସ୍ତ୍ରୀ ଉଭୟ ଡାଇରିଆ ୱାର୍ଡରେ ଭର୍ତ୍ତି ହୋଇଥିବାବେଳେ ଗୁରୁତର ଭାବେ ବେଣୁଧରଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଦୀର୍ଘ ୨୪ ଘଣ୍ଟା ପରେ ବେଣୁଙ୍କ ଶବ ଉଠିଛି ! ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ପାହାଡ଼ପଦର ସମିତିସଭ୍ୟ ଜଗଦୀଶ ବେନିଆଁଙ୍କ ଉଦ୍ୟମ କ୍ରମେ ଆଜି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଶବ ଫେରିଛି। କଦମ୍ବଗୁଡ଼ା ସରପଞ୍ଚ ସନ୍ତୋଷ ମାଝୀ, ସମିତିସଭ୍ୟା ଚଞ୍ଚଳା ବେନିଆଁ ତଥା ସେମେଲପଦର ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଦାହସଂସ୍କାର କରାଯାଇଛି। ଅପରପକ୍ଷରେ ବେଣୁଧରଙ୍କ ସ୍ତ୍ରୀ ଆସନ୍ତୀ ଅତ୍ୟନ୍ତ ଗୁରୁତର ଭାବେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ସାଙ୍ଗରେ ଥିବା ସାତମାସର ଗୋଟେ ଛୁଆ ଉପରେ ଏବେ ବିପଦର ପାହାଡ଼ ଖସିପଡ଼ିଛି। ଏଣୁ ଆସନ୍ତୀଙ୍କୁ ଉଚ୍ଚତର ଚିକିତ୍ସା ସହିତ ଶିଶୁଟିର ଲାଳନପାଳନ ଦାୟିତ୍ବ ପ୍ରଶାସନ ବହନ କରିବାକୁ ଦାବି ହେଉଛି।

kalyan agarbati

Comments are closed.