ଗୋଚର ଜମିରୁ ଜବରଦଖଲ ଉଛେଦ ପାଇଁ ଗ୍ରାମବାସୀଙ୍କ ତହସିଲଦାରଙ୍କୁ ନିବେଦନ
ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ସହର ସ୍ଥିତ କାଳିପୂଜା ସାହିରେ ଥିବା ଗୋଚର ଜମିକୁ କିଛି ଲୋକ ବେଆଇନ ଭାବେ ଜବରଦଖଲ କରିଥିବା ଅଭିଯୋଗ କରି ନାହାଣାଗାଁ ଗ୍ରାମବାସୀ ଏହାକୁ ଉଛେଦ କରିବା ପାଇଁ ଫିରିଙ୍ଗିଆ ତହସିଲଦାରଙ୍କୁ ନିବେଦନ କରିଛନ୍ତି।
ସୂଚନା ଅନୁସାରେ ଏହି ଗୋଚର ଜମିରେ ଆବାହମାନ କାଳରୁ ନହଣାଗାଁ ସହ ଫିରିଙ୍ଗିଆ ସହରର ଅନ୍ୟକିଛି ସାହିର ଲୋକେ ଗୋରୁଗାଈ ଚରାଇବା ପାଇଁ ବ୍ୟବହାର କରିଆସୁଛନ୍ତି। ସେହି ଗୋଚର ଜମିକୁ କିଛି ଲୋକ ଜବରଦଖଲ କରି ଏଠାରେ ଗାଡ଼ି ଗ୍ୟାରେଜ,ଛେଳି ଗୁହାଳ, କରିଥିବାବେଳେ ବାଲି,ଗୋଡ଼ି,ରଖି ବ୍ୟବସାୟ କରି ଜାଗାକୁ ଅକ୍ତିଆର କରିଥିବାରୁ ନାହାଣା ଗାଁ ଓ ଉପରପଡା ଗ୍ରାମର ଗୋରୁଗାଈ ଚରିବାପାଇଁ ଅସୁବିଧା ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ତେଣୁ ଏହାକୁ ଉଛେଦ କରିବା ପାଇଁ ଗ୍ରାମର ୱାର୍ଡ ସଦସ୍ୟ ରାଜ କିଶୋର ପ୍ରଧାନ, ଅକ୍ଷୟ କର୍ଣ୍ଣ, ମାର୍କଣ୍ଡ ପାତ୍ର, ସୁବେ ଦିଗାଲ, ଟୁକୁନା ପ୍ରଧାନ, ପବିତ୍ର କହଁର, ହେମନ୍ତ ମହାକୁଡ଼, ନଟବର ପ୍ରଧାନ, ମାନଗୋବିନ୍ଦ ଦିଗାଲ, ଅଶୋକ କୁମାର ସାହୁଙ୍କ ସମେତ ଗ୍ରାମର ଶତାଧିକ ଲୋକ ତହସିଲ କାର୍ୟ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି। ଏହାକୁ ଉଛେଦ ନ କଲେ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Comments are closed.