www.samajalive.in
Monday, December 15, 2025
27.1 C
Bhubaneswar

ଡେପୁଟି କଲେକ୍ଟର ପତ୍ନୀଙ୍କ ନାଁରେ ରେସନକାର୍ଡ

ମାଲକାନଗିରି: ନିୟମ ଉଲ୍ଲଂଘନର ସୀମା ଟପିଛନ୍ତି ଜଣେ ସରକାରୀ ବାବୁ । ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ବାବୁଜଣକ ନିଜ ପତ୍ନୀଙ୍କ ନାମରେ ରେସନକାର୍ଡ଼ କରି ଘରଡ଼ିହ ଖଜଣା କମାଇବା ପାଇଁ ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ସରକାରଙ୍କ ଏହି ଉଚ୍ଚପଦସ୍ଥ ଅଧିକାରୀଙ୍କ ଏଭଳି କାରନାମାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ପୌର ପରିଷଦରେ ଖଜଣା ଫାଙ୍କିବା ପାଇଁ ସେ ଏଭଳି ତଞ୍ଚକତା କରିଥିବା ଅଭିଯୋଗ ହୋଇଛି । ରାସନକାର୍ଡ଼ ପ୍ରସ୍ତୁତ କରୁଥିବା କର୍ମଚାରୀ ଏହି ଚଞ୍ଚକତାର ସୁରାକ ପାଇଲେ ନାହିଁ ନା ଅଧିକାରୀଙ୍କ ଚାପରେ ଏଭଳି ମିଥ୍ୟା କାର୍ଡ଼ କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଘଟଣାରୁ ପ୍ରକାଶ ଯେ, ମାଲକାନଗିରି ଜିଲାପାଳଙ୍କ କାର୍ଯ୍ୟାଳୟର ଜରୁରୀକାଳୀନ ଅଧିକାରୀ ଥିବା ଡେପୁଟି କଲେକ୍ଟର ଲଲିତ ମଣ୍ଡଙ୍କ ସ୍ତ୍ରୀଙ୍କ ନାମରେ ଏହି ରାସନକାର୍ଡ଼ଟି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ପୌରପାଳିକା ଜମି ଅଧିକାର ଆଇନ ବଳରେ ଜମିପଟ୍ଟା ପ୍ରଦାନ ପାଇଁ ଏହି ରାସନକାର୍ଡକୁ ବ୍ୟବହାର କରି ସରକାରଙ୍କ ଖଜଣା ଫାଙ୍କୁଥିବା ଜଣାପଡିଛି । ଏଠାରେ ପ୍ରକାଶଥାଉକି ଦୀର୍ଘବର୍ଷ ଧରି ଯେଉଁ ଲୋକେ ସରକାରୀ ଜାଗାରେ ରହି ଆସୁଛନ୍ତି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ପୌରପାଳିକା ଜମି ଅଧିକାର ଆଇନ ବଳର ଜମିପଟ୍ଟା ପ୍ରଦାନ କରାଯିବ। ତେବେ ଏହି ପଟ୍ଟା ପାଇଁ ରାସନକାର୍ଡ଼ଧାରୀ ପ୍ରାୟ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବାବେଳେ ଆର୍ଥିକ ସ୍ବଚ୍ଛଳ ଲୋକଙ୍କୁ ଏହି ପ୍ରମାଣପତ୍ର ପାଇଁ ପ୍ରାୟ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡ଼ିବ।

ମାଲକାନଗିରି ପୌର ପରିଷଦରେ ମଧ୍ୟ ଏହି ନିୟମ ଅନୁଯାୟୀ ଅନେକ ଲୋକେ ପଟ୍ଟା ପାଇଛନ୍ତି। ଅଧିକ ଖଜଣା ଦେବାରୁ ବର୍ତ୍ତିବା ପାଇଁ ଲଳିତ ମଣ୍ଡଳଙ୍କ ସ୍ତ୍ରୀ ବିନୋତାରାଣୀ ମଣ୍ଡଳଙ୍କ ନାମରେ ରାସନକାର୍ଡ଼ କରାଇ ସେ ନଥିପତ୍ର ମାଧ୍ୟମରେ ନିଜ ଅଧୀନରେ ଥିବା ସରକାରୀ ଜାଗାର ପୌରପାଳିକା ଜମି ଅଧିକାର ପ୍ରମାଣପତ୍ର ବା ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ରାସନକାର୍ଡ଼ରେ ସ୍ବାମୀଙ୍କ ନାମ ରହିବା ନିୟମ ଥିବାବେଳେ ସେଠାରେ ତାଙ୍କ ପିତାଙ୍କ ନାମ ବିମଲ ମଣ୍ଡଲ ବୋଲି ରହିଛି। କାର୍ଡ ନମ୍ବର ୨୧୦୯୧୩୧୧୪୦୦ରେ ଏହା ଉଲ୍ଲେଖ ରହିଛି। ଆବେଦନ ପରେ କାର୍ଡ଼ ଥିବାରୁ ତାଙ୍କୁ ସ୍ୱଳ୍ପ ଖଜଣାରେ ସେହି ପ୍ରମାଣପତ୍ର ମିଳିଯାଇଥିବାବେଳେ ଜଣେ ଡେପୁଟି କଲେକ୍ଟରଙ୍କ ସ୍ତ୍ରୀଙ୍କ ନାମରେ କିଭଳି ରୂପେ କାର୍ଡ ହେଲା ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ଏ ସମ୍ପର୍କରେ ମାଲକାନଗିରି ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ଯେ, ସହକାରୀ ଜିଲାପାଳଙ୍କ ପତ୍ନୀ ଶ୍ରୀମତୀ ମଣ୍ଡଳଙ୍କ ନାମରେ ଜାରି ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଉଛି। ମାଲକାନଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ସାଧାରଣ ଲୋକେ ଯେଉଁମାନେ ରାସନ କାର୍ଡ ପାଇବାକୁ ଯୋଗ୍ୟ ସେମାନେ କାର୍ଡ ଖଣ୍ଡେ ପାଇବା ପାଇଁ ନାକେଦମ ହେଉଥିବାବେଳେ ଜଣେ ସରକାରୀ ବାବୁ କିଭଳି ନିଜ କ୍ଷମତାର ଅପବ୍ୟବହାର କରି ଏଭଳି କାର୍ଡ ପ୍ରସ୍ତୁତ କରିଛନ୍ତି ତାହା ତଦନ୍ତ ସାପେକ୍ଷ । ଅନ୍ୟପକ୍ଷରେ ଏ ନେଇ ସମ୍ପୃକ୍ତ ଅଧିକାରୀଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା ସତ୍ତ୍ବେ ତାହା ମିଳିପାରିନାହିଁ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories