ଅନେକାନ୍ତବାଦ ଓ ବିବିଧତାର ମହୋତ୍ସବ
ବିବିଧତା ଭାରତୀୟ ଦର୍ଶନର ଅନ୍ତରୀଣ ଉପଜ। ଭାରତୀୟ ସଭ୍ୟତାର ଆରମ୍ଭରୁ ଏ ଜାତି ବିଭିନ୍ନ ଧର୍ମ, ଗୋଷ୍ଠୀ, ସଂପ୍ରଦାୟ, ଭାଷା ଆଦିର ବିଭିନ୍ନତାକୁ ନେଇ ଗର୍ବିତ। ଭାରତ ବାହାରୁ ଅନେକ ବାହ୍ୟଗୋଷ୍ଠୀ ଭାରତକୁ ପ୍ରଦେଶ କରିଛନ୍ତି। ସେମାନେ ତାଙ୍କ ସହ ନେଇଆସିଛନ୍ତି ସଂସ୍କୃତି, ଆଚାର, ବିଚାର, ଧର୍ମ, କଳା, ବ୍ୟବହାର ତଥା ବଞ୍ଚିବାର ଭିନ୍ନ ଦୃଷ୍ଟିଭଙ୍ଗୀ। ସମୟକ୍ରମେ ସମସ୍ତେ ଭାରତୀୟ ଅସ୍ମିତାରେ ନିଜକୁ ବିଲୀନ କରି ମହାଭାରତୀୟ ଭାରତୀୟ ଜାତୀୟ ସ୍ରୋତରେ ନିଜକୁ ବିସର୍ଜିତ କରିଛନ୍ତି। ଭାରତରେ ବସବାସ କରୁଥିବା ଆଦିମ ଜନଜାତି ମଧ୍ୟ ନିଜର ବିବିଧତାକୁ ନେଇ ବଞ୍ଚିଛନ୍ତି। ଭାରତର ସଂସ୍କୃତି ଏଥିପାଇଁ ପାଲଟିଛି ସଙ୍ଗମ ସଂସ୍କୃତି, ସୌହାର୍ଦ୍ୟର ସଂସ୍କୃତି- ସଙ୍ଗଛତ୍ବ, ସମ୍ବବତ୍ବର ସଂସ୍କୃତି। ରୂପ ଭିତରେ ଅରୂପ, ଅରୂପ ଭିତରେ ବହୁରୂପ, ବହୁରୂପ ଭିତରେ ପ୍ରତିରୂପ ଓ ପ୍ରତିରୂପ ଭିତରେ ସ୍ବରୂପର ଦର୍ଶନ ଭାରତୀୟ ସଂସ୍କୃତି। ଭାରତୀୟ ଜନଜୀବନରେ ବିବିଧତା କେବଳ ତାତ୍ତ୍ବିକ ନୁହେଁ ବରଂ ପ୍ରାୟୋଗିକ। ଏଠି ଈଶ୍ବରବାଦୀ, ନାସ୍ତିକ, କର୍ମକାଣ୍ଡ, ବେଦାନ୍ତ, ମୀମାଂସା, ନ୍ୟାୟାୟିକ, ବୈଶେଷିକ, ଜୈନ, ବୁଦ୍ଧ, ମହିମାଧର୍ମ ଆଦି ଅନେକ ସଂପ୍ରଦାୟ ବସବାସ କରନ୍ତି। ଭାଷା ଓ ସଂସ୍କୃତିର ଭିନ୍ନତା ଓ ସ୍ବାତନ୍ତ୍ର୍ୟତା ସବୁକୁ ଭାରତ ତା’ର ବିଶାଳ, ଉଦାର ଗର୍ଭରେ ସମାବିଷ୍ଟ କରିଛି। ବୈଦିକ ମନ୍ତ୍ରଠାରୁ ଆରମ୍ଭ କରି ଜନଜାତିର ଲୋକଗୀତ ପର୍ଯ୍ୟନ୍ତ ସବୁ ଭାରତ ପାଇଁ ସମାନ ଗୁରୁତ୍ବ ରଖେ।
ବେଦର ସମାନମନ୍ତ୍ରଠାରୁ ଆରମ୍ଭ କରି ଅଥର୍ବବେଦର ଭୂମିସୂକ୍ତ (ଜନଂ ବିଭତ୍ରୀ ବହୁଧା ବିଭାଚସଂ,ନାନା ଧର୍ମାଣାଂ ପୃଥିବୀ ବଚୋକସମ୍ ଅର୍ଥାତ୍ ଏହି ପୃଥିବୀ/ଭୂମି ବିବିଧତାର ଗନ୍ତାଘର ଯେଉଁଠି ଭାଷା, ଧର୍ମ ସମସ୍ତେ ବିବିଧ କିନ୍ତୁ ଏକତ୍ର ବାସ କରନ୍ତି।) ପର୍ଯ୍ୟନ୍ତ, ଭକ୍ତି, ସୁଫି ସନ୍ତକ ସମରସତାଠାରୁ ଆରମ୍ଭ କରି ଫୁଲେ ଆମ୍ବେଦକର ଓ ନାରାୟଣ ଗୁରୁଙ୍କ ପର୍ଯ୍ୟନ୍ତ, ଅଶୋକ, ଆକବର, ଦାରାଶିଖୋ ଆଦିଙ୍କ ଠାରୁ ସମ୍ବିଧାନର ନୀତି ପର୍ଯ୍ୟନ୍ତ ସବୁଠି ଭାରତୀୟ ବିବିଧତାର ଜୟଗାନ। ଶବରୀର ଶ୍ରଦ୍ଧାର ଚଖାଫଳ ଖାଇଥିବା ଏ ସଂସ୍କୃତି- ବିବିଧତା ଭିତରେ ଏକାତ୍ମ ସାଧନର ଅନ୍ୟତମ ଜ୍ବଳନ୍ତ ଉଦାହରଣ।
ଭାରତୀୟ ବିବିଧତାର ଦର୍ଶନରେ ଅନ୍ୟତମ ମହତୀ ସଂଯୋଗ ହେଲା ଜୈନ ଦର୍ଶନର ପ୍ରସିଦ୍ଧ ତତ୍ତ୍ବ ‘ଅନେକାନ୍ତବାଦ’। ଅନେକାନ୍ତବାଦର ମୂଳତତ୍ତ୍ବ ହେଲା ଏକୈକ ବିଚାରକୁ ସତ୍ୟବୋଲି ନମାନି ବିବିଧ ବିଷୟକୁ ଜ୍ଞାନ ଓ ସତ୍ୟର ପରୀକ୍ଷଣ ପାଇଁ ପ୍ରୟୋଗ କରିବା। ଏହା ମତବ୍ୟକ୍ତ କରେ ଯେ, କୌଣସି ମତ ସଂପୂର୍ଣ୍ଣ ଓ ସାର୍ବଜନୀନ ସତ୍ୟବୋଲି ଗୃହୀତ ହୋଇପାରେନାହିଁ। ସତ୍ୟର ବିବିଧ ରୂପ। ଜ୍ଞାନର ବହୁରଙ୍ଗୀ ଆଭା। ସତ୍ୟର ଭିନ୍ନଭିନ୍ନ ଦିଗ ରହିଛି। କୌଣସି ବିଷୟକୁ ଗୋଟାପଣେ ସତ୍ୟବୋଲି ମାନିବା ଅର୍ଥ ତା’ର ଅନ୍ୟ ଦିଗକୁ ଅନ୍ଧାରରେ ରଖିବା। ସାର୍ବଜନୀନ, ସାର୍ବକାଳୀକ ସତ୍ୟବୋଲି କିଛି ନାହିଁ। ଅର୍ଥାତ୍ ସତ୍ୟ ସ୍ଥାନ, କାଳ, ପାତ୍ର, ଦ୍ରବ୍ୟ ଓ ଭାବରୁ ଭିନ୍ନଭିନ୍ନ ପ୍ରତୀତ ହୋଇଥାଏ। ତେଣୁ ଯାହାକୁ ଆମେ ସତ୍ୟବୋଲି ଭାବୁ ତାହା ଅଂାଶିକ ଓ ଅର୍ଦ୍ଧସତ୍ୟ। ଫୁଲକୁ କେବଳ ଫୁଲବୋଲି ଭାବିଲେ ତା’ର ଅନେକ ଗୁଣ ଉହ୍ୟ ରହିଗଲା ପରି ବିଷୟକୁ ଆମେ ବିଭିନ୍ନ ଦୃଷ୍ଟିକୋଣରୁ ଦେଖିପାରିବା। ଫୁଲ ଜଣକ ପାଇଁ ପୂଜା ଓ ଅର୍ଘ୍ୟ, ମଧୁମକ୍ଷିକା ପାଇଁ ପ୍ରେମ, ଦାର୍ଶନିକ ପାଇଁ ସୌନ୍ଦର୍ଯ୍ୟ, ମାଳୀ ପାଇଁ ଆସ୍ଥା ଆଦି ଅନେକ ବିଷୟ ହୋଇପାରେ। ଫୁଲ ଫଳର ବିବର୍ତ୍ତନ ହୋଇପାରେ, ସୁଗନ୍ଧର ପରିଚାୟକ ହୋଇପରେ ପୁଣି ମହୁ ଦେଉଥିବା ଅମୃତ ହୋଇପାରେ। କେଉଁ ଗୋଟିଏ ଦୃଷ୍ଟିରୁ ଫୁଲକୁ ଦେଖିଲେ, ଅନ୍ୟ ଦୃଷ୍ଟିଟି ଉହ୍ୟ ରହିଯାଉଛି। ଏ ଉହ୍ୟ ରହୁଥିବା ବିଷୟ ବି ସତ୍ୟ। ତେଣୁ ଫୁଲ ବିଷୟରେ କୌଣସି ଏକ ଅବଧାରିତ ସତ୍ୟ ଯେ ସ୍ବୟଂସଂପୂର୍ଣ୍ଣ ଏହା କୁହାଯାଇ ନପାରେ।
ଜୈନ ଅନେକାନ୍ତବାଦ ତେଣୁ ବିଚାରର ଚରମତାକୁ ନାପସନ୍ଦ କରେ। ଏହା ମତରେ ବିଷୟ ଭିତରେ ଅମାପ ଓ ଅସୀମ ସମ୍ଭାବନା ଓ ସବୁ ସମ୍ଭାବନା ଜ୍ଞାନ ପାଇଁ ପ୍ରଯୁଯ୍ୟ। ଅନେକାନ୍ତବାଦର ମୂଳ କଥା ହେଲା ‘ଆପେକ୍ଷିକ ବିବିଧତା’ କୁ ଗୁରୁତ୍ବ ଦେବା। ହୋଇପାରେ, ସମ୍ଭବତଃ ଆଦି ମାଧ୍ୟମରେ ଜ୍ଞାନ ଓ ସତ୍ୟର ବିବିଧତାକୁ ଉନ୍ମୋଚନ କରିବାକୁ ଅନେକାନ୍ତବାଦ ଆହ୍ବାନ ଦିଏ। ଜୈନ ଧର୍ମର ଅନେକାନ୍ତବାଦ ତତ୍ତ୍ବ ତେଣୁ ଉପନିଷଦର ଏକବ୍ରହ୍ମ ସତ୍ୟ ଓ ବୁଦ୍ଧଦର୍ଶନର ବିବିଧତାର ସଂପୂର୍ଣ୍ଣତାର ପୁନଃମୂଲ୍ୟାୟନ କରେ। କୌଣସି ଜ୍ଞାନ ଚିରନ୍ତନ ନୁହେଁ, ଶ୍ରେଷ୍ଠ ନୁହେଁ, ପରମ ନୁହେଁ; ଅନେକାନ୍ତବାଦ ମତରେ ଏହା ବହୁବିଧ ଦୃଷ୍ଟିକୋଣର ସାମୟିକ ମୂଲ୍ୟାଙ୍କନ ମାତ୍ର। ଅନେକାନ୍ତବାଦ ବିଶ୍ବାସ କରେ ଯେ, ଗୋଟିଏ ବିଷୟ ଏକା ସମୟରେ ଭିନ୍ନ ଓ ଅଭିନ୍ନ, ସତ୍ୟ ଓ ଅସତ୍ୟ ହୋଇପାରେ। ଉପନିଷଦର ଅନ୍ୟତମ ଋଷି ଶ୍ବେତକେନ୍ଦୁ (ଆରୁଣିଙ୍କ ପୁତ୍ର ଯାହାଙ୍କୁ ଉଦ୍ଦାଳକ ବୋଲି ମଧ୍ୟ ଆମେ ଜାଣୁ ଶୁଭଚଳାଙ୍କୁ ବିବାହା କରିଥିଲେ। ଶୁଭଚଳା ତାଙ୍କ ବିବାହ ପାଇଁ ଗୋଟିଏ ସର୍ତ୍ତ ରଖିଥିଲେ ଯେ ଯିଏ ଏକାଧାରରେ ଅନ୍ଧ ହୋଇଥିବ ଓ ଅନ୍ଧ ହୋଇ ନଥିବ ତାଙ୍କୁ ହିଁ ବିବାହ କରିବେ। ଶ୍ବେତକେତୁ ତାଙ୍କ ଉତ୍ତରରେ ଆଖିଥାଇ ମଧ୍ୟ ଦେଖିପାରୁନଥିବା ବିଷୟ ଓ ଦେଖୁଥିବା ସଚେତନ ବିଷୟର ଅବତାରଣା କରିିଥିଲେ ଏବଂ ଶୁଭଚଳା ଓ ଶ୍ବେତକେତୁଙ୍କ ବିବାହ ସଂପନ୍ନ ହୋଇଥିଲା। ଅନେକାନ୍ତବାଦୀ ଏହି ଦ୍ବନ୍ଦ୍ବାତ୍ମକ ତତ୍ତ୍ବ ଓ ତଥ୍ୟର ସାଧୁ ସମନ୍ବୟ କରେ।
ଏ ଦୃଷ୍ଟିରୁ ଦେଖିଲେ ଜୈନ ଦର୍ଶନର ଏ ତତ୍ତ୍ବ ସାମାଜିକ ସମାନତା ଓ ସଦ୍ଭାବନାର କଥା କୁହେ, ଯେଉଁଠି ସବୁ ଧର୍ମ, ପନ୍ଥ ସମାନ ଓ ସତ୍ୟର ଅନ୍ବେଷଣ େବାଲି ବିଚାର କରାଯାଏ। ଅନେକାନ୍ତବାଦ ବସ୍ତୁ ଭିତରେ ଥିବା ଅସୀମ ଗୁଣର ସମହାରକୁ ତ ସ୍ବୀକାର କରେ ଓ ସବୁ ଦିଗରୁ ତର୍ଜମା ପାଇଁ ପ୍ରସ୍ତୁତ କରେ। ‘ଅନନ୍ତଧର୍ମାତ୍ମକାମବସ୍ତୁ’ ଏହି ବିନ୍ଦୁ ଭିତରେ ସିନ୍ଧୁର ସନ୍ଧାନ ପାଇଁ ପ୍ରେରଣା ଦିଏ। ଅର୍ଥାତ୍ ବିଷୟକୁ ଆଲୋଚନା କଲାବେଳେ ଆମକୁ ବହୁ ଦିଗରୁ ତାକୁ ଦେଖିବାକୁ ପଡ଼ିବ, ଏହା ଅନେକାନ୍ତବାଦର ଦର୍ଶନ; ଯେମିତି କୌଣସି ଦିଗ ଅନାଲୋଚିତ, ଅନାଲୋକିତ ହୋଇ ରହିନଯାଉ। ଅନେକାନ୍ତବାଦକୁ ତାତ୍ତ୍ବିକ ପୃଷ୍ଠଭୂମି ଦେଇଥାଏ। ଏହାର ‘ନୟ’ ଓ ‘ସ୍ୟାତ୍’ ତତ୍ତ୍ବ। ନୟ ଅର୍ଥାତ୍ ବିଚାର, ଦୃଷ୍ଟିକୋଣ, ଆଂଶିକ ବିଚାର। ‘ସ୍ୟାତ୍’ ଅର୍ଥ ସମ୍ଭବତଃ, ହୋଇପାରେ, ଲାଗୁଛି ଆଦି ଅର୍ଥରେ ବ୍ୟବହାର କରାଯାଇପାରେ। ପିଆଜ ପାଖୁଡ଼ାପରି ନୟ ବିଶ୍ବାସ କରେ ଯେ ସତ୍ୟର ବହୁବିଧ ବିଚାର ଓ ଆବରଣ। ଏହାକୁ ଜାଣିବାର ଓ ଭେଦ କରିବାର ଦୃଷ୍ଟିକୋଣ ମଧ୍ୟ ବିବିଧ। ତେଣୁ ନୟ ବା ଦୃଷ୍ଟିକୋଣକୁ ଜୈନତତ୍ତ୍ବରେ ଦ୍ରବ୍ୟମୟ (ବସ୍ତୁର ଗୁଣ ଓ କର୍ମର ଭିନ୍ନତା) ଓ ପର୍ଯ୍ୟାୟ ନାୟ। (ବସ୍ତୁର ସ୍ବାତନ୍ତ୍ର୍ୟ ଓ ଅଭିନ୍ନ ଅଂଶ) ଯୁକ୍ତିରେ ବିଷୟକୁ ଦେଖିବାକୁ ପଡ଼େ। ଦୃଷ୍ଟିକୋଣ ଠିକ୍ ରହୁ ସେଥିପାଇଁ ପରଖିବା ସକାଶେ ଆହୁରି ସାତୋଟି ନୟର ଅବତାରଣା କରାଯାଇଛି।
ନୈଗମ (ସାଧାରଣ ବିଷୟ ଓ ସାର୍ବଜନୀତ ସତ୍ୟ), ସଂଗ୍ରହ (ସମଷ୍ଟିଗତ ଓ ଗୋଷ୍ଠୀ ସାଂସ୍କୃତିକ ବିଷୟ ବା ଅବତାରଣା), ବ୍ୟବହାର ନୟ (ବ୍ୟବହାର ଓ ପ୍ରୟୋଗଶୈଳୀକୁ ନେଇ) ରୁଜୁସୂତ୍ର (ସ୍ଥାନ, କାଳ ଓ ପାତ୍ର ବିଶେଷରେ ବର୍ତ୍ତମାନ, ଅତୀତ ଓ ଭବିଷ୍ୟତକୁ ନେଇ), ଶବ୍ଦ (ଯେଉଁ ବାଚିକ ଶବ୍ଦରେ ଏହା ଜ୍ଞାତ), ସମ୍ବିରୁଦ୍ଧ(ଶବ୍ଦତାତ୍ତ୍ବିକ ଦୃଷ୍ଟିରୁ ତା’ର ଅନ୍ତର୍ହିତ ଗୁଣ, କାର୍ଯ୍ୟ ଓ ପ୍ରୟୋଗ) ଓ ଏକଭୂତ(ନିର୍ଦିଷ୍ଟ ସମୟରେ ନିର୍ଦିଷ୍ଟ ପ୍ରୟୋଗ) ଆଦି। ଏ ନୟ ସବୁ ବସ୍ତୁର ବିସ୍ତାର ଓ ଜ୍ଞାନର ଦିଗବଳୟ ପ୍ରସାରିତ ପାଇଁ ସହାୟକ ହୁଅନ୍ତି। ସତ୍ୟ ଓ ଜ୍ଞାନର ଭିିତରକୁ ପଶିବାପାଇଁ ଜୈନ ‘ସ୍ୟାତ୍’ ଦେଇ ଗତିକରିବାକୁ ପଡେ। (ସ୍ୟାତ୍) ଅନେକାନ୍ତବାଦର ଅନ୍ୟତମ ମୂଳଭୂତ ପ୍ରକରଣ। ବିଷୟକୁ ସତ୍ୟ ବୋଲି ମାନି ନନେଇ ସ୍ୟାତ୍ (ହୋଇପାରେ) ବା ସମ୍ଭବତଃ ଅର୍ଥରେ ତା’ର ପରୀକ୍ଷଣ କରାଯାଇପାରେ। ତେଣୁ ନୟକୁ ସ୍ୟାତ୍ର ପରୀକ୍ଷଣରେ ଉତ୍ତୀର୍ଣ୍ଣ ହେବାକୁ ପଡେ। ଅର୍ଥାତ୍ ଆମର ମତ, ବିଚାର, ଭାବନା ସ୍ୟାତ୍ ପରୀକ୍ଷାର ଅବଲମ୍ବନରୁ ସିଦ୍ଧ ହୋଇଥାଏ। ଭାରତୀୟ ଦର୍ଶନ ଶାସ୍ତ୍ରର ଅନ୍ୟତମ ମୁଖ୍ୟ ପ୍ରବକ୍ତା ସୁରେନ୍ଦ୍ରନାଥ ଦାସଗୁପ୍ତା ଏହି ‘ସ୍ୟାତ୍) ଦର୍ଶନକୁ ଜୈନଧର୍ମର ଅତି ଭୌତିକ ବିଦ୍ୟାର ଓ ପରର ଆତ୍ମା ବୋଲି ବିଚାର କରନ୍ତି। ସେ ଜୈନଦାର୍ଶନିକ ଉଦ୍ରବାହୁ, ଉମାସ୍ବତି, ସାମନ୍ତଉଦ୍ର ଓ ମାଳିସେନଙ୍କ ‘ସ୍ୟାତ୍’ ତତ୍ତ୍ବ ଆଧାରରେ ଏହାକୁ ସାତୋଟି ସ୍ତରରେ ବିଭକ୍ତ କରନ୍ତି;
(୧) ସ୍ୟାଦସ୍ତି- ହଁ।, ଗୋଟେ ପ୍ରକାରେ ଏହା ସତ। (୨) ସ୍ୟାନସ୍ତି- ନା, ଗୋଟେ ପ୍ରକାର ଏହା ସତ ହୋଇନପାରେ। (୩) ସ୍ୟାଦସ୍ତି- ସ୍ୟାନସ୍ତି- ଏହା ଗୋଟେ ଦୃଷ୍ଟି ହଁ ମଧ୍ୟ ନା ମଧ୍ୟ (୪) ସ୍ୟାଦ ଅବକ୍ରବ୍ୟ- ଏହା କିଛି ଗୋଟେ ନିଶ୍ଚୟ କିନ୍ତୁ ଅବର୍ଣ୍ଣନୀୟ (୫) ସ୍ୟାଦସ୍ତି ଚ ଅବକ୍ରବ୍ୟଶ୍ଚ- ଏହା ଗୋଟେ ଦୃଷ୍ଟିରୁ ହଁ ଓ ଅବର୍ଣ୍ଣନୀୟ (୬) ସ୍ୟାନସ୍ତି ଚ ସ୍ୟାଦବକ୍ରବ୍ୟଶ୍ଚ- ଏହା ଗୋଟେ ଦୃଷ୍ଟିରୁ ନୁହେଁ ଓ ଅବର୍ଣ୍ଣନୀୟ (୭) ସ୍ୟାଦସ୍ତି ସ୍ୟାଦସ୍ତି ସ୍ୟାଦବକ୍ରବ୍ୟଶ୍ଚ- ଏହା ଗୋଟିଏ ଦୃଷ୍ଟିରୁ ହୋଇପାରେ ନ ବି ହୋଇପାରେ ଓ କୁହାଯାଇ ନ ପାରେ।
ଏହାର ତାତ୍ପର୍ଯ୍ୟ ସବୁ ବିଷୟ କୌଣସିି ନା କୌଣସି ଦୃଷ୍ଟିରୁ ସତ୍ୟ ଓ ଅନ୍ୟ ଦୃୃଷ୍ଟିରୁ ଅସତ୍ୟ ହୋଇପାରେ। ଉଭୟ ସତ୍ୟ ହୋଇପାରେ, ମିଥ୍ୟା ହୋଇପାରେ, ଅକୁହା ରହିଯାଇପାରେ। ତେଣୁ ଜୈନତତ୍ତ୍ବ ବିଷୟକୁ ଭିନ୍ନ ଭିନ୍ନ ଦୃଷ୍ଟିରୁ ତର୍ଜମା କରିବାକୁ ଖୋରାକ୍ ଯୋଗାଉଥିବା ପ୍ରାୟୋଗିକ ଜୀବନ ଦର୍ଶନ। ବସ୍ତୁ, ବ୍ୟକ୍ତି, ମତ, ସତ୍ୟ ଓ ଜ୍ଞାନକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ତଉଲୁଥିବା ଦର୍ଶନ ଅନେକାନ୍ତବାଦ।
ଅନେକାନ୍ତବାଦ ଭାରତୀୟ ଦାର୍ଶନିକ ଅବବୋଧର ଏକ ସଂବର୍ତ୍ତ ସଂଯୋଗ। ଯଦିଓ ଜୈନ ଅନେକାନ୍ତବାଦ ପୂର୍ବରୁ ସନ୍ଦେହବାଦୀ, ହେତୁବାଦୀ, ଇନ୍ଦ୍ରିୟବାଦୀ ଓ Agnostic (ମଣିଷର ସୀମିତତା ଓ ଈଶ୍ବରଙ୍କ ଅସ୍ତିତ୍ବକୁ ପ୍ରମାଣ ସାପେକ୍ଷ ନୁହେଁ) ଓ ସୁୁଖବାଦୀ ଦର୍ଶନ ଥିଲା; କିନ୍ତୁ ଅନେକାନ୍ତବାଦ ସବୁକୁ ଭିନ୍ନ ଓ ସମନ୍ବୟର ବିଚାରରେ ଏ ବବିଧତାକୁ ଆପଣାଇ ନେଲା। ସବୁକୁ ମର୍ଯ୍ୟାଦାବନ୍ତ କଲା। ଭାରତ ପରି ଏକ ବିବିଧତାର ସଂଗ୍ରହାଳୟରେ ଅନେକାନ୍ତବାଦ ଦିଗବାରେଣୀ। ଭିନ୍ନତାକୁ ବୁଝିବା ପାଇଁ, ଅନ୍ୟକୁ ଆତ୍ମିକ ଦୃଷ୍ଟିରେ ଦେଖିବା ପାଇଁ ଅନେକାନ୍ତବାଦ ଏକ ପ୍ରେରଣା। ଅନେକାନ୍ତବାଦ ସମନ୍ବୟଧର୍ମୀ, ଚେତନାର ପ୍ରତୀକ ଓ ପ୍ରତିଭୂ। ଏହା ସଗୁଣ-ନିର୍ଗୁଣ, ଈଶ୍ବର-ନୀରିଶ୍ବର, ଆସ୍ତିକ-ନାସ୍ତିକ, ଶବ୍ଦ- ଅର୍ଥ, ହିନ୍ଦୁ-ଅଣହିନ୍ଦୁ, ମୁଁ-ତୁ, ଆମେ-ସେମାନେ, ଉଚ୍ଚ-ନୀଚ୍ଚ, ବ୍ରାହ୍ମଣ- ଶୁଦ୍ର ଆଦି ଦ୍ବନ୍ଦ୍ବ ଓ ଦ୍ବିଅଂଶକ ବର୍ଗର ସଂକୀର୍ଣ୍ଣତାରୁ ଉପରକୁ ଉଠିବାର ବଜ୍ରଘୋଷ। ସତ୍ୟ ଯେହେତୁ ବହୁବିଧ କୌଣସି ବିଷୟକୁ ସୀମିତ ଚକ୍ଷୁରେ ନ ଦେଖି ସାମଗ୍ରିକତାରେ ଦେଖିବାକୁ ଏହା ପ୍ରେରିତ କରେ।ଆଚାର୍ଯ୍ୟ ମହାପ୍ରାଜ୍ଞ ଅନେକନ୍ତବାଦର ଉଦାହରଣ ଦେବାକୁ ଯାଇ ଭଗବାନ ମହାବୀର ଓ ସୋମିଲାଙ୍କ ସଂଳାପର ଅବତାରଣା କରିଛନ୍ତି। ସୋମିଲା ଯେତେବେଳେ ଭଗବାନ ମହାବୀରଙ୍କୁ ପ୍ରଶ୍ନକଲେ ଯେ, ହେ ଈଶ୍ବର, ତୁମେ ଏକ ନା ଅନେକ?
ମହାବୀର ଉତ୍ତର ଦେଲେ, ‘ମୁଁ ପଦାର୍ଥ ବା ଉପାଦାନ ଦୃଷ୍ଟିରୁ ଏକ, ଜ୍ଞାନ ଓ ପ୍ରଜ୍ଞାଦୃଷ୍ଟିରୁ ଦୁଇ. ଉପଦାନର ଅଂଶ ଦୃଷ୍ଟିରୁ ମୁଁ ଅଗଣନ, ଚିରନ୍ତନ ଓ ଅପରିବର୍ତ୍ତନୀୟ। ମୁଁ ବିବର୍ତ୍ତିତ ଚେତନା ଦୃଷ୍ଟିରୁ ବହୁରୂପ।’ ଜୈନ ଦର୍ଶନର ଅନେକାନ୍ତବାଦ ମଣିଷକୁ କୌଣସି ଗୋଟିଏ ବିନ୍ଦୁରେ ଅଟକିଯିବାକୁ ଦିଏ ନାହିଁ, ତାକୁ ଗତିଶୀଳ, ସଂଚରଣଶୀଳ, ମୁକ୍ତ, ସ୍ବାଧୀନଚେତା ଓ ଉଦାରମନ ନେଇ ଚଳିବାକୁ ଶିକ୍ଷାଦିଏ। ଯଦ୍ଦ୍ବାରା ବ୍ୟକ୍ତିସତ୍ତା ସର୍ଜନାତ୍ମକ ଓ କଳ୍ପନାପ୍ରବଣ ହୁଏ, ଅନନ୍ତିମ ଅନ୍ବେଷଣ ପାଇଁ ପ୍ରସ୍ତୁତ ହୁଏ। ଜୈନ ଅନେକାନ୍ତବାଦ ବ୍ୟକ୍ତିକୁ ବୈକଳ୍ପିକ ସଂକଳ୍ପ ଓ ସାର୍ଥକ ପରିବେଶ ପ୍ରଦାନ କରି ବ୍ୟକ୍ତିତ୍ବର ବିକାଶରେ ସହାୟକ ହୋଇଥାଏ। ଅନେକାନ୍ତବାଦର ଶହେବର୍ଷ ପରେ ଆରିଷ୍ଟୋଟଲ ତାଙ୍କ theory of logical reasoring ଉପସ୍ଥାପନ କଲେ। ଯାହାର ତିନିଟି ନିୟମ ଭାବରେ ସେ ଦ୍ବନ୍ଦ୍ବ, ତୃତୀୟ ପକ୍ଷର ନିର୍ଗମନ, ବ୍ୟକ୍ତି ପରିଚୟ ଓ ଅସ୍ମିତା ଏବଂ ପର୍ଯ୍ୟାପ୍ତ ଅବଧାରଣାକୁ ସୁନ୍ଦର ଭାବରେ ବ୍ୟକ୍ତ କରିଥିଲେ। ଯାହାର ଅନେକ ବିଷୟଗତ ସାମ୍ୟ ଜୈନ ଦର୍ଶନରେ ଉପଲବ୍ଧ ହୁଏ।
ଉପନିଷଦର ନେତି ନେତି ଯେଉଁଠି ସକାରାତ୍ମକ ଭାବେ ଏହା ନୁହେଁ ବୋଲି ଉଚ୍ଚତର ସତ୍ୟ ଆଡ଼କୁ ଅଗ୍ରସର, ଅନେକାନ୍ତବାଦ ସେଠି ସ୍ୟାଦସ୍ତି କରି ଅସୀମ ସମ୍ଭାବନା ଓ ବିଷୟର ବ୍ୟାଖ୍ୟା ପାଇଁ ବଦ୍ଧପରିକର। ଅନେକାନ୍ତବାଦ କୌଣସି ବାଦର ଦାସ ନ ହୋଇ କୌଣସି ନିର୍ଦିଷ୍ଟ ଶଗଡ଼ଗୁଳାରେ ବନ୍ଦୀ ନହୋଇ, ଭାକ୍ତିକ ଆଚରଣରୁ ଦୂରେଇ ରହି ବିଚାରବନ୍ତ ହେବା ପାଇଁ ଓ ଜିଜ୍ଞାସାର ସବୁ ଦ୍ବାର ଉନ୍ମୁକ୍ତ କରିବାକୁ ପ୍ରେରଣା ଦେଇଛି। ସଂଳାପ, ତର୍କ, ଯୁକ୍ତିଯୁକ୍ତ ବିବେକ ମାଧ୍ୟମରେ ସଦ୍ଭାବନା ଓ ହିଂସାମୁକ୍ତ ସମାଜ ପାଇଁ ଏ ତତ୍ତ୍ବ ଖୋରାକ୍ ଯୋଗାଇଛି। ବିବିଧତା ଓ ବହୁସଂସ୍କୃତିବାଦ ଭିତରେ ଏକତ୍ବର ଆରୋପଣ ପାଇଁ ଅନେକାନ୍ତବାଦ ରାସ୍ତା ଦେଖାଇଛି। ସର୍ବସମତା ଓ ଭିନ୍ନତା, ଏକ ଓ ଅନେକ, ସ୍ଥିତି, ସଂସ୍କୃତି, ବିସ୍ତୃତି ଓ ଅବିଦ୍ୟମାନ, ସ୍ଥାୟୀ, ଅସ୍ଥାୟୀ, ସାର୍ବଜନୀନ ଓ ନିର୍ଦିଷ୍ଟ ଭିତରେ ଐକ୍ୟ ଆଣିବାରେ ସହାୟକ ହୋଇଛି। ଅନେକାନ୍ତବାଦ ତେଣୁ ସ୍ବାଧୀନତାର ଅମୃତଲଗ୍ନରେ ଅନେକାନ୍ତବାଦର ତତ୍ତ୍ବକୁ ଦୈନନ୍ଦିନ ଜୀବନ ଦର୍ଶନରେ ପ୍ରୟୋଗ କରି ବିବିଧତାର ମହୋତ୍ସବକୁ ଆତ୍ମସ୍ଥ କରିବା ବାଞ୍ଛନୀୟ ହୋଇପଡ଼ିଛି।
Comments are closed.