ଗୁରୁଡ଼ିଝାଟିଆ: ମହାନଦୀର ବନ୍ୟାରେ କଖଡି ପଞ୍ଚାୟତ ୪ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ଥିଲା। ପଞ୍ଚାୟତର ଗୋପିନାଥପଡ଼ା ଓ କାପ୍ତାବରାଇ ବନ୍ୟାରେ ଘରେ ଘରେ ପାଣି ପଶିଥିଲା। ବିପନ୍ନ ଲୋକଙ୍କୁ ସମାଜ ରିଲିଫ ପକ୍ଷରୁ ଆଜି ରିଲିଫ ବଣ୍ଟନ କରାଯାଇଛି। ସମାଜ ରିଲିଫ କମିଟିର ଅଧ୍ୟକ୍ଷ ତଥା ଲୋକ ସେବକ ମଣ୍ଡଳର ରାଷ୍ଟ୍ରିୟ ଉପସଭାପତି ନିରଞ୍ଜନ ରଥଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାପ୍ତାବରାଇ ଗ୍ରାମର ୧୨୫ ପରିବାର ଓ ଗୋପିନାଥପଡ଼ାରେ ୪୦ ପରିବାରକୁ ରିଲିଫ ପ୍ରଦାନ କରାଯାଇଛି। ଚୁଡା, ଚିନି, ବିସ୍କୁଟ, ମହମବତୀ ଓ ଦିଆସିଲି ରିଲିଫରେ ପ୍ରଦାନ କରାଯାଇଥିଲା।
ଗୋପବନ୍ଧୁ ଚିକିତ୍ସାଳୟର ଉପପ୍ରବନ୍ଧକ ଡଃ ନିତ୍ୟ ସୁନ୍ଦର ସିଏ ଓ ନିଗମାନନ୍ଦ ସ୍ୱାଇଁ ଦୁଇ ଗାଁରେ ପହଞ୍ଚି ବିପନ୍ନ ଜନସାଧାରଣଙ୍କୁ ରିଲିଫ ବଣ୍ଟନ କରିଥିଲେ। ପଞ୍ଚାୟତର ଦୁଇ ବନ୍ୟାକ୍ଷତିଗ୍ରସ୍ତ ବିପନ୍ନ ଜନସାଧାରଣଙ୍କୁ ‘ସମାଜ’ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶକୁ ବଜାୟ ରଖି ବିପଦ ସମୟରେ ବିପନ୍ନ ଲୋକମାନଙ୍କୁ ସହାୟତା ପ୍ରଦାନ କରିଥିବାରୁ ସରପଞ୍ଚ କଳ୍ପନା ଛତାର କୃତଜ୍ଞତା ଜଣାଇଛନ୍ତି।



