ଡେସ୍କ: ମିଥ୍ୟା ଖବର ପ୍ରସାରଣ କରୁଥିବା ୮ଟି ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ, ଗୋଟିଏ ଫେସ୍ବୁକ୍ ଆକାଉଣ୍ଟ ଓ ୨ଟି ଫେସ୍ବୁକ୍ ପୋଷ୍ଟକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ବନ୍ଦ କରିଛି। ଦେଶର ଜାତୀୟ ନିରାପତ୍ତା, ବୈଦେଶିକ ସମ୍ପର୍କ ଓ ମୌଳିକ ଅଧିକାର ଭଳି ପ୍ରସଙ୍ଗ ଗୁଡ଼ିକ ଉପରେ ସେହି ଚ୍ୟାନେଲ ଗୁଡିକ ମିଥ୍ୟା ଖବର ପ୍ରସାରଣ କରୁଥିଲେ। ବ୍ଲକ ହୋଇଥିବା ୟୁଟ୍ୟୁବ୍ ଚ୍ୟାଲେଗୁଡ଼ିକ ମଧ୍ୟରୁ ୭ଟି ଭାରତରୁ ଥିବାବେଳେ ଗୋଟିଏ ପାକିସ୍ତାନରୁ ରହିଛି। ବନ୍ଦ କରାଯାଇଥିବା ଚ୍ୟାନେଲଗୁଡ଼ିକ ମଧ୍ୟରେ ଲୋକତନ୍ତ୍ର ଟିଭି, ୟୁ&ଭି ଟିଭି, ଏଏମ ରାଜବି, ସରକାରୀ ଅପଡେଟ୍ ଓ ପାକିସ୍ତାନର ନ୍ୟୁଜ୍ କି ଦୁନିଆଁ ରହିଛି।
ସେଗୁଡ଼ିକୁ ଆଇ.ଟି. ନିୟମ ଅନୁସାରେ ବ୍ଲକ କରାଯାଇଛି। ମନ୍ତ୍ରଣାଳୟ କହିଛି, ସେହି ୟୁ-ଟ୍ୟୁବ୍ ଚ୍ୟାନେଲ ଗୁଡ଼ିକର ଦର୍ଶକ ସଂଖ୍ୟା ୧୧୪ କୋଟିରୁ ଅଧିକ ଥିଲେ ଓ ୮୫ଲକ୍ଷ ୟୁଜର ସେଗୁଡ଼ିକୁ ସବ୍ସ୍କ୍ରାଇବ କରୁଥିଲେ। ମନ୍ତ୍ରଣାଳୟ କହିଛି, ସେହି ଚ୍ୟାନେଲଗୁଡ଼ିକ ଭାରତୀୟ ସଶସ୍ତ୍ରବାହିନୀ ଓ ଜାମ୍ମୁ-କାଶ୍ମୀର ଉପରେ ମିଥ୍ୟା ଖବରମାନ ପୋଷ୍ଟ କରୁଥିଲେ। ସେହିସବୁ ପୋଷ୍ଟ ଗୁଡ଼ିକର ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ଜଣାପଡ଼ିଛି ଓ ସେଗୁଡ଼ିକ ଜାତୀୟ ନିରାପତ୍ତା ଓ ବିଭିନ୍ନ ଦେଶ ସହ ଭାରତର ସମ୍ପର୍କ ପ୍ରତି ଆଞ୍ଚ ଆଣୁଥିବା ଆକଳନ କରାଯାଇଥିଲା। ୨୦୨୧ ଡିସେମ୍ବର ପରଠାରୁ ସରକାର ୧୦୨ଟି ୟୁ-ଟ୍ୟୁବ୍ ଚ୍ୟାନେଲ ଓ ଅନ୍ୟ ସାମାଜିକ ଗଣମାଧ୍ୟମ ଆକାଉଣ୍ଟକୁ ବ୍ଲକ କରି ସାରିଛନ୍ତି।



