ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟରେ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ନୂଆ ପ୍ରଶାସନିକ ଭବନ ସମ୍ମୁଖରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ସ୍ବାଧୀନତା ସଂଗ୍ରାମୀଙ୍କର ଉତ୍ସର୍ଗୀକୃତ ବଳିଦାନ ସର୍ବଦା ଚିରସ୍ମରଣୀୟ। ‘ଆଜାଦିକା ଅମୃତ ମହୋତ୍ସବ’ ଦୀର୍ଘ ୭୫ ବର୍ଷରେ ଉପନୀତ ସ୍ବାଧୀନ ଭାରତର ସ୍ୱର୍ଣ୍ଣୀମ ସାମାଜିକ, ସାଂସ୍କୃତିକ, ବୈଜ୍ଞାନିକ ଏବଂ ଐତିହାସିକ ଉପଲବ୍ଧିର ଏକ ଗୌରବ ମୁହୂର୍ତ୍ତ। ସ୍ବାଧୀନତା ଭାରତର ଦୀର୍ଘ ଓ ସୁଦୃଢ଼ ଗଣତନ୍ତ୍ରର ଏକ ସ୍ୱରୂପ । ବିଜ୍ଞାନ, ସଂସ୍କୃତି, କଳା, ବାଣିଜ୍ୟ, ପ୍ରଗତି ପ୍ରତିଟି କ୍ଷେତ୍ରରେ ଭାରତୀୟ ପାରଙ୍ଗମ ଏବଂ ଏହା ବିଶ୍ବ ଦରବାରରେ ଉଚ୍ଚ ସ୍ତରକୁ ନେଇ ଯାଇଛି । ଶିକ୍ଷା କ୍ଷେତ୍ରରେ ଭାରତ ସରକାରଙ୍କ ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନ ଛାତ୍ରଛାତ୍ରୀଙ୍କର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ସହାୟକ ହୋଇପାରିବ । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଭିନ୍ନ ଏକ ଗୌରବ ଏବଂ ବିଶ୍ୱବିଦ୍ୟାଳୟ ତାଙ୍କ ପାଇଁ ବହୁତ ଗୌରବ ମନେ କରୁଛି । ଭାରତରେ ମହିଳା ସଶକ୍ତିକରଣ ଏହା ଏକ ବରିଷ୍ଠ ଉଦାହରଣ । ଏକତାରେ ହିଁ ଶ୍ରେଷ୍ଠତା ରହିଥାଏ । ତେଣୁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏକ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ପହଞ୍ଚାଇବା ପାଇଁ ସମସ୍ତେ ମିଳିମିଶି ଚେଷ୍ଟା କରିବା ଆବଶ୍ୟକ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ ।

ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗା ଶଙ୍କର ପଟ୍ଟନାୟକ କହିଥିଲେ ଯେ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ପାଇଁ ଆଜି ଆମେ ଏହି ସ୍ବାଧୀନତା ପାଇଛୁ ଏବଂ ସ୍ବାଧୀନତାର ସ୍ବାଦ ଚାଖି ପାରିଛୁ । ଏହି ୭୫ ବର୍ଷର ସ୍ବାଧୀନତା ଭିତରେ ଶିକ୍ଷା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବହୁତ ଦେଶର ବହୁ ଉନ୍ନତି ହୋଇଛି । ତେବେ ଭାରତ ଦୁର୍ନୀତି ମୁକ୍ତ ହେଲେ ହିଁ ଦେଶ ସଶକ୍ତ ହେବ। ଦୁର୍ନୀତିମୁକ୍ତ ଭାରତ ଗଢ଼ିବା ପାଇଁ ସମସ୍ତେ ଶପଥ ନେବାକୁ ପ୍ରଫେସର ପଟ୍ଟନାୟକ ଆହ୍ବାନ ଦେଇଥିଲେ।
କାର୍ଯ୍ୟକ୍ରମରେ କୁଳସଚିବ ଡ. ଅଭୟ କୁମାର ନାୟକ, ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ, ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ, ରୁସା ସଂଯୋଜକ ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି, ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ, ଡିଏସପି କରୁଣାକର ଜେନା, ମୁଖ୍ୟ ସୁରକ୍ଷା ଅଧିକାରୀ ସୁକାନ୍ତ କୁମାର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ଚିତ୍ତାକର୍ଷକ ଦେଶାତ୍ମବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।



