୧୪୪ ଧାରା ଜାରି ସତ୍ୱେ ଖୁଣ୍ଟୁଣୀ ସିଏଚସି ପରିସରରେ ଗୌରହରି ମହାନ୍ତିଙ୍କ ଧାରଣା
ଏସଡିପିଓ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପୁଲିସ ଫୋର୍ସ ମୁତୟନ
ଗୁରୁଡିଝାଟିଆ : ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟରେ ଶାନ୍ତିଭଙ୍ଗ ହେବା ଦୃଷ୍ଟିକୋଣରୁ ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଗତକାଲିଠାରୁ ଚିକିତ୍ସାଳୟ ପରିସରରେ ୧୪୪ଧାରା ଜାରି କରିଛନ୍ତି । ୫ଜଣରୁ ଅଧିକ ଚିକିତ୍ସାଳୟ ପରିସରରେ ଏକତ୍ର ହୋଇପାରିବେ ନାହିଁ । ଏପରିକି ରୋଗୀ ୫ଜଣରୁ ଅଧିକ ଏକାବେଳେ ନଆସିବା ପାଇଁ ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଜରିଆରେ ସଚେତନତା କରାଯାଉଛି । ଏ ସବୁ ସତ୍ତ୍ବେ ଖୁଣ୍ଟୁଣୀ ଆଞ୍ଚଳିକ ସ୍ୱାସ୍ଥ୍ୟ କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ସମାଜସେବୀ ଗୌରହରି ମହାନ୍ତି ନିଜ ପୂର୍ବ ନିଷ୍ପତ୍ତି ମୁତାବକ ଶୁକ୍ରବାର ଭୋରରୁ ଚିକିତ୍ସାଳୟ ପରିସରରେ ଅନଶନ ଆରମ୍ଭ କରିଛନ୍ତି। ତାଙ୍କୁ ସହଯୋଗ କରବା ପାଇଁ ସମାଜସେବୀ ମାନସ ବସ୍ତିଆ, ଦିଲ୍ଲିପ କୁମାର ସେଠ୍ ମଧ୍ୟ ଉପସ୍ଥିତ ରହିଥିଲେ। ଆଜି ଓ ଆସନ୍ତାକାଲି ୨ଦିନ ଧାରଣା ,୧୪ ତାରିଖରେ ଅନାହାର ଧାରଣା ଓ ୧୫ ତାରିଖ ସ୍ୱାଧୀନତା ଦିବସରେ ଚିକିତ୍ସାଳୟ ପରିସରରେ ଆତ୍ମାହୁତି ଦେବାକୁ ଶ୍ରୀ ମହାନ୍ତି ନିଷ୍ପତି ନେଇଛନ୍ତି।
ଖୁଣ୍ଠୁଣୀ ପ୍ରାଥମିକ ଚିକିତ୍ସାଳୟ ଚିକିତ୍ସକ ଓ କର୍ମଚାରୀ ଶ୍ରୀ ମହାନ୍ତିଙ୍କ ରକ୍ତଚାପ, ମଧୁମେହ ଆଦି ପରୀକ୍ଷା କରିଛନ୍ତି । ପ୍ରକାଶ ଯୋଗ୍ୟ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ବହୁ ଶଯ୍ୟା ବିଶିଷ୍ଟ କରିବା ନିମନ୍ତେ ରାଷ୍ଟ୍ରୀୟ ଲୋକ ଅଦାଲତ ରାଜ୍ୟ ସରକାରଙ୍କୁ ବିଚାରକୁ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ । ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇନଥିବା ବେଳେ ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଚିକିତ୍ସାଳୟକୁ ବହୁ ଶଯ୍ୟା ବିଶିଷ୍ଟ କରିବା ପାଇଁ ଘୋଷଣା କରିଥିଲେ। ହେଲେ ୨ ଦଶନ୍ଧି ଏହା କେବଳ କାଗଜ କଲମରେ ନାଲିଫିତା ତଳେ ରହିଛି । ସରକାରଙ୍କ ଏଭଳି ଅବହେଳାକୁ ନେଇ ସମାଜସେବୀ ଶ୍ରୀ ମହାନ୍ତି କ୍ଷୋଭ ପ୍ରକାଶ କରିବା ସହ ମହାମହିମ ରାଷ୍ଟ୍ରପତି, ରାଜ୍ୟପାଳ, ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି, ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କୁ ଲିଖିତ ଅବଗତ କରି ଆସନ୍ତା ୧୫ ତାରିଖ ସ୍ୱାଧୀନତା ଦିବସରେ ଆତ୍ମାହୁତି ଦେବାପାଇଁ ନିଷ୍ପତି ନେଇଛନ୍ତି। ସେଥିପାଇଁ ଆଜି ଠାରୁ ଚିକିତ୍ସାଳୟ ପରିସରରେ ଧାରଣା ଆରମ୍ଭ କରିଛନ୍ତି। ଉଲ୍ଲେଖଯୋଗ୍ୟ ଶ୍ରୀ ମହାନ୍ତି ଆଜି ଧାରଣାରେ ବସିବାକୁ ଆସିବା ବେଳେ ସ୍ଥାନୀୟ ଅଞ୍ଚଳବାସୀ ସମ୍ମାନ ଜଣାଇ ଏକ ପଟୁଆରରେ ଆଣିଥିଲେ । ହେଲେ ଚିକିତ୍ସାଳୟ ପରିସରରେ ମାତ୍ର ଶ୍ରୀ ମହାନ୍ତିଙ୍କ ସହିତ ୩ଜଣ ଉପସ୍ଥିତ ରହି ନୈତିକ ସମର୍ଥନ ଜଣାଇଛନ୍ତି । ଏବେ ବାକି ରହିଲା ପ୍ରଶାସନ କି ପଦକ୍ଷେପ ନେଉଛି ? ଘଟଣାସ୍ଥଳରେ ଚୌଦ୍ୱାରା ଏସଡିପିଓ ସତ୍ୟବ୍ରତ ଲେଙ୍କା, ଖୁଣ୍ଟୁଣୀ ଥାନା ଅଧିକାରୀ ଭବାନୀ ପ୍ରସାଦ ଖୁଣ୍ଟିଆଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
Comments are closed.