BJD Bijuli 480×75 Mob

ଭାରତର ଲକ୍ଷ୍ୟଭ୍ରଷ୍ଟ ସଞ୍ଚାର ବିପ୍ଳବ

ସନ୍ତୋଷ କୁମାର ମିଶ୍ର

BJD Bijuli 480×75 Mob

ଭାରତରେ ବେତାର ଇଣ୍ଟରନେଟ୍ ସେବା କ୍ଷେତ୍ରରେ ପଞ୍ଚମ ପିଢ଼ି ବା ୫-ଜିର ଯୁଗ ଆରମ୍ଭ ହେବାକୁ ଯାଉଛି। ୫ଜି ସ୍ପେକଟ୍ରମ ନିଲାମ ପ୍ରକ୍ରିୟା ଶେଷ ହୋଇଛି। ମୋଟ ୪ଟି ଘରୋଇ ସଞ୍ଚାର କମ୍ପାନୀ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ; କିନ୍ତୁ ‘ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି’ ପରି ଅବସ୍ଥା ସୃଷ୍ଟି ହୋଇଛି। ନିଲାମ ପୂର୍ବରୁ ଭାରତ ସରକାର ଧାର୍ଯ୍ୟ କରିଥିବା ୫ଜି ସ୍ପେକ୍‌ଟ୍ରମ୍‌ର ମୂଳ ଦରକୁ ଆଧାର କରି ଘରୋଇ ସଞ୍ଚାର କମ୍ପାନୀ ଓ ସରକାରଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଘରୋଇ ସଞ୍ଚାର କମ୍ପାନୀମାନେ ମୂଳ ମୂଲ୍ୟକୁ ପୁନର୍ବାର ସ୍ଥିର କରିବା ପାଇଁ ସରକାରଙ୍କ ପାଖରେ ନିବେଦନ କରିଥିଲେ। କରୋନା ମହାମାରୀ ପୂର୍ବରୁ ସ୍ଥିର ହୋଇଥିବା ଦରକୁ ଲାଗୁ କରିବା ପାଇଁ କମ୍ପାନୀମାନେ ଅଡ଼ି ବସିଥିଲେ; କିନ୍ତୁ ଭାରତୀୟ ସଞ୍ଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ସ୍ପେକଟ୍ରମ ମୂଲ୍ୟରେ କୌଣସି ପ୍ରକାରର ପରିବର୍ତ୍ତନ ନ କରି ନିଲାମ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିଛନ୍ତି।

ମାନ୍ଦା ଅର୍ଥନୀତି ମଧ୍ୟରେ ସରକାର ମୋଟ ୭୨ ଗିଗା ହର୍ଜର ସ୍ପେକ୍‌ଟ୍ରମ୍‌ ବିକି ୪.୯ ଲକ୍ଷ କୋଟି ଟଙ୍କା ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିଲେ; କିନ୍ତୁ ନିଲାମ ପ୍ରକ୍ରିୟା ନିରୁତ୍ସାହଜନକ ରହିଲା। ସରକାର ଅତି ବେଶୀରେ ୨ ଲକ୍ଷ କୋଟି ଟଙ୍କା ରାଜସ୍ବ ଆଦାୟ କରିବା ପାଇଁ ସକ୍ଷମ ହେବେ ବୋଲି ଜଣାପଡିଛି। ଅନ୍ୟ ପକ୍ଷରେ ସଞ୍ଚାର କମ୍ପାନୀମାନେ ପୂର୍ବରୁ କହିଥିଲେ ଯେ ଯଦି ସ୍ପେକ୍‌ଟ୍ରମ୍‌ର ମୂଲ୍ୟ ହ୍ରାସ ନ ହୁଏ ତେବେ ଗ୍ରାହକଙ୍କ ପାଖରେ ୫ଜି ସେବା ପହଞ୍ଚିଲା ବେଳକୁ ଏହାର ମୂଲ୍ୟ ଯଥେଷ୍ଟ ବୃଦ୍ଧି ହୋଇଥିବ। ଆପାତତଃ ଭାରତରେ ୫ଜି ସେବାର ମୂଲ୍ୟ ଆମେରିକା, ଚୀନ, ବ୍ରିଟେନ, ବ୍ରାଜିଲ ଏପରି କି ପାକିସ୍ତାନ ପରି ଦେଶରୁ ଊର୍ଦ୍ଧ୍ବରେ ଓ ସମଗ୍ର ବିଶ୍ବରେ ସର୍ବାଧିକ ରହିବ ବୋଲି ଆକଳନ କରାଯାଉଛି। ବର୍ତ୍ତମାନ ୪ଜି ସେବା ତୁଳନାରେ ୫ଜି ସେବା ପ୍ରାୟ ୨୦ ଶତାଂଶ ଦାମିକା ହେବ ବୋଲି ଆକଳନ କରାଯାଇଛି। ଫଳରେ ୫ଜି ସେବାକୁ ଉପଯୋଗ କରିବା ସମସ୍ତଙ୍କ ପକ୍ଷରେ ସମ୍ଭବପର ହେବ ନାହିଁ। ଏହା କେବଳ ଏକ ବିଶେଷ ସେବା ରୂପେ ବିବେଚିତ ହେବା ସହିତ ଭାରତର ପ୍ରଥମ ଶ୍ରେଣୀ ସହରଗୁଡିକ ମଧ୍ୟରେ ସୀମିତ ରହିବ; କିନ୍ତୁ ଟ୍ରାଇ ପକ୍ଷରୁ କୁହାଯାଇଛି ଯେ ଭାରତରେ ମୁଣ୍ଡପିଛା ସ୍ପେକ୍‌ଟ୍ରମ୍‌ର ମୂଲ୍ୟ ସୁଲଭ ଥିବାରୁ ୫ଜି ସେବାକୁ ବ୍ୟବହାର କରିବା ପାଇଁ ସମସ୍ତେ ସମର୍ଥ ହେବେ। ପ୍ରାୟ ଏକ ବର୍ଷ ପରେ ଯେତେବେଳେ ଲୋକମାନଙ୍କ ପାଖରେ ୫ଜି ସେବା ପହଞ୍ଚିବ ସେତେବେଳେ କିପରି ପରିସ୍ଥିତି ସୃଷ୍ଟି ହେଉଛି ତାହା ସ୍ପଷ୍ଟ ହେବ।

ଆମେ ବର୍ତ୍ତମାନ ଭାରତରେ ୪ଜି ସେବାର ସ୍ଥିତିକୁ ଯଦି ଭଲ ଭାବରେ ବିଶ୍ଳେଷଣ କରିବା ତେବେ ୫ଜି ସେବାର ମୂଲ୍ୟକୁ ନେଇ ଉଠିଥିବା ଆଶଙ୍କା ମଧ୍ୟ ଅମୂଳକ ନୁହେଁ। ଗତ ଏପ୍ରିଲ ୬ ତାରିଖରେ ସଞ୍ଚାର ମନ୍ତ୍ରାଳୟର ରାଜ୍ୟମନ୍ତ୍ରୀ ସଂସଦରେ କହିଥିଲେ ଯେ ବର୍ତ୍ତମାନ ଭାରତରେ ପ୍ରାୟ ୧୧୫ କୋଟି (ଜନସଂଖ୍ୟାର ୯୮ ଶତାଂଶ) ଲୋକ ୪ଜି ସେବାକୁ ଉପଯୋଗ କରୁଛନ୍ତି; କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ପରିମାଣରେ ଭାରତ ସଞ୍ଚାର କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା ମୂଳକ ପରିବେଶ ନାହିଁ। ବର୍ତ୍ତମାନ ଭାରତରେ ମୁଖ୍ୟତଃ ତିନିଟି ଘରୋଇ ସଞ୍ଚାର କମ୍ପାନୀ ୪ଜି ସେବା ପ୍ରଦାନ କରୁଛନ୍ତି। ବର୍ତ୍ତମାନ ବେତାର ଇଣ୍ଟରନେଟର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି; କିନ୍ତୁ ଅନ୍ୟ ପକ୍ଷରେ ଇଣ୍ଟରନେଟର ଦର ମଧ୍ୟ ବଢ଼ିଛି। ଆର୍ଥିକ ସର୍ବେକ୍ଷଣ ୨୧-୨୨ର ତଥ୍ୟ ଅନୁଯାୟୀ ୨୦୧୮ରେ ଜଣେ ଭାରତୀୟ ପ୍ରତି ମାସରେ ୧.୨୪ ଜିବି ଡାଟା ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ଏହା ୧୪.୧ ଜିବି କୁ ସ୍ପର୍ଶ କରିଛି। ଯେତେବେଳେ ଦର ବୃଦ୍ଧି ହେଉଛି ସେତେବେଳେ ସମସ୍ତେ ଏକାବେଳେ ଦର ବୃଦ୍ଧି କରୁଛନ୍ତି। ସମସ୍ତ ଘରୋଇ ସଞ୍ଚାର କମ୍ପାନୀ ପ୍ରତି ଗ୍ରାହକଙ୍କ ମୁଣ୍ଡ ପିଛା ଏକ ହାରାହାରି ନିର୍ଦିଷ୍ଟ ଆୟ ସ୍ଥିର କରିଛନ୍ତି। ତାହାକୁ ବଜାୟ ରଖିବାକୁ ମନଇଚ୍ଛା ମୂଲ୍ୟ ବୃଦ୍ଧି କରାଯାଉଛି। ଏହା ବ୍ୟତୀତ ସମାୟୋଜିତ ସକଳ ରାଜସ୍ବ ବାବଦକୁ କମ୍ପାନୀମାନଙ୍କ ପାଖରେ ଲକ୍ଷ ଲକ୍ଷ କୋଟି ଟଙ୍କା ବାକି ପଡିଛି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନି​‌େ​‌ର୍ଦଶନାରେ ସରକାର ଏହାକୁ କିସ୍ତି ଆକାରରେ ଆଦାୟ କରୁଛନ୍ତି। କମ୍ପାନୀମାନେ ପ୍ରତି ତ୍ରୟମାସିକରେ ସେବାର ମୂଲ୍ୟ ବୃଦ୍ଧି କରି ଏହି ବିଶାଳ ଅର୍ଥକୁ ଗ୍ରାହକଙ୍କଠାରୁ ଅସୁଲ କରୁଛନ୍ତି।

ବିଗତ ଏକ ବର୍ଷ ମଧ୍ୟରେ ୪ଜି ସେବାର ମୂଲ୍ୟ ୨୦ରୁ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ତେଣୁ ୪ଜି ସେବାର ଏକ ନିର୍ଦିଷ୍ଟ ମୂଲ୍ୟ ସ୍ଥିର କରିବା ପାଇଁ ସରକାରଙ୍କ ପାଖରେ ଦାବି ହୋଇଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ବର୍ତ୍ତମାନ କଥାବାର୍ତ୍ତା ସମ୍ପୂର୍ଣ୍ଣ ରୂପେ ନିଃଶୁଳ୍କ ହୋଇଛି ଓ ଏହା ଫଳରେ ଗ୍ରାହକମାନେ ଉପକୃତ ହେଉଛନ୍ତି ବୋଲି ଏକ ଧାରଣା ସୃଷ୍ଟି କରାଯାଉଛି; କିନ୍ତୁ ଏହା ଏକ ଭ୍ରାନ୍ତ ଧାରଣା। କାରଣ ୪ଜି ନେଟୱର୍କରେ ସ୍ୱରକୁ ମଧ୍ୟ ଏକ ତଥ୍ୟ ଆକାରରେ ବହୁତ ସ୍ୱଳ୍ପ ଡାଟା ବିନିମୟରେ ପ୍ରେରଣ କରାଯାଉଛି ଓ ଏହା କମ୍ପାନୀମାନଙ୍କ ପାଇଁ ବିଶେଷ ଭାବରେ ସମସ୍ୟା ସୃଷ୍ଟି କରେ ନାହିଁ। ଯେଉଁ ଗ୍ରାହକମାନେ କେବଳ ୨ଜି ମୋବାଇଲ ଫୋନ ବ୍ୟବହାର କରି କେଵଳ କଥାବାର୍ତ୍ତା ହେଉଛନ୍ତି ସେମାନେ ମଧ୍ୟ ମହଙ୍ଗା ମାଡରେ ଅସ୍ତବ୍ୟସ୍ତ। କମ୍ପାନୀଗୁଡ଼ିକ କେବଳ ସିମ୍‌କୁ ଚାଲୁ ରଖିବା ପାଇଁ ମାସିକ ଶୁଳ୍କ ବହୁ ମାତ୍ରାରେ ବୃଦ୍ଧି କରି ଚାଲିଛନ୍ତି। ସାଧାରଣ ଗ୍ରାହକଙ୍କୁ ଏହା ବାଧୁଛି। ଗତ ଏପ୍ରିଲ ମାସରେ ଟ୍ରାଇ ତଥ୍ୟ ପ୍ରଦାନ କରିଛି ଯେ ପ୍ରାୟ ୭୫ ଲକ୍ଷ ଲୋକ ନିଜର ସେବା ବିଚ୍ଛିନ୍ନ କରିଛନ୍ତି। ସବୁ କମ୍ପାନୀ ନିଜର ନିୟମିତ ଗ୍ରାହକଙ୍କୁ ହରାଇଛନ୍ତି ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି। ଯେତେବେଳେ ୪ଜି ସେବାକୁ ବ୍ୟବହାର କରିବା ଲୋକଙ୍କ ପାଇଁ ସମ୍ଭବ ହେଉନାହିଁ ସେହି ସମୟରେ ୫ଜି ସେବାର ସୁଲଭତା ବିଷୟରେ ଚିନ୍ତା ନ କରିବା ଭଲ ହେବ। ସଞ୍ଚାର ପରି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହା ଭଲ ଲକ୍ଷଣ ନୁହେଁ। ସଞ୍ଚାର କ୍ଷେତ୍ରରେ ବିଭିନ୍ନ ସେବାର ଦର ନିୟନ୍ତ୍ରଣ କରିବାରେ ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛନ୍ତି। ଯେଉଁ କମ୍ପାନୀର ସେବାରେ ସନ୍ତୁଷ୍ଟ ନ ହେବେ ଗ୍ରାହକ ଚାହିଁଲେ କମ୍ପାନୀ ପରିବର୍ତ୍ତନ କରିବାର ସୁଯୋଗ ଥିଲେ ମଧ୍ୟ ତାହା ନିରର୍ଥକ ହୋଇ ଯାଉଛି।

ସରକାର ଚାହିଁଲେ ୫ଜିକୁ ଦେଶର ଗ୍ରାମାଞ୍ଚଳର ବିକାଶ ପାଇଁ ବ୍ୟବହାର କରିପାରିବେ। ୫ଜି ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଇଣ୍ଟରନେଟ ବହୁତ କ୍ଷିପ୍ର ଗତିରେ ଚାଲି ପାରିବ। କେବଳ ୱେବସାଇଟରୁ ତଥ୍ୟ ଡାଉନଲୋଡ୍ କରିବା, ଭିଡିଓ ଦେଖିବା କିମ୍ବା ଅନଲାଇନ ଖେଳ ଖେଳିବା ବ୍ୟତୀତ ଏହାକୁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ବ୍ୟବହାର କରାଯାଇ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିବା ସମ୍ଭବ ହେବ। ଭାରତରେ ଗ୍ରାମାଞ୍ଚଳରେ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା ନାମକୁ ମାତ୍ର ରହିଛି। ମହାମାରୀ ପୃଷ୍ଠଭୂମିରେ ଏହାକୁ ସମସ୍ତେ ଉପଲବ୍ଧି କରି ପାରିଲେ। ପିଲାମାନଙ୍କୁ ପଢେଇବା ଓ ରୋଗୀମାନଙ୍କୁ ଉପଯୁକ୍ତ ମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଅସମ୍ଭବ ହୋଇ ପଡ଼ିଲା। ଯଦି ଗ୍ରାମାଞ୍ଚଳରେ ରହିଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ୫ଜି ସଂଯୋଗ ପ୍ରଦାନ କରାଯାଇ ସହରରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକାଙ୍କ ଦ୍ବାରା ଅନ୍‌ଲାଇନରେ ବିଶେଷ ଶିକ୍ଷା ପ୍ରଦାନ କରାଯାଏ ତେବେ ଭାରତର ଶିକ୍ଷା ବ୍ୟବସ୍ଥା ଅଧିକ କ୍ରିୟାଶୀଳ ହେବା ସହିତ ଏହାର ଏକ ବଡ଼ ପ୍ରଭାବ ଦେଶର ଉନ୍ନତିରେ ଦୃଷ୍ଟିଗୋଚର ହେବ।

ବିଦେଶରେ ୫ଜି ମାଧ୍ୟମରେ ଚିକିତ୍ସକମାନେ ଦୂରରେ ରହି ରୋବୋଟ ମାଧ୍ୟମରେ ଜଟିଳ ଓ ତୁରନ୍ତ ଆବଶ୍ୟକ ହେଉଥିବା ଅସ୍ତ୍ରୋପଚାର କରିପାରୁଛନ୍ତି। ଏହାକୁ ସଫଳତାର ସହିତ ପରୀକ୍ଷଣ କରାଯାଇଛି ଓ ଅଧିକ ବିକଶିତ କରିବା ପାଇଁ ଗବେଷଣା ଚାଲିଛି। ତେଣୁ ଭାରତର ଗ୍ରାମାଞ୍ଚଳରେ ରହିଥିବା ଚିକିତ୍ସାଳୟରେ ଉପଯୁକ୍ତ ଭିତ୍ତିଭୂମି ବିକଶିତ କରିବା ସହିତ ୫ଜି ସେବା ପ୍ରଦାନ କରାଗଲେ ଗ୍ରାମାଞ୍ଚଳର ଲୋକମାନେ ଯଥେଷ୍ଟ ଉପକୃତ ହେବେ। ଜରୁରୀକାଳୀନ ଅସ୍ତ୍ରୋପଚାର ଗ୍ରାମରେ ହୋଇପାରିବ। ସେଥିପାଇଁ ସରକାରୀ ସଞ୍ଚାର କମ୍ପାନୀ ବିଏସ୍ଏନ୍ଏଲକୁ ଯଥାସମ୍ଭବ ସ୍ୱଳ୍ପ ମୂଲ୍ୟରେ ୫ଜି ସ୍ପେକ୍‌ଟ୍ରମ୍‌ ପ୍ରଦାନ କରିବାର ଆବଶ୍ୟକତା ରହିଛି ବୋଲି ଉପଲବ୍ଧି କରାଯାଏ। ଏଥିପାଇଁ ବିଏସ୍ଏନ୍ଏଲର ପୁନରୁଦ୍ଧାର ଆବଶ୍ୟକତା ରହିଛି। ୨୦୧୯ ସେପ୍ଟେମ୍ବର ମାସରେ ସରକାର ବିଏସଏନଏଲ୍ ଓ ଏମଟିଏନ୍ଏଲର ପୁନରୁଦ୍ଧାର ପାଇଁ ଚାରିସୂତ୍ରୀ ପ୍ରସ୍ତାବ ଦେଇଥିଲେ ଓ ସତୁରି ହଜାର କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ ମଧ୍ୟ ଏହାର ସୁଫଳ ଦେଖିବାକୁ ମିଳିଲା ନାହିଁ। ଏହି ପୁନରୁଦ୍ଧାର ପ୍ରକ୍ରିୟାରେ ସରକାର ସଞ୍ଚାର ନିଗମକୁ କମ୍‌ ମୂଲ୍ୟରେ ୪ଜି ସ୍ପେକଟ୍ରମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ଯାହା କି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଯଦି ଉପରୋକ୍ତ ଦୁଇଟି ସଂସ୍ଥା ୪ଜି ସେବା ପ୍ରଦାନ କରିବାକୁ ସକ୍ଷମ ହୁଅନ୍ତି ତେବେ ସଞ୍ଚାର ବଜାରରେ ପ୍ରତିଦ୍ବନ୍ଦ୍ବିତା ବୃଦ୍ଧି ହେବ। ଉପଭୋକ୍ତାମାନେ ଉପକୃତ ହେବେ। ନିକଟରେ ବିଏସ୍ଏନ୍ଏଲର ପୁନରୁଦ୍ଧାର ବିଷୟରେ କେନ୍ଦ୍ର ସଞ୍ଚାରମନ୍ତ୍ରୀ କେବଳ ପୁରୁଣା ପ୍ରତିଶ୍ରୁତିକୁ ପୁନର୍ବାର ଘୋଷଣା କରିଛନ୍ତି। ୪ଜି ଯୁଗ ସରି ଆସୁଥିବା ବେଳେ ବିଏସଏନଏଲକୁ ୪ଜି ସ୍ପେକଟ୍ରମ ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି; କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ। ଗତ ଜୁଲାଇ ୨୮ ତାରିଖରେ ଏହି ବିଷୟରେ ‘ସମାଜ’ ପୋର୍ଟାଲରେ ସଂଗ୍ରହ କରାଯାଇଥିବା ଜନମତରେ ୪୨.୯ ପ୍ରତିଶତ ଲୋକ ବିଏସ୍ଏନ୍ଏଲ୍‌ର ପୁନରୁଦ୍ଧାର ସହାୟତା ରାଶି ଗ୍ରାମାଞ୍ଚଳରେ ସଞ୍ଚାର ଭିତ୍ତିଭୂମିକୁ ସୁଦୃଢ଼ କରିବାର ଅବକାଶ ନାହିଁ ବୋଲି ମତ ଦେଇଛନ୍ତି।

ନବେ ଦଶକରେ ଆରମ୍ଭ ହୋଇଥିବା ଭାରତରେ ସଞ୍ଚାର କ୍ରାନ୍ତି ସମଗ୍ର ବିଶ୍ବରେ ଏକ ଉଦାହରଣ ସୃଷ୍ଟି କରିପାରିଥିଲା; କିନ୍ତୁ ବର୍ତ୍ତମାନ ସଞ୍ଚାର କ୍ରାନ୍ତିର ଛବି ମଳିନ ପଡ଼ିବାରେ ଲାଗିଛି। ସଞ୍ଚାର କ୍ଷେତ୍ର ଭାରତର ମୋଟ ଘରୋଇ ଉତ୍ପାଦର ଆକାରର ପ୍ରାୟ ୩୫ ପ୍ରତିଶତ ଅଧିକାର କରିଥିବାବେଳେ ମୋଟ୍ ଘରୋଇ ଉତ୍ପାଦରେ ସିଧାସଳଖ ୬.୫ ଶତାଂଶ ଯୋଗଦାନ ରହିଛି । ଟ୍ରାଇର ବିଶ୍ଳେଷଣ ଅନୁଯାୟୀ ପ୍ରତି ମାସରେ ହାରାହାରି ୨୭ରୁ ୨୮ ଲକ୍ଷ ନୂତନ ସଂଯୋଗ ଦିଆଯାଉଛି । ଏହି ସମୟରେ ମୋବାଇଲ କ୍ରାନ୍ତିର ମୂଳ ଉଦ୍ଦେଶ୍ୟ କିନ୍ତୁ ଫଳବତୀ ହେବାର ଦୃଷ୍ଟିଗୋଚର ହେଉ ନାହିଁ । ଭିତ୍ତିଭୂମିର ବିକାଶ, ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାର ସେବାର ଉପଲବ୍ଧତା, ବିଶ୍ବ ସ୍ତରୀୟ ଗ୍ରାହକ ସେବା ଇତ୍ୟାଦି ଦିବାସ୍ବପ୍ନ ହୋଇଛି । ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ ମଧ୍ୟ ସଞ୍ଚାର କ୍ଷେତ୍ରରେ ମୁକ୍ତ, ସମତୁଲ ଓ ଉନ୍ନତ ପ୍ରତିଦ୍ବନ୍ଦ୍ବିତା ପାଇଁ ସର୍ବଦା ପ୍ରୟାସରତ ରହିବାର ଆବଶ୍ୟକତା ରହିଛି ।

ସର୍ବୋପରି ସାଧାରଣ ଗ୍ରାହକଙ୍କ ସ୍ବାର୍ଥକୁ ଗୁରୁତ୍ବ ପ୍ରଦାନ କରି ଟ୍ରାଇ ଅଧିକ କ୍ରିୟାଶୀଳ ହେବା ବିଧେୟ । ବିଭିନ୍ନ ପ୍ରକାର ସେବାର ସର୍ବନିମ୍ନ ମୂଲ୍ୟ ଓ ଅନ୍ୟାନ୍ୟ ନିୟମାବଳୀ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯିବାର ଆବଶ୍ୟକତା ରହିଛି। ସଞ୍ଚାର କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଆର୍ଥିକ ଉଦାରୀକରଣ ନୀତି ଅବଲମ୍ବନ କରାଯାଉଥିବାରୁ ଗ୍ରାହକମାନେ ଯେପରି ଆର୍ଥିକ ଶୋଷଣର ଶିକାର ନ ହୁଅନ୍ତି ସେଥିପାଇଁ ବିଶେଷ ଭାବରେ ଧ୍ୟାନ ଦେବାକୁ ପଡ଼ିବ।

Comments are closed.