୧୩ ବର୍ଷ ପୂର୍ବେ ଆଜିର ଦିନରେ ଆରମ୍ଭ ହୋଇଥିଲା ଆରଟିଆଇ ସେବା
ନୂଆଦିଲ୍ଲୀ: ୧୩ବର୍ଷ ପୂର୍ବେ ଆଜିର ଦିନରେ ଜନସାଧାରଣଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଆରମ୍ଭ ହୋଇଥିଲା ମହତ୍ୱପୂର୍ଣ୍ଣ ସୂଚନା ଅଧିକାର ଆଇନ ୨୦୦୫। ଇତିମଧ୍ୟରେ ଦେଶର ଏକାଧିକ ବଡ଼ ଦୁର୍ନୀତି ଉପରୁ ପରଦା ଉଠାଇବା ଦିଗରେ ଏହି ଆଇନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଜନସାଧାରଣଙ୍କୁ ମନବାଞ୍ଛିତ ସୂଚନା ଆବଶ୍ୟକ ସମୟରେ ପ୍ରଦାନ କରିବା କ୍ଷେତ୍ରରେ ଏହି ଆଇନ ମାଧ୍ୟମ ପାଲଟି ଥିଲା। ଆସନ୍ତୁ ଜାଣିବା ଏହାର ସଫଳତା ଓ ବିଫଳତାର ବିବରଣୀ। ଟ୍ରାନ୍ସପେରେନ୍ସି ଇଣ୍ଟରନ୍ୟାସନାଲ ଦ୍ୱାରା ଆରଟିଆଇ ଦ୍ୱାରା ମଗା ଯାଇଥିବା ତଥ୍ୟକୁ ତର୍ଜମା କରି ଜାଣିବା ଏଭଳି ଆଇନର କାର୍ଯ୍ୟକ୍ଷମତା।
୨୮ ସେପ୍ଟେମ୍ବର ୨୦୧୮ରେ “ରାଇଟ ଟୁ ନୋ ଡେ’ ଦିନ ବିଶ୍ୱରେ ଏହି ଆଇନକୁ କାର୍ଯ୍ୟକାରୀ କରୁଥିବା ୧୨୩ଟି ଦେଶର ତାଲିକା ପ୍ରସ୍ତୁତ କରାଯାଇ ଥିଲା। ଏହି ତାଲିକାରେ ଭାରତ ୧୨୮ନମ୍ବର ରଖି ୬ଷ୍ଠ ସ୍ଥାନ ଅଧିକାର କରିଛି। ଭାରତ ପ୍ରଥମ ସ୍ଥାନରୁ ବଞ୍ôଚତ ହେବା ପ୍ରମାଣିତ କରୁଛି ଯେ, ଅନ୍ୟାନ୍ୟ ଦେଶ ଏହି ଆଇନକୁ କେତେ ସୁଦୃଢତାର ସହ ଲାଗୁ କରିଛନ୍ତି।
୨୦୦୫ରୁ ୨୦୧୬ ମଧ୍ୟରେ ସମଗ୍ର ଦେଶରେ ମୋଟ୍ ୧୮ଲକ୍ଷ ୪୭ହଜାର ୩୭୪ଟି ଆବେଦନ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ôଚ ଥିଲା। ଦି୍ୱତୀୟ ଅପିଲରେ ସୂଚନା ପ୍ରଦାନ କରିଥିବା ରାଜ୍ୟ ତାଲିକାରେ ତାମିଲନାଡ଼ୁ, ମହାରାଷ୍ଟ୍ର, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନ ପରି ରାଜ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ସୂଚନା ଅଧିକାର ଆଇନରେ ତଥ୍ୟ ଯୋଗାଇ ଦେଇଥିବାବେଳେ ସିକିମ, ନାଗାଲ୍ୟାଣ୍ଡ ଓ ମିଜୋରମ ଏହି ପ୍ରକ୍ରିୟାରେ ବିଫଳ ହୋଇଥିଲେ।
୨୦୦୫ରୁ ୨୦୧୬ ମଧ୍ୟରେ ମୋଟ୍ ୨.୫୨୫କୋଟି ଆରଟିଆଇ ଅବେଦନ ହୋଇଥିଲା। ସେଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ର, ତାମିଲନାଡ଼ୁ, କର୍ଣ୍ଣାଟକ, କେରଳ ଓ ରାଜସ୍ଥାନ ତଥ୍ୟ ପ୍ରଦାନରେ ସଫଳ ହୋଇଥିବାବେଳେ ସିକିମ, ମେଘାଳୟ ଓ ମଣିପୁର ଏହି ପ୍ରକ୍ରିୟାରେ ବିଫଳ ହୋଇଛନ୍ତି।
ସେହିପରି ଲୋକଙ୍କୁ ସୂଚନା ପ୍ରଦାନ କ୍ଷେତ୍ରରେ ୨୯ଟି ରାଜ୍ୟ ମଧ୍ୟରୁ କେବଳ ୮ଟି ରାଜ୍ୟ ଆଞ୍ଚଳିକ ଭାଷାରେ ତଥ୍ୟ ଉପସ୍ଥାପନ କରୁଥିବାବେଳେ ୧୧ଟି ରାଜ୍ୟ କେବଳ ଅନଲାଇନ ଆରଟିଆଇ ଆବେଦନ ସୁବିଧା ପ୍ରଦାନ କରୁଛନ୍ତି। ୧୪ଟି ରାଜ୍ୟ ୱେବସାଇଟରେ ତ୍ୱରିତ ତଥ୍ୟ ଅପଲୋଡ କରୁଥିବାବେଳେ ୮ଟି ରାଜ୍ୟ ପ୍ରସଙ୍ଗକୁ ବିସ୍ତୃତ ପ୍ରକ୍ରିୟାରେ ଅପଲୋଡ଼ କରିଥାନ୍ତି। ଛତିଶଗଡ଼ କେବଳ ଏଭଳି ରାଜ୍ୟ ଯିଏ ୨୦୦୫ରୁ ୨୦୧୭ ମଧ୍ୟରେ ନିୟମିତ ବାର୍ଷିକ ରିପୋର୍ଟ ୱେବସାଇଟରେ ଉପସ୍ଥାପନ କରିଛି।
କେନ୍ଦ୍ର ସୂଚନା ଆୟୋଗର ରିପୋର୍ଟ ଅନୁଯାୟୀ ୨୦୦୫ରୁ ୨୦୧୬ମଧ୍ୟରେ ୧କୋଟି ୯୩ଲକ୍ଷ ୨୪ହଜାର ୭୫ଟଙ୍କା ଫାଇନ ଆକାରରେ ଆରଟିଆଇ କର୍ମକର୍ତ୍ତାଙ୍କୁ ପ୍ରଦାନ କରାଯାଇଛି। ଫାଇନ୍ ପ୍ରଦାନରେ ନିୟମିତତା ପାଳନ କରୁଥିବା ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ, ହରିୟାନା, ଉତ୍ତରାଖଣ୍ଡ, ଓଡ଼ିଶା ଓ ଗୁଜରାଟ ସ୍ଥାନ ପାଇଛନ୍ତି।
୨୯ଟି ରାଜ୍ୟ ମଧ୍ୟରୁ କେବଳ ୧୨ଟି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ଓ ସୂଚନା ଆୟୋଗ ପଦ ପୂରଣ କରିଥିବାବେଳେ କେନ୍ଦ୍ର ଓ ରାଜ୍ୟସ୍ତରରେ ୧୫୬ଟି ପଦ ମଧ୍ୟରୁ ୩୦.୮ ପ୍ରତିଶତ ପଦ ଖାଲି ପଡ଼ିଛି। ଆନ୍ଧ୍ରପ୍ରଦେଶ, ଜାମ୍ମୁ-କାଶ୍ମୀର ଓ ନାଗାଲ୍ୟାଣ୍ଡରେ କୌଣସି ମୁଖ୍ୟ ସୂଚନା ଅଧିକାର ଆୟୋଗ ପଦ ନାହିଁ।