ଦନ୍ତା ଆକ୍ରମଣରେ ମହିଳା ଚାଷୀ ମୃତ

ତିଗିରିଆ: ଆଠଗଡ଼ ବନଖଣ୍ଡର ତିଗିରିଆ ବନଚକ ଅନ୍ତର୍ଗତ ଅଚଳକୋଟ ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଗ୍ରାମ ମୁଣ୍ଡିଆସାହିର ରମେଶ ରାଉତଙ୍କ ପତ୍ନୀ ନିଆସ ରାଉତ(୪୮) ନିଜ ଜମିରେ ଚାଷ କରିଥିବା ପନିପରିବା ତୋଳିବା ପାଇଁ ଶୁକ୍ରବାର ଭୋର ୫ଟା ସମୟରେ କ୍ଷେତକୁ ଯାଉଥିବା ବେଳେ ତୋଟା ଗହଳରେ ଛପି ରହିଥିବା ଦନ୍ତା ହଠାତ୍ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ମହିଳାଙ୍କୁ ଦଳିଚକଟି ଦେବାରୁ ସେଠାରେ ତାଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା।
ନିଆସଙ୍କୁ ତାଙ୍କ ଘର ଠାରୁ ମାତ୍ର ଅଧ କିମି ଦୂର କ୍ଷେତ ପାଖାପାଖିରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣ ସମ୍ପର୍କରେ ଖବର ପାଇ ତୁରନ୍ତ ତିଗିରିଆ ବନପାଳ ରାକେଶ ପ୍ରଧାନ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଚଳକୋଟ ସମେତ ପାଖ ପଡ଼ୋଶୀ ଗ୍ରାମର ଶହଶହ ଜନସାଧାରଣ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

prayash

ଏହାପରେ ଆଠଗଡ଼ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ମୃତଦେହକୁ ଜବତ ପରେ ବ୍ୟବଛେଦ ଲାଗି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ମୃତକ ପରିବାରକୁ କ୍ଷତି ପୂରଣ ବାବଦ ବନବିଭାଗ ପକ୍ଷରୁ ପ୍ରାଥମିକ ଭାବେ ୪୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ବନପାଳ ଶ୍ରୀ ପ୍ରଧାନ କହିଛନ୍ତି। ସେହିଭଳି ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବିଜୟ ବଳିୟାରସିଂହ ଏବଂ ସମିତିସଭ୍ୟଙ୍କ ପ୍ରତିନିଧି ଅଚ୍ୟୁତ ଜେନା ଉପସ୍ଥିତ ରହି ହରିଶ୍ଚନ୍ଦ୍ର ଯୋଜନାରେ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୨ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡ଼ିଛି। ନିଆସଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ କ୍ଷତିପୂରଣ ବାବଦ ସହାୟତା ରାଶି ତୁରନ୍ତ ସମ୍ପୂର୍ଣ୍ଣଭାବେ ପ୍ରଦାନ ସହିତ ପରିବାରରୁ ଜଣଙ୍କୁ ବନବିଭାଗରେ ଥଇଥାନ ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି। ଗତ ପ୍ରାୟ ୭ବର୍ଷ ମଧ୍ୟରେ ଅଚଳକୋଟ ପଞ୍ଚାୟତରେ ହାତୀ ଆକ୍ରମଣରେ ୩ଜଣଙ୍କର ପ୍ରାଣହାନି ଘଟିଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି।

kalyan agarbati

Comments are closed.