ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ସେବା ଓ ସେବକ ସପ୍ତାହ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା କଲେଜ ଏନଏସଏସ, ଯୁବ ରେଡକ୍ରସ ଓ ରେଞ୍ଜର୍ସର ମିଳିତ ଆନୁକୁଲ୍ୟରେ ଗୋପବନ୍ଧୁଙ୍କ ୯୪ତମ ଶ୍ରାଦ୍ଧବାର୍ଷିକ ଅବସରରେ ସୋମବାର ସେବା ଓ ସେବକ ସପ୍ତାହ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ଏନଏସଏସ, ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଓ ରେଞ୍ଜର୍ସ ଛାତ୍ରୀମାନେ କଲେଜ ପରିସରରେ ବ୍ୟାପକ ସଫେଇ କରିବା ସହ ଚାରା ରୋପଣ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ସଭାପତିତ୍ୱ କରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କର ତ୍ୟାଗପୁତ ଜୀବନାଦର୍ଶ ଛାତ୍ରୀମାନଙ୍କ ପାଇଁ ଅନୁକରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ସମାଜ ପ୍ରତିନିଧି ସୁଧିରଞ୍ଜନ ଦାଶ ଏଥିରେ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନେ ଉତ୍କଳମଣିଙ୍କ ସେବା ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେବାକୁ ଜୀବର ବ୍ରତ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ପରିବେଶର ସନ୍ତୁଳନ ଓ ସୁରକ୍ଷା ନିମନ୍ତେ ବ୍ୟାପକ ଚାରାରୋପଣ କରି ସବୁଜ ବଳୟ ସୃଷ୍ଟି କରିବା, ଜଙ୍ଗଲ ସଂପଦର ସୁରକ୍ଷା କରିବା ଏବଂ ସ୍ୱଚ୍ଛତା ରକ୍ଷା କରିବା ବର୍ତ୍ତମାନ ପରିସ୍ଥିତିରେ ଏକ ଶ୍ରେଷ୍ଠ ସେବା ବୋଲି ଶ୍ରୀ ଦାଶ କହିବା ସହ ଛାତ୍ରୀମାନେ ଏଥିପ୍ରତି ପ୍ରୟାସ କରିବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ବରିଷ୍ଠ ଅଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ ଗୋପବନ୍ଧୁଙ୍କର ନିସ୍ୱାର୍ଥପର ସେବା ଓ ତ୍ୟାଗର ପଟ୍ଟାନ୍ତର ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଗୋପବନ୍ଧୁଙ୍କ ଉପରେ ପର୍ଯ୍ୟବେସିତ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଶୁଭସ୍ମିତା ପଶ୍ଚିମ କବାଟ, ୨ୟ ସ୍ଥାନରେ ପ୍ରିୟଙ୍କା ପ୍ରିୟଦର୍ଶିନୀ, ୩ୟ ଇତିଶ୍ରୀ ଜେନା ଏବଂ ମନିଷା ବେହେରାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ବିତରଣ କରାଯାଇଥିଲା । ଏନଏସଏସର ଯୋଜନା ଅଧିକାରୀ ଅଧ୍ୟାପିକା ସ୍ମିତା ମହାପାତ୍ର, ରେଡକ୍ରସର ଉପଦେଷ୍ଟା ଅଧ୍ୟାପିକା ପୁଷ୍ପମଞ୍ଜରୀ ଦାସ, ରେଞ୍ଜର ଲିଡର ବିଜୟାଲକ୍ଷ୍ମୀ ମହାନ୍ତି ପ୍ରମୁଖଙ୍କ ସମେତ କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.