ନିଖୋଜ ମହିଳାଙ୍କ ଉଦ୍ଧାର ନେଇ ଥୁଆମୁଳ ଥାନାର ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କଲମପୁର: ଗତ ୨୦ ତାରିଖ ଦିନ ନିକଟସ୍ଥ ନଦୀକୁ ଗାଧୋଇବା ପାଇଁ ଯାଇଥିବା ଗୋପାଳପୁର ଗ୍ରାମର ଜନୈକ ବିବାହିତ ମହିଳା ଘରକୁ ନଫେରି କେଉଁ ଆଡେ ନିଖୋଜ ହେଇଯାଇଛନ୍ତି। ଏନେଇ ତାଙ୍କ ସ୍ୱାମୀ ବୃନ୍ଦା ନାଏକ ଥୁଆମୁଳ ରାମପୁର ଥାନାରେ ଏତଲା ଦେଇଥିଲେ। କିନ୍ତୁ ମହିଳାଙ୍କ ବାପଘର ପରିବାର ଲୋକ ଝିଅର ନିଖୋଜକୁ ଯୋଜନାବଦ୍ଧ କାର୍ଯ୍ୟ ବୋଲି କହିବା ସହ ତାକୁ ଯୌତୁକ ନିର୍ଯ୍ୟାତନା ଦେଉଥିବାରୁ ଅତିଷ୍ଟ ହେଇ ଝିଅ କେଉଁଆଡେ ଚାଲିଯାଇଛି, କି ଆତ୍ମହତ୍ୟା କରିଛି ଅଥବା ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି। ତେଣୁ ଏହାର ଉଚିତ ତଦନ୍ତ କରାଯାଉ ବୋଲି ଝିଅର ବାପା ଗଜାନନ ନାଏକ ଓ କୋଷାବରା ଗ୍ରାମବାସୀ ଥୁଆମୁଳ ରାମପୁର ଥାନାର ଦ୍ୱାରସ୍ଥ ହେବା ପରେ ଘଟଣା ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି। ନିଖୋଜର ୫ ଦିନ ପରେ କୌଣସି ପତା ମିଳି ନ ଥିବାରୁ ପରିବାର ଲୋକ ଏବେ ଆଶା ଓ ଆଶଙ୍କାରେ।

ସୂଚନା ଅନୁସାରେ, ସମ୍ପୃକ୍ତ ମହିଳା ଜଣକ ପୂର୍ବରୁ ବିବାହିତ ଥିଲେ ଓ ତାଙ୍କର ଏକ କନ୍ୟା ସନ୍ତାନ ଥିଲା, କିନ୍ତୁ ପରବର୍ତି ସମୟରେ ଗୋପାଳପୁର ଗ୍ରାମର ଯୁବକ ବୃନ୍ଦା ନାଏକଙ୍କୁ ଭଲପାଇ ପ୍ରଥମ ସ୍ୱାମୀ ଓ ସନ୍ତାନକୁ ଛାଡି ଦେଇ ବୃନ୍ଦାଙ୍କ ପାଖକୁ ପଳାଇଥିଲେ। ଏନେଇ ଥୁଆମୁଳ ରାମପୁର ଥାନାରେ ଅଭିଯୋଗ ହେବା ପରେ ସମ୍ପୃକ୍ତ ମହିଳା ଜଣକ ବୃନ୍ଦାଙ୍କ ପାଖରେ ରହିବା ପାଇଁ ସହମତି ପ୍ରକାଶ କରି ଆଜିକୁ ପ୍ରାୟ ୮ ମାସ ହେବ ବୃନ୍ଦାଙ୍କ ପାଖରେ ରହୁଥିଲେ। ବୃନ୍ଦା ମଧ୍ୟ ପୂର୍ବରୁ ବିବାହିତ ହୋଇଥିବାରୁ ଏହି ମହିଳା ଜଣକ ଦ୍ୱିତୀୟ ପତ୍ନୀ ଭାବେ ରହିଥିଲେ। କିନ୍ତୁ ପ୍ରଥମ ସ୍ୱାମୀ ଏବଂ ବାପା ଘରକୁ ଛାଡିବା ପରେ ଦ୍ୱିତୀୟ ସ୍ୱାମୀ ବୃନ୍ଦାଙ୍କ ପରିବାର ପକ୍ଷରୁ ରିତିମତ ମହିଳା ଜଣକୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ପରିବାର ଲୋକ ସୂଚନା ପାଇଥିଲେ। ପ୍ରଥମ ସ୍ୱାମୀକୁ ଛାଡି ଥିବାରୁ ଲୋକ ଲଜ୍ଜା ଭୟରେ ବାପା ଘରକୁ ମଧ୍ୟ ମହିଳା ଜଣକ ଆସୁନଥିଲେ। ଯାହା ନିର୍ଯ୍ୟାତନା ହେଲେ ମଧ୍ୟ ସହିଯାଉଥିଲେ। ଏନେଇ ତାର କିଛି ସମ୍ପର୍କିୟ ଜାଣିଥିଲେ। ନିର୍ଯ୍ୟାତନା ବୃଦ୍ଧି ପାଇବାରୁ ହୁଏତଃ ସେ କେଉଁ ଆଡେ ଚାଲିଯାଇଛି, ନଚେତ ଆତ୍ମହତ୍ୟା କରିଛି ଅଥବା ତାକୁ ହତ୍ୟା କରାଯାଇ ନିଖୋଜର ନାଟକ କରାଯାଉଛି ବୋଲି ମହିଳାଙ୍କ ବାପା ଗଜାନନ ନାଏକ ଓ ସମ୍ପର୍କିୟମାନେ ମତବ୍ୟକ୍ତ କରିଛନ୍ତି। ଅନ୍ୟପଟେ ଏହି ନିଖୋଜ ମାମଲାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଥୁଆମୁଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ।

Comments are closed.