ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଭୁବନେଶ୍ୱର ଗସ୍ତ
ଭୁବନେଶ୍ୱର: ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୋମା ଶଙ୍କର ପ୍ରସାଦ ଚଳିତ ମାସ ୨୩ ତାରିଖରେ ଭୁବନେଶ୍ୱର ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ୧୬୭ତମ ଏସ୍ଏଲ୍ବିସି ବୈଠକରେ ଯୋଗ ଦେଇଥିଲେ । ବୈଠକରେ ମାନନୀୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଅତିରିକ୍ତ ସଚିବ ତଥା ଡେଭେଲପମେଣ୍ଟ କମିଶନର ଏବଂ ଅନ୍ୟାନ୍ୟ ସଚିବ ଆର୍ଥିକ ବର୍ଷ ୨୦୨୧-୨୨ର ବାର୍ଷିକ କ୍ରେଡିଟ୍ ଯୋଜନା ଲକ୍ଷ୍ୟର ଶତକଡା ୯୩.୦୬ ପ୍ରତିଶତ ହାସଲ ଉପରେ ଓଡିଶାର ସମସ୍ତ ବ୍ୟାଙ୍କର ପ୍ରଦର୍ଶନକୁ ପ୍ରଶଂସା କରିଥିଲେ ଏବଂ ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ହାସଲ କରିବା ଉପରେ ପ୍ରାଧାନ୍ୟ ଦେଇଥିଲେ । ସେ ମଧ୍ୟ ରାଜ୍ୟର ସିଡି ଅନୁପାତରେ ଶତକଡା ୭୨.୨୨ ପ୍ରତିଶତ ଅଭିବୃଦ୍ଧିକୁ ନେଇ ପ୍ରଶଂସା କରିଥିଲେ ।
ସେ ୟୁକୋ ବ୍ୟାଙ୍କ ବିଲ୍ଡିଂରେ ଆୟୋଜିତ ସାମ୍ବାଦିକସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଦେଶରେ ସମସ୍ତ ବ୍ୟାଙ୍କ ଦ୍ୱାରା ଖୋଲାଯାଉଥିବା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍ ୟୁନିଟ୍ ମଧ୍ୟରୁ ୟୁକୋ ବ୍ୟାଙ୍କ ଓଡିଶାର ପୁରୀ ଓ ସାଲେପୁର ଠାରେ ୨ ଟି ଡିଜିଟାଲ ବ୍ୟାଙ୍କିଙ୍ଗ୍ ୟୁନିଟ୍ ଖୋଲିବ ବୋଲି ସୂଚନା ପ୍ରଦାନ କରିଥିଲେ । ବ୍ୟାଙ୍କ ପକ୍ଷରୁ ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ୧୫ଟି ନୂତନ ଶାଖା ଖୋଲାଯିବା ସହ ରାଜ୍ୟରେ ସମୁଦାୟ ନୂତନ ଶାଖା ସଂଖ୍ୟା ୨୬୬ ଟି ହେବ । ସେ ବ୍ୟାଙ୍କ ପକ୍ଷରୁ ଖୁଚୁରା, କୃଷି ଓ ଏମ୍ଏସ୍ଏମ୍ଇ ବିଭାଗଗୁଡିକ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୂଚନା ଦେଇଛନ୍ତି ।
ସେ ଆଞ୍ଚଳିକ କାର୍ଯ୍ୟାଳୟ, ଆସେଟ୍ ମ୍ୟାନେଜମେଣ୍ଟ ଶାଖାର କର୍ମଚାରୀ, ଫିଲ୍ଡ ଇନ୍ସ୍ପେକ୍ଟୋରେଟ୍ ସହ ଭୁବନେଶ୍ୱର ସହରାଞ୍ଚଳ ଶାଖାର ଶାଖା ମୁଖ୍ୟମାନଙ୍କୁ ସମ୍ବୋଧନ କରିଥିଲେ । ଏହି ଅବସରରେ ସେ ଉତ୍ତମ ଗ୍ରାହକ ସେବା, ଋଣ ଆବେଦନପତ୍ରର ତ୍ୱରିତ ମଞ୍ଜୁରୀ ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ସମସ୍ତଙ୍କୁ ବର୍ଷର ଶେଷ ସମୟ ପରିବର୍ତ୍ତେ ବର୍ଷର ଆରମ୍ଭରେ ଋଣ ପ୍ରସ୍ତାବଗୁଡିକୁ ମଞ୍ଜୁର କରିବାକୁ ପରାମର୍ଶ ଦେଇଥିଲେ ।
Comments are closed.