ବାବୁଙ୍କୁ ଖସାଇବାକୁ ତଳିଆଙ୍କୁ ଛାଟ ; କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି କଲେ ପରିବେଶବିତ୍
ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ
ଆଠଗଡ଼ /ବଡ଼ମ୍ବା : ଆଠଗଡ଼ ବନଖଣ୍ଡ ୩ ହାତୀ କଙ୍କାଳ ଓ ନରସିଂହପୁର ବନାଞ୍ଚଳରୁ ଗୁଳିବିଦ୍ଧ ଦନ୍ତାହାତୀ ଠାବ ହେବା ଘଟଣା ନେଇ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ସୋମବାର ସୁଦ୍ଧା ଏହି ଦୁଇ ଘଟଣାରେ ପ୍ରାୟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଗଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଶିକାରୀଙ୍କ ବ୍ୟତିରେକ କିଛି ବନରକ୍ଷୀ, ହାତୀ(ଟ୍ରାକର) ଜଗୁଆଳି ଏବଂ କଙ୍କାଳ ପୋତାଯାଇଥିବା ଜମିର ମାଲିକ ରହିଛନ୍ତି। ପ୍ରଶ୍ନ ଉଠୁଛି ହାତୀ ମୃତ୍ୟୁ କି ହତ୍ୟା ଘଟଣାରେ କେବଳ କ’ଣ ବିଭାଗୀୟ ତଳିଆ କର୍ମଚାରୀ ଦାୟୀ ରହୁଛନ୍ତି? ବିଭାଗୀୟ କର୍ମଚାରୀ ଏବଂ ଜଙ୍ଗଲ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଘଟିଥିବା ଏଭଳି ଘଟଣାର ଟେର ପାଇ ନ ଥିବା ତଥା ମାସମାସ ଧରି ଘଟଣା ସମ୍ପର୍କରେ ଅନ୍ଧକାରରେ ରହିଥିବା ବନଖଣ୍ଡର ଉପରିସ୍ଥ ଅଧିକାରୀଙ୍କ ଅପାରଗତା କ’ଣ ଅପରାଧ ନୁହେଁ କି ? ବାବୁମାନଙ୍କୁ ଖସାଇବା ଲାଗି ଲୋକଦେଖାଣିଆ ଭାବେ କିଛି ତଳିଆ କର୍ମଚାରୀଙ୍କ ଉପରେ ବନ ବିଭାଗର ଏଭଳି ନୀତିକୁ ନେଇ ରାଜ୍ୟର ଅନେକ ଜଙ୍ଗଲ ଓ ପରିବେଶ ପ୍ରେମୀ ପ୍ରଶ୍ନ ଉଠାଇଛନ୍ତି। ଜଙ୍ଗଲର ମୂଲ୍ୟବାନ ବୃକ୍ଷଲତା ତଥା ଜୀବଜନ୍ତୁଙ୍କ ସୁରକ୍ଷା ନେଇ ନିଯୁକ୍ତ ତଳିଆ କର୍ମଚାରୀ ସେମାନଙ୍କ କର୍ତ୍ତବ୍ୟ ସୂଚାରୁରୂପେ କରୁଛନ୍ତି କି ନାହିଁ, ସେ ଉପରେ ବନଖଣ୍ଡ ଉପରିସ୍ଥ ଅଧିକାରୀ ଯଦି ସର୍ବଦା ନଜର ରଖୁଥାନ୍ତେ ତେବେ ଏତେସବୁ ଘଟଣା ଦୀର୍ଘଦିନ ଧରି ଅଜଣା କେମିତି ରହିଥାନ୍ତା? ସୁତରାଂ ବନଖଣ୍ଡ ଅଧିକାରୀ, ସହକାରୀ ବନଖଣ୍ଡ ଅଧିକାରୀ କାହିଁକି ତଦନ୍ତ ପରିସରଭୁକ୍ତ ନହେବେ ସେନେଇ ଅବସରପ୍ରାପ୍ତ ଜଜ୍ ତଥା ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଚିତ୍ତରଞ୍ଜନ ଦାଶ, ପରିବେଶବିତ୍ ଓ ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଅଶୋକ କୁମାର ପଟ୍ଟନାୟକ ପ୍ରଶ୍ନ ଉଠାଇଛନ୍ତି। ଘଟଣାର ବିଭାଗୀୟ ତଦନ୍ତ ନୁହେଁ; ବରଂ ସତ୍ୟତା ଉନ୍ମୋଚନ ଲାଗି କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି।
ଏପରିକି ପରିବେଶବିତ୍ ଶ୍ରୀ ପଟ୍ଟନାୟକ ଘଟଣା ସମ୍ପର୍କରେ ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍)ଙ୍କୁ ଏକ ବାର୍ତ୍ତା ଜରିଆରେ ଦୃଷ୍ଟି ଆକର୍ଷଣ କରିବା ସହ ଆଠଗଡ଼ ବନଖଣ୍ଡରେ ଉପରିସ୍ଥ ଅଧିକାରୀମାନେ ଦିନବେଳା ହେଉ କି ରାତ୍ର ପଇଁତରା ଆବଶ୍ୟକ ଅନୁଯାୟୀ କରୁ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା କହିଛନ୍ତି। ସେହିଭଳି କର୍ତ୍ତବ୍ୟରେ ଅବହେଳା ଜନିତ ଅଭିଯୁକ୍ତ ସାବ୍ୟସ୍ତ ହେଲେ ବିଭାଗୀୟ ତଳିଆ କର୍ମଚାରୀଙ୍କ ଭଳି ଉପରିସ୍ଥ ଅଧିକାରୀଙ୍କ ବଦଳି, ନିଲମ୍ବନ କିମ୍ବା ଗିରଫ ଉପରେ ବନବିଭାଗର ବରିଷ୍ଠ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ ବୋଲି ବଡ଼ମ୍ବା -ନରସିଂହପୁର କୃଷକ ଏକତାମଞ୍ଚର ଆବାହକ ମାନସରଞ୍ଜନ ମୁଦୁଲି, ପରିବେଶ ପ୍ରେମୀ ତଥା ଶିକ୍ଷାବିତ୍ ଚନ୍ଦ୍ରଶେଖର ମହାନ୍ତି କହିଛନ୍ତି। ଏହାର ନିରପେକ୍ଷ ତଦନ୍ତ ଏବଂ ସେଥିରେ ଆଠଗଡ଼ ବନଖଣ୍ଡ ପଦାଧିକାରୀଙ୍କ ସମ୍ପୃକ୍ତି ନରହିବା ଦିଗରେ ସରକାର ଗୁରୁତ୍ୱ ଦେବାକୁ ଦାବି ହେଉଛି। ବନଖଣ୍ଡ ଅନ୍ତର୍ଗତ ୫ଟି ରେଞ୍ଜ ଯଥା ଖୁଣ୍ଟୁଣୀ, ଆଠଗଡ଼, ବଡ଼ମ୍ବା, ନରସିଂହପୁର ପୂର୍ବ ଏବଂ ପଶ୍ଚିମ ରେଞ୍ଜ ଅନ୍ତର୍ଗତ ହଜାର ହଜାର ଏକର ପରିମିତ ଜଙ୍ଗଲ ରହିଛି।
Comments are closed.