ହାତୀ ମୃତ୍ୟୁ ଘଟଣାପରେ ବନବିଭାଗର ତତ୍ପରତା : ୮ବନପାଳଙ୍କ ବଦଳି

ଆଠଗଡ଼ ବନଖଣ୍ଡରେ କାର୍ଯ୍ୟରତ ବନପାଳଙ୍କ ବଦଳି

ବଡ଼ମ୍ବା :  ଆଠଗଡ଼ ବନଖଣ୍ଡରେ ଏକାଧିକ ହାତୀମୃତ୍ୟୁ ଘଟଣାକୁନେଇ ରାଜ୍ୟରେ ଚହଳ ଖେଳିଯାଇଥିବା ବେଳେ ପ୍ରତିଦିନ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାରେ ରହିଛି। ଏହି ଘଟଣାରେ ବିଭାଗୀୟ କର୍ତ୍ତୃପକ୍ଷ ତ ଦୂରେ ଥାଉ, କୌଣସି କର୍ମଚାରୀ ମୁହଁ ଖୋଲିବାକୁ ଇଛାପ୍ରକାଶ କରୁନଥିବା ,ଏପରିକି ପଦାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ ମଧ୍ୟ ଉଠାଉନଥିବା ବିଡ଼ମ୍ବନା ମନେ କରାଯାଉଛି। ତେବେ ବିଶେଷସୂତ୍ରରୁ ଗଣମାଧ୍ୟମ ହାତରେ ଲାଗିଥିବା ସୂଚନାନୁଯାଇ ସୋମବାର ଏହି ବନଖଣ୍ଡ ଅଧିନରେ କାର୍ଯ୍ୟରତ ୮ଜଣ ବନପାଳଙ୍କୁ ଅଚାନକ ଅନ୍ୟତ୍ର ବଦଳି କରାଯାଇଥିବା ଜଣାଯାଇଛି । ଅନଗୁଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନସଂରକ୍ଷକ(ଆରସିସିଏଫ୍)ଙ୍କ ପତ୍ର ସଂଖ୍ୟା (୧୮୦/୨ଏଫ୍- ୭୧୫/୨୦୨୨) ଓ ତାରିଖ ତା୨୦/୬/୨୦୨୨ ଅନୁଯାଇ ଏହି ସମୁହ ବନପାଳଙ୍କ ବଦଳି ନିର୍ଦେଶ କରାଯାଇଥିବା ପ୍ରକାଶ । ଏହି  ନିର୍ଦେଶନାମା ଅନୁଯାଇ ବଦଳି ହୋଇଥିବା ବନପାଳମାନେ ହେଲେ ରାକେଶକୁମାର ଦଳେଇ, ସୁଜିତକୁମାର ଜେନା, ରାକେଶକୁମାର ପ୍ରଧାନ, ବିଶ୍ୱଜିତ ପୃଷ୍ଟି, ବାମନ ଚରଣ ରାଉତ, ମାନସରଞ୍ଜନ ନାୟକ, ଭାଗ୍ୟଶ୍ରୀ ଦାସ, ଅଜୟ କୁମାର ଦାସ । ଏମାନଙ୍କ ମଧ୍ୟରୁ ନିକଟସ୍ଥ କଟକ ବନଖଣ୍ଡକୁ ୨ଜଣଙ୍କୁ ଏବଂ ଅନଗୁଳ ବନଖଣ୍ଡକୁ ୩ଜଣଙ୍କୁ ବଦଳି କରାଯାଇଥିବା ବେଳେ ଅନ୍ୟ ୩ଜଣଙ୍କୁ ଆଠମଲ୍ଲିକ ବନଖଣ୍ଡକୁ ବଦଳି ନିର୍ଦେଶ ଦିଆଯାଇଥିବା ଆରସିସିଏଫଙ୍କ ଉକ୍ତ ପତ୍ରରେ ନିର୍ଦେଶ ରହିଛି । ତେବେ ଘଟଣା ବହୁଳ ହାତୀ ମୃତ୍ୟୁ ଘଟଣାରେ ତନାଘନା ତଦନ୍ତ ଜାରି ରହିଥିବା ବେଳେ ଏବଂ ଏହାର ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ ଦାବି ହେଉଥିବା ବେଳେ ଏତେ ସଂଖାରେ ପୁରୁଣା କର୍ମଚାରୀଥିବା ବନପାଳଙ୍କ ବଦଳି ଘଟଣାର ତଦନ୍ତରେ ବ୍ୟାଘାତ ଆଣିବ ବୋଲି ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହେଉଛି। ସେ ଯାହା ବି ହେଉ ବିଭାଗ ତରଫରୁ ନିତିଦିନ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ନେଇ ତଳିଆ କର୍ମଚାରୀଙ୍କ ମହଲରେ ଏକପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଥିବା ଲକ୍ଷ କରାଯାଉଛି।

kalyan agarbati

Comments are closed.