ସରିଲା ପ୍ରଥମ ପର୍ଯ୍ୟାୟ ସମବାୟ ନିର୍ବାଚନ

୭୧ ପ୍ରତିଶତ ମତଦାନ, ୩ ସମିତିରେ ବାଲଟ ପେପର ତ୍ରୁଟି ; ମତଦାନ ଘୁଞ୍ଚିଲା ୨୬କୁ ଅକ୍ଟୋବରରେ କେନ୍ଦ୍ରୀୟ ସମବାୟ ସମିତି ନିର୍ବାଚନ

ଭୁବନେଶ୍ବର : ରବିବାର ୭୨୮ ସମବାୟ ସମିତିରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟା ସୁଦ୍ଧା ୭୧ ପ୍ରତିଶତ ସଭ୍ୟ ମତଦାନ ସାବ୍ୟସ୍ତ କରିଥିବା ରାଜ୍ୟ ସମବାୟ ନିର୍ବାଚନ ଆୟାଗଙ୍କ ଆୟୁକ୍ତ ସୁନ୍ଦରଲାଲ ସିଲ୍ ଜଣାଇଛନ୍ତି।
ଶ୍ରୀ ସିଲଙ୍କ ସୂଚନା ଅନୁଯାୟୀ ଆଜି ୭୩୧ଟି ସମିତିରେ ମତଦାନ ହେବାକୁ ଥିଲା। ତେବେ ପୁରୀ ଏବଂ ଅନୁଗୋଳର ୩ଟି ସ୍ଥାନରେ ବାଲଟ ପେପର ସମସ୍ୟା ଯୋଗୁଁ ନିର୍ବାଚନ ହୋଇପାରିନାହିଁ। ମାତ୍ର ଅନ୍ୟ ୭୨୮ ସମବାୟ ସମିତିରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଛି। ଆସନ୍ତା ୨୬ରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ପ୍ରଥମ ପର୍ଯ୍ୟାୟର ଏହି ୩ଟି ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ। ୨୬ ତାରିଖରେ ୬୪୨ଟି ସମବାୟ ସମିତିରେ ନିର୍ବାଚନ ହେବ। ଆଜି ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଓ ଲାମ୍ପ୍ସରେ ଅଧିକ ପ୍ରତିଶତ ମତଦାନ ହୋଇଥିବାବେଳେ ଦୁଗ୍ଧ, ମତ୍ସ୍ୟ, ବୁଣାକାର ଭଳି ବିଭିନ୍ନ ସମିତିଗୁଡିକରେ ମତଦାନ ହାର କମ୍ ରହିଛି। ପାକ୍ସ ଓ ଲାମ୍ପ୍ସଗୁଡିକର ୮୦ପ୍ରତିଶତ ମତଦାନ ହୋଇଛି। ଆଜି ୭୨୮ ସମବାୟ ସମିତିରେ ନିର୍ବାଚନ ହୋଇଛି। ଆସନ୍ତା ୨ଦିନ ଭିତରେ ଏହି ସମବାୟ ସମିତିଗୁଡିକର ସଭାପତି ନିର୍ବାଚନ କରାଯିବ। ସଭାପତି ନିର୍ବାଚନ ଶେଷ ହେବାର ୧୫ଦିନ ମଧ୍ୟରେ ଉପସଭାପତି ନିର୍ବାଚନ କରାଯିବ।
ଶ୍ରୀ ସିଲ୍ କହିଛନ୍ତି ଯେ ପୂର୍ବରୁ ରାଜ୍ୟରେ ସମୁଦାୟ ୩୨୫୨ ପାକ୍ସରୁ ୨୫୨୧ ସମିତିରେ ସଦସ୍ୟ/ସଦସ୍ୟାମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। ଆଜି ୨୪୪ଟି ସମିତି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଥିଲା। ଏଥିରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ସଶସ୍ତ୍ର ପୁଲିସ ବଳ ଓ ମାଜିଷ୍ଟ୍ରେଟ ମୁତୟନ ହୋଇଥିଲେ। ହେଲେ ସବୁଠାରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ସମ୍ପନ୍ନ ହୋଇଛି। ଏହି ନିର୍ବାଚନ ପରିଚାଳନାରେ ୧୯ଜଣ ଉପନିବନ୍ଧକ, ୫୮ଜଣ ସହକାରୀ ନିବନ୍ଧକଙ୍କ ସହ ସମବାୟ ବିଭାଗର ବିଭିନ୍ନ ବର୍ଗର କର୍ମଚାରୀ ସାମିଲ ଅଛନ୍ତି। ଆଜି ୪ଲକ୍ଷ ୫୩ହଜାର ୬୧୦ଜଣ ମତଦାତା ମତଦାନ ସାବ୍ୟସ୍ତ କରିବାକୁ ରହିଥିବାବେଳେ ୩ଟି ସମିତିର ମତଦାନ ହୋଇପାରିନାହିଁ। ୨୬ ରେ ସବୁ ସମବାୟ ସମିତିଗୁଡିକର ମତଦାନ ଶେଷ ହେବା ପରେ ମତଦାତାଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରିବ। ଏହି ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେ ଅକ୍ଟୋବରରେ କେନ୍ଦ୍ରୀୟ ସମବାୟ ସମିତିଗୁଡିକର ନିର୍ବାଚନ କରାଯିବ ବୋଲି ଆୟୁକ୍ତଙ୍କ ପକ୍ଷରୁ କୁହାଯାଇଛି।

kalyan agarbati

Comments are closed.