ପଣସ ପରେ ଛତୁ, ଫୁଲ, ମସଲା ମିଶନ
ପ୍ରସ୍ତୁତ ହେଲା ଚିଠା ପ୍ରସ୍ତାବ, ଅନୁମୋଦନକୁ ଅପେକ୍ଷା
ଭୁବନେଶ୍ବର : ରାଜ୍ୟର ୮୦ଭାଗ ଚାଷୀ କେବଳ ଧାନ ଚାଷ ଉପରେ ନିର୍ଭର କରୁଛନ୍ତି। ଧାନ ପାଇଁ ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ କୌଣସି ପରିସ୍ଥିତିରେ ଚାଷୀଙ୍କ ରୋଜଗାର ବୃଦ୍ଧି କିମ୍ବା ଜୀବନ ଧାରଣର ମାନରେ ଉନ୍ନତି ଆଣିବା ସମ୍ଭବ ହେଉନଥିବାରୁ ଅଣଧାନ ଫସଲ ତଥା ଉଦ୍ୟାନ କୃଷିର ବିକାଶ ଉପରେ ଜୋର ଦିଆଯାଇଛି। ନିକଟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ପଣସ, ମକା, ଛତୁ, ଫୁଲ ଓ ପନିପରିବା ଆଦି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ସ୍ଥିର ହୋଇଛି। ଏଥିପାଇଁ ସ୍ବତନ୍ତ୍ର ଭାବେ ମିଶନ ଗଠନ ନିମନ୍ତେ ଚିଠା ପ୍ରସ୍ତାବ ପ୍ରସ୍ତୁତ କରାଯିବା ସହ ସରକାରଙ୍କ ଅନୁମୋଦନ ପାଇଁ ପଠାଇବାକୁ ନିର୍ଦେଶ ଜାରି ହୋଇଛି।
ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପୂର୍ବରୁ ପଣସ ମିଶନ ପ୍ରସ୍ତୁତ ହୋଇଥିବାବେଳେ ଏବେ ଛତୁ, ଫୁଲ ଓ ମସଲା ଉତ୍ପାଦନ ବୃଦ୍ଧି ପାଇଁ ମିଶନ ଗଠନ ସହ ଏଣିକି ଉନ୍ନତମାନର ପ୍ରୋଟିନ୍ଯୁକ୍ତ ମକା ଚାଷ, ଫଳ ଓ ପନିପରିବା ଚାଷ ଅଞ୍ଚଳ ବୃଦ୍ଧି, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା, କୋଲଡ ଚେନ୍ର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରାଯିବାକୁ ସ୍ଥିର ହୋଇଛି। ନିଆଯାଇଥିବା ନିଷ୍ପତ୍ତି ଅନୁସାରେ କୃଷକ ଉତ୍ପାଦନକାରୀ ସଂଘ (ଏଫ୍ପିଓ) ସମେତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଉତ୍ପାଦନ ସାମଗ୍ରୀ ସଂଗ୍ରହ ଏବଂ ଉଦ୍ୟାନ କୃଷିଜାତ ଦ୍ରବ୍ୟର ବଜାର ପାଇଁ ମାର୍କଫେଡ୍ ଓ ନାଫେଡକୁ ସାମିଲ କରାଯିବ। ମିଲେଟ (ମାଣ୍ଡିଆ) ମିଶନ ଭଳି କଫି ମିଶନ କାର୍ଯ୍ୟକାରୀ କରାଯିବ। ଶସ୍ୟ ଉତ୍ପାଦନ ବୃଦ୍ଧି ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ମହୁମାଛି ଚାଷ (ବି-କିପିଙ୍ଗ) କାର୍ଯ୍ୟକ୍ରମ ଉପରେ ଜୋର ଦିଆଯିବ। ଫଳ ଓ ପନିପରିବାରେ ଆତ୍ମନିର୍ଭରଶୀଳ କରିବା ପାଇଁ ଯୋଜନା ପ୍ରସ୍ତୁତି ନିମନ୍ତେ ଫଳ ଓ ପରିବାର ଆମଦାନୀ ଓ ରପ୍ତାନି ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ରାଜ୍ୟର ୫ଟି ପ୍ରମୁଖ ସହରରେ ବଜାର ସର୍ବେକ୍ଷଣ କରାଯିବାକୁ ନିଷ୍ପତ୍ତି ହୋଇଛି।
ଛତୁ ମିଶନରେ ଏଣିକି ପାହାଡିଆ ଅଞ୍ଚଳରେ ଓଏଷ୍ଟର ଛତୁ ସହିତ ପାଳ ଛତୁ ଚାଷକୁ ପ୍ରୋତ୍ସାହିତ କରାଯିବ। ଶିକ୍ଷାନୁଷ୍ଠାନ ଛାତ୍ରାବାସ, ହୋଟେଲ ତଥା ସରକାରୀ ପ୍ରତିଷ୍ଠାନଗୁଡିକରେ ଛତୁ ଉତ୍ପାଦନ ପାଇଁ ଓରମାସ ପକ୍ଷରୁ ସୁବିଧା ସୃଷ୍ଟି କରାଯିବ। ବ୍ୟବସାୟୀଙ୍କ ସହିତ ଯୋଗସୂତ୍ର ରକ୍ଷା କରି ରାଜ୍ୟ ଭିତରେ ଓ ବାହାରେ ଏଥିପାଇଁ ସଂଗଠିତ ବଜାର ସୁବିଧା କରାଯିବ। ଛତୁ ପାଇଁ ବଜାର ସର୍ବେକ୍ଷଣ ସହ ଅଫ୍ଲାଇନ ଓ ଅନ୍ଲାଇନ୍ ଜରିଆରେ ବୃହତ ବଜାର ସୃଷ୍ଟି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ।
ଭୁବନେଶ୍ବରରେ ଥିବା ଆଞ୍ଚଳିକ ଉଦ୍ଭିଦ ଗବେଷଣା କେନ୍ଦ୍ରରେ ଫୁଲ ଚାରା ସୃଷ୍ଟି ପାଇଁ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ହୋଇଥିବା ବ୍ୟବସ୍ଥା ଅନୁଧ୍ୟାନ କରି ଉଦ୍ୟାନ କୃଷି ବିଭାଗ ଫୁଲ ଚାଷ ଏବଂ ଉତ୍ପାଦନ ବୃଦ୍ଧି ପାଇଁ ଯୋଜନା କରିବ। ଫୁଲ ମିଶନ ଜରିଆରେ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯିବ। ଫୁଲର ଚାହିଦା, ବିକ୍ରି, ଲାଭ ବିଷୟରେ ବଜାର ସର୍ବେକ୍ଷଣ ହେବ। ଦୁଇବର୍ଷ ପାଇଁ କନସଲଟାନ୍ସି (ପରାମର୍ଶଦାତା)ଙ୍କୁ ନିୟୋଜିତ କରାଯିବ ଏବଂ ସେମାନେ ଉତ୍କୃଷ୍ଟ ଚାଷ ପ୍ରଣାଳୀ ବିଷୟରେ ଚାଷୀଙ୍କୁ ସହଯୋଗ କରିବେ।
ମସଲା ମିଶନରେ ମସଲାର ପ୍ରକ୍ରିୟାକରଣଙ୍କୁ ଗୁରୁତ୍ବ ଦିଆଯିବା ସହ ସ୍ଥାନୀୟ ବ୍ୟବସାୟୀଙ୍କ ସମେତ ଓମ୍ଫେଡ୍ ଏବଂ ଓରମାସ ଜରିଆରେ ବଜାର ବିକ୍ରି ପାଇଁ ବ୍ୟବସ୍ଥା କରାଯିବ। ଜଙ୍ଗଲ ବିଭାଗ ସହିତ ପରାମର୍ଶକ୍ରମେ ବନସୁରକ୍ଷା ସମିତି (ଭିଏସ୍ଏସ୍) ପରିଚାଳନାରେ ଥିବା ଅଞ୍ଚଳରେ ମରିଚ ଚାଷ କରାିଯବ। ବନ ସୁରକ୍ଷା ସମିତିକୁ ମରିଚ ଏବଂ ଅନ୍ୟାନ୍ୟ ମସଲା ଚାଷରେ ନିୟୋଜିତ କରାଯିବ। ଜଙ୍ଗଲ ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏଭଳି ଚାରାରୋପଣ ପାଇଁ ପ୍ରୋତ୍ସାହିତ କରାଯିବ।
ଛତୁ, ଫୁଲ, ମସଲା ମିଶନ ଚିଠା ପ୍ରସ୍ତାବକୁ ସରକାର ଅନୁମୋଦନ କରିବା ପରେ ଏହାକୁ ଅର୍ଥ ଏବଂ ଯୋଜନା ଓ ସଂଯୋଜନା ବିଭାଗର ମଞ୍ଜୁରି ନିମନ୍ତେ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି।
Comments are closed.