କାର୍ତ୍ତିକ, ଆଭେସଙ୍କ ଚମକ; ଶୃଙ୍ଖଳା ବରାବର

୪ର୍ଥ ଟି୨୦: ଭାରତ ୮୨ରନରେ ବିଜୟୀ

ରାଜକୋଟ  : ପ୍ରଥମ ଦୁଇ ମ୍ୟାଚରେ ପରାଜୟ ପରେ ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧିନ ଭାରତୀୟ ଦଳ କ୍ରମାଗତ ଦୁଇଟି ବିଜୟ ସହ ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଟି-୨୦ ଶୃଙ୍ଖଳାକୁ ବରାବର କରିଛି। ଦିନେଶ କାର୍ତ୍ତିକଙ୍କ ଅର୍ଦ୍ଧଶତକ ପରେ ଆଭେସ ଖାଁଙ୍କ ଘାତକ ବୋଲିଂ ବଳରେ ୪ର୍ଥ ଟି-୨୦ ମ୍ୟାଚରେ ଭାରତ ୮୨ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୨-୨ ସମାନ ସ୍ଥିତିକୁ ଆଣିଛି। ରବିବାର ବାଙ୍ଗାଲୋରରେ ଶୃଙ୍ଖଳାର ଅନ୍ତିମ ତଥା ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ।
ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ୫୫ରନ ବଳରେ ଭାରତ ୧୬୯ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୮୭ ରନ କରିବାକୁ ସକ୍ଷମ ହୋଇଥିଲା। ୧୭୦ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କ ଯୋଜନାବଦ୍ଧ ବୋଲିଂରେ ଛନ୍ଦି ହୋଇଯାଇଥିଲା। ଓପନିଂ କରିବାକୁ ଆସିଥିବା ଅଧିନାୟକ ତେମ୍ବା ବାଭୁମା ୮ରନ କରି ରିଟାଡହର୍ଟ ହୋଇଥିଲେ। ଦଳ ପ୍ରଥମ ୧୦ ଓଭରରୁ ୩ ୱିକେଟରେ ୫୮ରନ କରିଥିଲା। କ୍ବିଣ୍ଟନ ଡିକକ୍‌ ୧୪, ହେନରିଚ୍‌ କ୍ଲାସେନ ୮ରନ କରିଥିବାବେଳେ ଡ୍ବିନ ପ୍ରିଟୋରିୟସ ଖାତା ଖୋଲି ପାରିନଥିଲେ। ଡେଭିଡ୍‌ ମିିଲର ୯ରନ କରି ଆଉଟ୍‌ ହେବା ପରେ ଭାରତର ମ୍ୟାଚ ଜିତିବା ଆ​​‌ଶା ବଢି ଯାଇଥିଲା। ଦଳ ୧୬.୫ ଓଭରରେ ୯ ୱିକେଟ ହରାଇ ୮୭ ରନ କରିବାକୁ ସକ୍ଷମ ହୋଇଥିଲା। ରାଶି ଭାନ ଡାର ଡୁସେନ ସର୍ବାଧିକ ୨୦ରନ କରିଥିଲେ। ରିଟାଡହର୍ଟ ହୋଇଥିବା ବାଭୁମା ବ୍ୟାଟିଂ କରିବାକୁ ଆଉ ଆସି ନଥିଲେ। ଭାରତ ପକ୍ଷରୁ ଆଭେସ୍‌ ୪ଟି, ଯୁଜୁବେନ୍ଦ୍ର ଚହଲ ୨ଟି, ହର୍ଷାଲ ପଟେଲ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ରାଜକୋଟରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକତ୍ବରେ କ୍ରମାଗତ ୪ର୍ଥ ଥର ପାଇଁ ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଋଷଭ ପନ୍ତ୍‌ଙ୍କ ନେତୃତ୍ବାଧୀନ ଭାରତ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୨୪ରନ ମଧ୍ୟରେ ଦୁଇଟି ୱିକେଟ ହରାଇଥିଲା ବିଶାଖାପାଟଣାରେ ଅର୍ଦ୍ଧଶତକ ହାସଲ କରିଥିବା ଋତୁରାଜ ଗାଏକ୍‌ୱାର୍ଡ ୫ରନ କରି ଆଉଟ୍‌ ହୋଇଥିଲେ। ଋତୁରାଜଙ୍କ ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟାସ ଆୟାର ମାତ୍ର ୪ରନ କରି ଆଉଟ୍‌ ହୋଇଥିଲେ। ଚମତ୍କାର ଫର୍ମରେ ଥିବା ଇଶାନ ଭଲ ବ୍ୟାଟିଂ କରୁଥିଲେ ମଧ୍ୟ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ଈଶାନ ୨୬ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହ ୨୭ରନ କରି ଆଉଟ୍‌ ହୋଇଥିଲେ। ଭାରତ ୪୦ରନରେ ୩ଟି ୱିକେଟ ହରାଇଥିଲା। ୪ର୍ଥ ୱିକେଟ ପାଇଁ ଋଷଭ ପନ୍ତ୍‌ ଓ ହାର୍ଦିକ ପାଣ୍ଡ୍ୟା ୪୧ରନ ସଂଗ୍ରହ କରିଥିଲେ। ୮୧ରନ ସ୍କୋର ଥିବାବେଳେ ପନ୍ତ୍‌ ୨୩ଟି ବଲରୁ ୧୭ରନ କରି ଆଉଟ୍‌ ହୋଇଥିଲେ। ହାର୍ଦିକ ଓ ଦିନେଶ କାର୍ତ୍ତିକ ୫ମ ୱିକେଟ ପାଇଁ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଉଭୟେ ୩୩ଟି ବଲରୁ ୬୪ରନ ସଂଗ୍ରହ କରିଥିଲେ। ସ୍କୋର ୧୪୬ରନ ଥିବାବେଳେ ପାଣ୍ଡ୍ୟା ୩୧ଟି ବଲରୁ ୩ଟି ଚୌକା ଓ ୩ଟି ଛକା ସହ ୪୬ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ କାର୍ତ୍ତିକଙ୍କ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟ ହରାଇ ୧୬୯ରନ କରିବାକୁ ସକ୍ଷମ ହୋଇଥିଲା। କାର୍ତ୍ତିକ ୨୭ଟି ବଲରୁ ୯ଟି ଚୌକା ଓ ୨ଟି ଛକା ସହ ୫୫ରନ କରି ଆଉଟ୍‌ ହୋଇଥିବାବେଳେ ଅକ୍ଷର ପଟେଲ ୮ ଓ ହର୍ଷାଲ ପଟେଲ ୧ରନ କରି ଅପରାଜିତ ରହିଥିଲେ। ଭାରତ ପ୍ରଥମ ୧୦ ଓଭରରୁ ୫୪ରନ କରିଥିବାବେଳେ ଶେଷ ୧୦ ଓଭରରୁ ୧୧୫ରନ କରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡି ୨ଟି ୱିକେଟ ନେଇଥିଲେ।

kalyan agarbati

Comments are closed.