ଭାରତ, ଆମେରିକା ପ୍ରୟାସକୁ ରୋକିଲା ଚୀନ

ଅବଦୁଲ ମାକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା ଯୋଜନା

ନୂଆଦିଲ୍ଲୀ : ପାକିସ୍ତାନର ସରକାରୀ ପ୍ରାୟୋଜିତ ଆତଙ୍କବାଦୀ କାର୍ଯ୍ୟକଳାପକୁ ଚୀନ ପୁଣି ଥରେ ସମର୍ଥନ ଜଣାଇଛି। କାରଣ ପାକିସ୍ତାନରେ ରହୁଥିବା ଆତଙ୍କବାଦୀ ଅବଦୁଲ ରେହମାନ ମାକ୍କିକୁ ଜାତିସଂଘରେ ବିଶ୍ବ ଆତଙ୍କବାଦୀ ଘୋଷଣା ନିମନ୍ତେ ଭାରତ ଓ ଆମେରିକା କରିଥିବା ପ୍ରୟାସକୁ ଚୀନ ନିଜର ଭିଟୋ କ୍ଷମତା ପ୍ରୟୋଗ ପୂର୍ବକ ରୋକିଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର ୧୨୬୭ କମିଟି ଓ ଆଇଏସଆଇଏସ୍ ଅନୁଯାୟୀ ମାକ୍କିକୁ ବିଶ୍ବ ଆତଙ୍କବାଦୀ ଘୋଷଣା ଲାଗି ଭାରତ ଓ ଆମେରିକା ପକ୍ଷରୁ ମିଳିତ ଆବେଦନ କରାଯାଇଥିଲା। ମାତ୍ର ଚୀନ ଏଥିରେ ହସ୍ତକ୍ଷେପ ପୂର୍ବକ ଏପରି ପ୍ରୟାସକୁ ରୋକିଛି। ଅବଦୁଲ୍ ମାକ୍କି ହେଉଛି ଲସ୍କର-ଇ-ତୋଇବା ଆତଙ୍କବାଦୀ ତଥା ୨୬/୧୧ ମୁମ୍ବଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ଶଳା। ହାଫିଜ ସଇଦ ଜାତିସଂଘ ଦ୍ବାରା ବିଶ୍ବ ଆତଙ୍କବାଦୀ ଘୋଷିତ ହୋଇସାରିଛି। ମାକ୍କି ଜାମ୍ମୁ-କାଶ୍ମୀରରେ ସକ୍ରିୟ ରହିଥିବାବେଳେ ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ସାମିଲ ଲାଗି ପ୍ରବର୍ତ୍ତାଉଛି। ୨୬/୧୧ ଆକ୍ରମଣ ସହିତ ୨୦୦୦ ଡିସେମ୍ବର ୨୦ ଲାଲ କିଲା ଆକ୍ରମଣ, ୨୦୦୮ ସିଆରିପିଏଫ୍‌ ଶିବିର ଉପରେ ଆକ୍ରମଣ ଭଳି ଅନେକ ଘଟଣାରେ ମାକ୍କି ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ମାକ୍କିର ଉପସ୍ଥିତି ସମ୍ପର୍କରେ ସୂଚନା ପାଇଁ ଆମେରିକା ୨୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କରିଛି।

kalyan agarbati

Comments are closed.