ମନ୍ତ୍ରି ପରିଷଦ ବୈଠକରେ ପୂର୍ଣ୍ଣାଙ୍ଗ ବଜେଟ ଅନୁମୋଦିତ
ବଢିବ କୃଷି, ଶିଳ୍ପ ଓ ପର୍ଯ୍ୟଟନ ବରାଦ
ଭୁବନେଶ୍ବର : ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇ ୨ରେ ବସିବ। ଅଧିବେଶନ ପୂର୍ବରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବଗଠିତ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୨-୨୩ ଆର୍ଥିକବର୍ଷ ପାଇଁ ଆଗତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଚଳିତବର୍ଷ ପାଇଁ ପ୍ରାୟ ୨ଲକ୍ଷ କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପାଇଁ ପ୍ରସ୍ତାବ ରହିଥିବାବେଳେ ଗତ ଅଧିବେଶନ କାଳରେ ୪ ମାସ ପାଇଁ ପ୍ରାୟ ୧ଲକ୍ଷ ୬ହଜାର କୋଟି ଟଙ୍କାର କାମଚଳା ବଜେଟକୁ ବିଧାନସଭାରେ ପାରିତ କରାଯାଇଥିଲା। ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ୨୦୨୨-୨୩ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରାଯିବା ସମ୍ଭବ ନହେବାରୁ ଗତ ମାର୍ଚ୍ଚ ୩୦ରେ ସରକାରଙ୍କ ପକ୍ଷରୁ କାମଚଳା ବଜେଟ ଆଗତ କରାଯାଇଥିଲା। ଏହାର ଅବଧି ଜୁଲାଇ ଶେଷ ପର୍ଯ୍ୟନ୍ତ ଥିବାରୁ ଏହାପୂର୍ବରୁ ପୂର୍ଣ୍ଣାଙ୍ଗ ବଜେଟ ଅଧିବେଶନ ଜୁଲାଇ ୨ରେ ଅନୁଷ୍ଠିତ ହେବାକୁ ରହିଛି। ତେବେ ଚଳିତବର୍ଷ ପାଇଁ ବଜେଟର ଆକାର ୨ଲକ୍ଷ କୋଟି ଟଙ୍କାରେ ଅପରିବର୍ତ୍ତିତ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରି ପରିଷଦ ବୈଠକରୁ ଜଣାଯାଇଛି।
ସୂଚନା ଅନୁଯାୟୀ ବଜେଟର ଆକାର ବଢିଥିଲେ ହେଁ କେତେକ ବିଭାଗର ବ୍ୟୟବରାଦ କାଣ୍ଟଛାଟ୍ ଏବଂ ଆଉ କେତେକ ବିଭାଗର ବ୍ୟୟବରାଦ୍ ବଜେଟ ପରିମାଣ ବଢ଼ିଛି। ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର କୃଷି, ଶିଳ୍ପ, ମିଶନଶକ୍ତି, ପର୍ଯ୍ୟଟନ ଓ ପୂର୍ତ୍ତ ବିଭାଗର ବଜେଟ ଆକାର ବଢ଼ାଇବାକୁ ସ୍ଥିର
କରିଥିବାବେଳେ ସାଧାରଣ ଉଦ୍ୟୋଗ ଭଳି କେତେକ ବିଭାଗର ବଜେଟ୍ ପରିମାଣ ହ୍ରାସ ପାଇବାର ସମ୍ଭାବନା ରହିଛି।
ସୂଚନା ଅନୁଯାୟୀ କୃଷି ବିଭାଗ ପକ୍ଷରୁ ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ପୂର୍ବରୁ ୬ହଜାର ୨୭୬.୧୨କୋଟି ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଲାଗି ୧୬୫୭.୫୪କୋଟି ଟଙ୍କାର ବ୍ୟୟବରାଦ ଆକଳନ କରାଯାଇଥିଲା। ମାତ୍ର ଆଗାମୀ ଦିନରେ ବିଭାଗର ଗୁରୁତ୍ବକୁ ଦୃଷ୍ଟିରେ ରଖି ଆଉ ପ୍ରାୟ ଦେଢ଼ଶହ କୋଟି ଟଙ୍କା ବୃଦ୍ଧି କରାଯିବାକୁ ରହିଛି। ସେହିପରି ଆଗାମୀ ଦିନରେ ଶିଳ୍ପର ବିକାଶ ଲାଗି ୬୪୬.୪୦କୋଟି ଟଙ୍କାର ବଜେଟକୁ ସାଢ଼େ ୭୦୦କୋଟିକୁ ବୃଦ୍ଧି କରାଯାଇଥିବାବେଳେ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗର ପୂର୍ବ ବଜେଟ ୨ହଜାର କୋଟି ଟଙ୍କାକୁ ପୁଣି ଥରେ ବୃଦ୍ଧି କରାଯାଇଛି। ପର୍ଯ୍ୟଟନ କ୍ଷେତ୍ରକୁ ତ୍ବରାନ୍ବିତ କରିବା ଲାଗି ଆଉ ପ୍ରାୟ ୩୦କୋଟି ଟଙ୍କା ଅଧିକ ବ୍ୟବସ୍ଥା କରାଯିବାକୁ ଯୋଜନା ହୋଇଛି।
ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୩୧ରେ ସରକାରଙ୍କ ପକ୍ଷରୁ ଗୃହରେ ‘ଭୋଟ ଅନ୍ ଆକାଉଣ୍ଟ’ ତଥା ୪ମାସିଆ କାମଚଳା ବଜେଟ ପାରିତ ହୋଇଥିଲା। ଉକ୍ତ ବଜେଟ୍ରେ ସରକାରଙ୍କ ପକ୍ଷରୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା, ଜୀବନଜୀବିକାର ବ୍ୟବସ୍ଥା, ବିଦ୍ୟାଳୟରେ ରୂପାନ୍ତରୀକରଣ, ପାନୀୟ ଜଳ ଓ ସହରୀ ସୁବିଧାର ବ୍ୟବସ୍ଥା, ଭିତ୍ତିଭୂମି ବିକାଶ, ଶିଳ୍ପ ଓ ଉଦ୍ୟୋଗ ଏବଂ ପୁଞ୍ଜି ନିବେଶ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ୧ ଲକ୍ଷ କୋଟି ଟଙ୍କାର କାର୍ଯ୍ୟକ୍ରମ ବ୍ୟୟ ବ୍ୟତୀତ ପ୍ରଶାସନିକ ବ୍ୟୟ ନିମନ୍ତେ ୮୯ ହଜାର ୬ଶହ ୨୦ କୋଟି ଟଙ୍କା, ବିପର୍ଯ୍ୟୟ ପ୍ରଶମନ ବ୍ୟୟ ଲାଗି ୩ହଜାର ୨ଶହ ୧୦ କୋଟି ଟଙ୍କା ଏବଂ ସ୍ଥାନୀୟ ନିକାୟ ସଂସ୍ଥା ଓ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର ପାଇଁ ୭ହଜାର ୧ ଶହ ୭୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବଜେଟରେ କେବଳ ଅର୍ଥ ବିଭାଗକୁ ୫୮ହଜାର ୯୩୩କୋଟି ଟଙ୍କା ଦେବାକୁ ରହିଥିବାବେଳେ ପଞ୍ଚାୟତିରାଜ ବିଭାଗ ଲାଗି ୨୧ହଜାର ୨୪୬କୋଟି, ଗଣଶିକ୍ଷା ବିଭାଗ ଲାଗି ୨୦ହଜାର ୩୩୦କୋଟି, ନଗର ଉନ୍ନୟନ ବିଭାଗ ଲାଗି ୬୪୯୮କୋଟି, ଯୋଜନା ଓ ସଂଯୋଜନା ବିଭାଗ ଲାଗି ୬୪୫୬କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗ ଲାଗି ୬୫୫୯କୋଟି ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଲାଗି ୩୫୬୬କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହାବାଦ୍ ଅନ୍ୟାନ୍ୟ ବିଭାଗକୁ ଅବଶିଷ୍ଟ ବ୍ୟୟବରାଦ କରାଯାଇଥିଲା। ଚଳିତ ବଜେଟରେ କେନ୍ଦ୍ରୀୟ ସହାୟତା ଉପରେ ସରକାରଙ୍କ ନିର୍ଭରଶୀଳତା କମାଇବାକୁ ଲକ୍ଷ୍ୟ ରହିଥିବାବେଳେ ବର୍ଷ ଶେଷରେ ରାଜସ୍ବ ବଳକା, ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ୨.୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିବା ଜଣାଯାଇଛି।
Comments are closed.