ଏବେବି ପଡିଛି ନଦୀବନ୍ଧ ମୁକୁଳା, ବର୍ଷାଋତୁ ଆସିବା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁଛି
ଗୁରୁଡିଝାଟିଆ : ମହାନଦୀ କୂଳରେ ଅନେକ ଗାଁ ଏବେବି ମୁକୁଳା ପଡିଛି। ବନ୍ୟା ଆସିଲେ ଆଁ କରି ମାଡିବସିବ। ଆଠଗଡ ବ୍ଲକ ମଞ୍ଚେଶ୍ୱର ପଞ୍ଚାୟତର ନାରଙ୍ଗବସ୍ତ ଠାରୁ ଲିଙ୍ଗାପଦା ପର୍ଯ୍ୟନ୍ତ ଅନେକ ସ୍ଥାନରେ ଏଭଳି ଅବସ୍ଥା ଦେଖାଦେଇଛି। ବାହାଘର ବେଳେ ବାଇଗଣ ରୁୂଆ ଭଳି ମୌସୁମୀ ଆସିବା ପରେ ଜଳସେଚନ ବିଭାଗର ନିଦ ଭାଙ୍ଗୁଛି । ବନ୍ୟାପାଣିରେ ନଦୀକୂଳବାସୀଙ୍କୁ ସୁରକ୍ଷା ଦେବା ପାଇଁ କଂକ୍ରିଟ ପାଚେରୀ ପ୍ରତିବଦଳରେ ମାଙ୍କଡାପଥରେ ହେଉଛି ଦେବାଲ। ଯାହାକି ଧର୍ମକୁ ଆଖିଠାରଭଳି। ଯାହା କେବଳ ରାଜକୋଷରୁ କୋଟିକୋଟି ଟଙ୍କା ବ୍ୟୟ ହେବା ସାର। ନଚେତ୍ ଏହି ଦେବାଲ ବନ୍ୟା ଜଳ ପ୍ରଖର ସ୍ରୋତକୁ ରୋକିପାରିବ ନାହିଁ । ବିଭାଗୀୟ କର୍ତ୍ତୃପକ୍ଷ ନଦୀକୂଳ ବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଥମେ ପଥର ପ୍ୟାକିଂ କରିବା ପରେ କଂକ୍ରିଟ ଦେବାଲ କରିଥିଲେ ଏହା ବନ୍ୟା ସମୟରେ ସ୍ଥାନୀୟ ଅଧିବାସୀମାନଙ୍କୁ ସୁରକ୍ଷା ଦେଇଥାନ୍ତା ବୋଲି ବୁଦ୍ଧିଜୀବିମାନେ ମତପ୍ରକାଶ କରିଛନ୍ତି । ଅଧୁନା ଆକାଶରେ ମୌସୁମୀର ଆଗମନ ଫଳରେ କଳାହାଣ୍ଡିଆ ମେଘର ଆଭାସ ଦେଖାଗଲାଣି। ଅନେକ ଜାଗାରେ ମଧ୍ୟ ପ୍ରାକମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଏଭଳି ସମୟରେ କେତେକ ସ୍ଥାନରେ କଂକ୍ରିଟ ଦେବାଲ ମହାନଦୀ କୂଳରେ ନିର୍ମାଣ ହୋଇଛି। ଏହା କେତେଦୂର ସଠିକ୍ ଢଙ୍ଗରେ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଏହାର ଅନୁଧ୍ୟାନ କରିବା ଆବଶ୍ୟକ ରହିଛି।
Comments are closed.