ବୃତ୍ତି ମୋର ପୋଷେ କୁଟୁମ୍ବ
ସୁଆଣ୍ଡୋ : ଆଜିର ଦିନରେ ଅଧିକାଂଶଙ୍କ ପରିବାରରେ ଘରକରଣା ଜିନିଷ ପ୍ଲାଷ୍ଟିକରେ ଉପଲବ୍ଧ ଥିଲାବେଳେ ବାଉଁଶରେ ପ୍ରସ୍ତୁତ ସାମଗ୍ରୀର ଆଦର କମି ନାହିଁ । କୁଲା ବାଉଁଶିଆ, ଭୋଗେଇ, ଝୁଡି, ଲିଆଛଡା ଆଦି ଜିନିଷର ବ୍ୟବହାର ଗ୍ରାମାଞ୍ଚଳରେ ରହିଆସିଛି। ସେହିପରି ବିବାହ, ବ୍ରତୋପନୟନ ହୋମ ଯଜ୍ଞ, ଗୃହ ପ୍ରତିଷ୍ଠା ଆଦି ଧାର୍ମିକ କାର୍ଯ୍ୟମାନଙ୍କରେ ସମସ୍ତଙ୍କର କାମରେ ଲାଗିଥାଏ । ଜଣେ ବାଉଁଶ କାରିଗର ନିଜର ସାଇକେଲରେ ବାଉଁଶିଆ ଲଦି ଟାଇଁ ଟାଇଁ ଖରାରେ ଗାଁ କୁ ଗାଁ ବୁଲି ବାଉଁଶିଆ ବିକ୍ରୀ କରୁଥିବା ଦେଖିବାକୁ ମଳିଥିଲା। ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବଳରାମପୁର ଗ୍ରାମର ଗଗନା ନାୟକ । ବୟସ ୫୦ / ୫୨ ବର୍ଷ ହେବ । ଗୋଟିଏ ଝିଅ, ଦୁଇଟି ପୁଅ ଓ ସ୍ତ୍ରୀ ନେଇ ୫ ପ୍ରାଣୀ କୁଟୁମ୍ବଙ୍କ ଏଇ ବାଉଁଶ କାମ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ସେ ଯାଉଥିବା ରାସ୍ତାରେ ତାଙ୍କୁ ଅଟକାଇ ତାଙ୍କ ସହିତ କିଛି ଆଲୋଚନା କରିଥିଲୁ। ସେ କୁହନ୍ତି – ବାଉଁଶ ଗୋଟାକ ୪୦ ଟଙ୍କା ରେ କିଣିବାକୁ ପଡିଥାଏ । ପରିବାରର ସମସ୍ତେ ମିଳିମିଶି ଏହି କାମ କରିଥାଉ। ହାଟ ପାଳି ଦିନ ସେଠାରେ ବିକ୍ରୀ ବଟା କରିବା ପରେ ଯାହା ବଳକା ରହିଯାଏ ତାହା ସବୁ ଗାଁ ମାନଙ୍କରେ ବୁଲି ବିକ୍ରୀ କରିଥାଏ । ବାଉଁଶ ଖରିଦ ବାବଦ ଖର୍ଚ୍ଚ ବାଦ ଯାଇ ଦିନକୁ ୧୫୦ ରୁ ୨୦୦ ଟଙ୍କା ପାଇଥାଏ । ଇଏ ତ ଆମର କୂଳର ବୃତ୍ତି । ଏହା ଉପରେ ଭରଷା କରି ୫ ପ୍ରାଣୀ ଚଳୁଛୁ । ସରକାରଙ୍କ ତରଫରୁ କଣ୍ଟ୍ରୋଲ ଚାଉଳ ଗଣ୍ଡାକ ମିଳୁଛି । ଘର ଖଣ୍ଡିକ ଫନି ବାତ୍ୟା ରେ ଭାଙ୍ଗି ଯାଇଛି । ଜରିପାଲ ଟାଣି ରହିଛି । ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଦେଲେ ଖରା ବର୍ଷା ଦାଉରୁ ରକ୍ଷା ମିଳନ୍ତା । କାମ କଲେ ପେଟ ପୋଷିବି । ମୋର କାହା ଉପରେ ରାଗ ରୋଷ ନାହିଁ । ଜଗନ୍ନାଥ ମହାପ୍ରଭୁ ମୋ ଦେହ ପା ଭଲ ରଖିଲେ ମୁଁ ମୋ ବୃତ୍ତି କରି ପରିବାର ଚଳାଇ ପାରିବି ବୋଲି ଶ୍ରୀ ନାୟକ କହନ୍ତି । ଏହିପରି ହଜାର ହଜାର ଗଗନା ନାୟକଙ୍କ ଭଳି ଓଡ଼ିଆ ନିଜ ସ୍ୱାଭିମାନରେ ବଞ୍ଚିଛନ୍ତି । ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଭାଷାରେ ‘ ଏବେ ବି ଏ ଜାତି ବଞ୍ଚିଛି ‘ ।
Comments are closed.