ନୂଆଦିଲ୍ଲୀ: ଭାରତର ଜନସାଧାରଣଙ୍କ ଆୟୁଷ ହ୍ରାସପାଉଛି। ମୁଖ୍ୟତଃ ବାୟୁ ପ୍ରଦୂଷଣ କାରଣରୁ ଭାରତୀୟଙ୍କ ହାରାହାରି ଆୟୁଷ ୫ ବର୍ଷ କମୁଥିବା ୟୁନିଭରସିଟି ଅଫ ସିକାଗୋର ଏନର୍ଜି ପଲିସି ଇନଷ୍ଟିଚ୍ୟୁଟ ପକ୍ଷରୁ ପ୍ରସ୍ତୁତ ଏୟାର କ୍ୱାଲିଟି ଲାଇଫ୍ ଇଣ୍ଡେକ୍ସରେ ଏହା କୁହାଯାଇଛି। ଏଥିରେ କୁହାଯାଇଛି ଯେ ଦିଲ୍ଲୀରେ ବାର୍ଷିକ ହାରାହାରି ବାୟୁ ପ୍ରଦୂଷଣ ସ୍ତର ଯଦି ପ୍ରତି ଘନମିଟର ପିଛା ୫ ମାଇକ୍ରୋଗ୍ରାମ୍ରୁ ଅଧିକ ନହୁଏ ତେବେ ସେଠାରେ ଜନସାଧାରଣଙ୍କ ଆୟୁଷ ହାରାହାରି ୧୦ ବର୍ଷ ବୃଦ୍ଧିପାଇବ। କେବଳ ଦିଲ୍ଲୀ ମହାନଗର ନୁହେଁ, ଭାରତର ଅଧିକାଂଶ ସହରରେ ବାୟୁ ପ୍ରଦୂଷଣ ସ୍ତର ମଣିଷ ଜୀବନ ପ୍ରତି ଗୁରୁତର ବିପଦ ସୃଷ୍ଟି କରୁଛି ଏବଂ ଏହି କାରଣରୁ ଲୋକଙ୍କ ଆୟୁଷ କମୁଛି।
ଏଥିସହିତ ଶିଶୁ ଏବଂ ମା’ମାନଙ୍କ କ୍ଷେତ୍ରରେ ପୁଷ୍ଟିହୀନତା କାରଣରୁ ହାରାହାରି ଆୟୁଷ ୧.୮ ବର୍ଷ ଏବଂ ଧୂମପାନରେ ହାରାହାରି ଆୟୁଷ ୧.୫ ବର୍ଷ ହ୍ରାସ ପାଇଛି। ଏହି ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ସମ୍ପ୍ରତି ଭାରତରେ ଉତ୍ତର ପ୍ରଦେଶ, ବିହାର, ହରିଆଣା ଏବଂ ତ୍ରିପୁରା ସର୍ବାଧିକ ୫ଟି ପ୍ରଦୂଷିତ ରାଜ୍ୟ ହୋଇଛି। ଏଥିସହିତ ବିଶ୍ୱସ୍ତରରେ ଭାରତ ଦ୍ୱିତୀୟ ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ରହିଛି। ଏ କ୍ଷେତ୍ରରେ ବାଂଲାଦେଶ ଶୀର୍ଷରେ ରହିଛି। ଭାରତର ଅନ୍ୟ ପଡୋଶୀ ରାଷ୍ଟ୍ର ନେପାଳ ଓ ପାକିସ୍ତାନ ମଧ୍ୟ ବାୟୁ ପ୍ରଦୂଷଣର ଶିକାର ହେଉଛନ୍ତି ଏବଂ ଏହାଦ୍ୱାରା ଉକ୍ତ ରାଷ୍ଟ୍ରଗୁଡିକରେ ହାରାହାରି ଆୟୁଷ ଯଥାକ୍ରମେ ୪.୧ ବର୍ଷ ଓ ୩.୮ ବର୍ଷ ହ୍ରାସପାଉଛି।
ଅନୁଧ୍ୟାନରୁ ଜାଣିବାକୁ ମିଳିଛି ଯେ ପ୍ରଚଳିତ ପ୍ରଦୂଷଣ ପରିସ୍ଥିତିରେ ଭାରତର ଗାଙ୍ଗେୟ ଉପତ୍ୟକାରେ ରହୁଥିବା ପ୍ରାୟ ୪୦% ଲୋକଙ୍କର ହାରାହାରି ଆୟୁଷ ୭.୬ ବର୍ଷ ହ୍ରାସପାଇବ। ସେହିଭଳି ବର୍ତ୍ତମାନର ପ୍ରଦୂଷଣ ସ୍ତର ଅପରିବର୍ତ୍ତିତ ରହିଲେ ଲକ୍ଷ୍ନୌ ସହରର ଜନସାଧାରଣଙ୍କ ହାରାହାରି ଆୟୁଷ ୯.୫ ବର୍ଷ ହ୍ରାସପାଇବ। ଦକ୍ଷିଣ ଏସିଆରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ନେପାଳ ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ସର୍ବାଧିକ ପ୍ରଦୂଷିତ ରାଷ୍ଟ୍ର ମଧ୍ୟରେ ରହିଛନ୍ତି। ଭାରତର ସହରଗୁଡିକ ଜନାକୀର୍ଣ୍ଣ ହୋଇପଡୁଥିବାରୁ ସେଠାରେ ଅଧିକ ପରିମାଣରେ ବାୟୁ ପ୍ରଦୂଷିତ ହେବାରେ ଲାଗିଛି ଏବଂ ଏହା ଦେଶ ପାଇଁ ବିପୁଳ ସ୍ୱାସ୍ଥ୍ୟଗତ, ସାମାଜିକ ଓ ଆର୍ଥିକ ବୋଝ ପାଲଟିଛି। ଜଣାଯାଇଛି ଯେ ୨୦୧୩ରେ ଦେଶର ସହରଗୁଡିକରେ ବାୟୁମଣ୍ଡଳରେ ପ୍ରତି ଘନମିଟର ପିଛା ୫୩ ମାଇକ୍ରୋଗ୍ରାମ କ୍ଷୁଦ୍ରାତିକ୍ଷୁଦ୍ର ପ୍ରଦୂଷଣ ସୃଷ୍ଟିକାରୀ କଣିକା ଉପସ୍ଥିତ ଥିବାବେଳେ ସମ୍ପ୍ରତି ତାହା ୫୬ ମାଇକ୍ରୋଗ୍ରାମକୁ ବୃଦ୍ଧିପାଇଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଧାର୍ଯ୍ୟ ସହନଶୀଳ ସ୍ତର ତୁଳନାରେ ପ୍ରାୟ ୧୧ଗୁଣ ଅଧିକ।
ଭାରତର ପାଖାପାଖି ୧୩୦ କୋଟି ଲୋକ ଯେଉଁ ଅଞ୍ଚଳରେ ବାସ କରୁଛନ୍ତି, ସେଠାରେ ବାର୍ଷିକ ହାରାହାରି କ୍ଷୁଦ୍ରାତିକ୍ଷୁଦ୍ର କଣିକା ଦ୍ୱାରା ପ୍ରଦୂଷଣ ସ୍ତର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଅନୁମୋଦିତ ସ୍ତରଠାରୁ ଅଧିକ ରହିଛି। ଦେଶରେ ପ୍ରାୟ ୬୩% ଲୋକ ବାସ କରୁଥିବା ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତର ଦେଶର ନିଜସ୍ୱ ଜାତୀୟ ବାର୍ଷିକ ବାୟୁ ମାନକ ପ୍ରତି ଘନମିଟର ପିଛା ୪୦ ମାଇକ୍ରୋଗ୍ରାମରୁ ଅଧିକ ରହିଛି। ୧୯୯୮ ପରଠାରୁ ବାର୍ଷିକ ହାରାହାରି ଏହିଭଳି ପ୍ରଦୂଷଣ ପରିମାଣ ୬୧.୪% ବୃଦ୍ଧିପାଇବା ଦ୍ୱାରା ହାରାହାରି ଆୟୁଷ ପୁନର୍ବାର ୨.୧ ବର୍ଷ ହ୍ରାସପାଇଛି। ୨୦୧୩ ପରବର୍ତ୍ତୀ ସମୟରେ ବିଶ୍ୱରେ ହୋଇଥିବା ମୋଟ ଜନସଂଖ୍ୟା ଅଭିବୃଦ୍ଧିର ପ୍ରାୟ ୪୪% ଭାରତରେ ଘଟିଛି। ବିଶେଷକରି ପ୍ରଦୂଷଣ ମାତ୍ରା ଅପରିବର୍ତ୍ତିତ ରହିଲେ ଭାରତର ଗାଙ୍ଗେୟ ସମତଳ ଅଞ୍ଚଳରେ ବାସ କରୁଥିବା ପ୍ରାୟ ୫୧ କୋଟି ଲୋକଙ୍କ ହାରାହାରି ଆୟୁଷ ୭.୬ ବର୍ଷ ହ୍ରାସପାଇବାକୁ ଯାଉଛି। ଗବେଷକମାନେ କହିଛନ୍ତି ଯେ ବାୟୁ ପ୍ରଦୂଷଣ ଏକ ଅତ୍ୟନ୍ତ ଗୁରୁତର ସମସ୍ୟା ପାଲଟିଛି, ଯାହାକୁ ନିୟନ୍ତ୍ରଣ କରିବା ନିମନ୍ତେ ନିରନ୍ତର ଏବଂ ଦୃଢ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି।



