ଭୁବନେଶ୍ବର: ଓଡ଼ିଶାକୁ କେବେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଛୁଇଁବ ତାହା ବର୍ତ୍ତମାନ ପରିପ୍ରେକ୍ଷୀରେ ଅନିଶ୍ଚିତାରେ। ୩ ଦିନ ତଳେ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ଯେ ଜୁନ ୧୫ ସୁଦ୍ଧା ମୌସୁମି ଓଡ଼ିଶା ସ୍ପର୍ଶ କରିପାରେ। କିନ୍ତୁ ମଙ୍ଗଳବାର ସନ୍ଧ୍ୟା ବୁଲେଟିନରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ମୌସୁମି ଆସିବାକୁ ଆହୁରି ୨ ରୁ ୩ ଦିନ ସମୟ ଲାଗିପାରେ। ଚାଷ କାର୍ଯ୍ୟ ପାଇଁ ବର୍ଷାକୁ ଚାହିଁ ବସିଥିବା ଚାଷୀ ବିଭାଗର ଆକଳନରେ ଆହୁରି ବ୍ୟତିବ୍ୟସ୍ତ ହୋଇପଡ଼ୁଛି। ତେବେ ମୌସୁମି ଆସିବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଥିବା ପାଣିପାଗ କେନ୍ଦ୍ର ବୁଲେଟିନରେ ସ୍ପଷ୍ଟ କରିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ଉତ୍ତର ଆରବ ସାଗର, ଗୁଜରାଟ, ଦକ୍ଷିଣ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ସମ୍ପୂର୍ଣ୍ଣ ଅଞ୍ଚଳ, ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, ଗାଙ୍ଗେୟ ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡର କିଛି ଅଂଶକୁ ଛୁଇଁବାର ସମ୍ଭାବନା ରହିଛି।
ଅପରପକ୍ଷେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅପରାହ୍ଣରେ ଉପକୂଳ ଓଡ଼ିଶାର ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ଅନୁଗୋଳ ଆଦି ଜିଲାରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି। ଅନୁଗୋଳରେ ଝଡ଼ବର୍ଷା ଦ୍ବାରା ଗଛଡାଳ ଭାଙ୍ଗି ରାସ୍ତା ଉପରେ ପଡିଛି। ବାଲେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ୫୪ ମିମି ବର୍ଷା ହୋଇଥିବାବେଳେ ଭଦ୍ରକ ଏବଂ ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଝଡବର୍ଷା ଦେଖିବାକୁ ମିଳିଛି। କିନ୍ତୁ ଉପକୂଳବର୍ତ୍ତୀ ଜିଲାର ବାୟୁ ମଣ୍ଡଳରେ ଆର୍ଦ୍ରତା ଅଧିକ ରହୁଥିବା ହେତୁ ଗୁଳୁଗୁଳି କମୁନାହିଁ। ମଙ୍ଗଳବାର ମଧ୍ୟାହ୍ନରେ ଉପକୂଳ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି। ୧୩ ସହରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିଥିବା ବେଳେ ୬ ସହରରେ ପାରଦ ୪୩ ଡିଗ୍ରୀ ଛୁଇଁଛି। ୪୪.୨ ଡିଗ୍ରୀ ସହ ସୁବର୍ଣ୍ଣପୁର ପୁଣି ରାଜ୍ୟର ଉତ୍ତପ୍ତ ସହରରେ ପରିଣତ ହୋଇଛି।
ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। କିନ୍ତୁ ଏହି ସମୟରେ କେତେକ ସ୍ଥାନରେ ପାରଦ ସ୍ବାଭାବିକରୁ ୩ ରୁ ୪ ଡିଗ୍ରୀ ଅଧିକ ରହିପାରେ। ପରବର୍ତ୍ତୀ ୪ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରା ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବାର ସମ୍ଭାବନା ରହିଛି।



