‘ଶିକ୍ଷା’ ସମାଜର ଆଲୋକ ବର୍ତ୍ତିକା: ମୁଖ୍ୟମନ୍ତ୍ରୀ
ରେମୁଣାରେ ଇମାମି-କିସ୍ ଆବାସିକ ବିଦ୍ୟାଳୟ ଉଦ୍ଘାଟିତ
ରେମୁଣା : ବାଲେଶ୍ୱର ଜିଲା ରେମୁଣା ବ୍ଲକ ଆର୍ମଳାଠାରେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ(କିସ୍)ର ନୂତନ ଶାଖା ‘ଇମାମି-କିସ୍’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅପରାହ୍ଣରେ ଭିଡିଓ କନଫରେନସିଂ ଜରିଆରେ ଉଦ୍ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟ କହିଥିଲେ ‘ଶିକ୍ଷା’ ସମାଜର ଆଲୋକବର୍ତ୍ତିକା। ଏଭଳି ଅନୁଷ୍ଠାନ ସମାଜର ଅନଗ୍ରସର ବର୍ଗର ଲୋକଙ୍କ ଉତଥାନ ପାଇଁ କାର୍ଯ୍ୟ କରୁଥିବାରୁ ସେ ପ୍ରଶଂସା କରିବା ସହ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ଭୁବନେଶ୍ୱର, ମୟୂରଭଞ୍ଜ ଓ ବଲାଙ୍ଗିର ଭଳି ସ୍ଥାନରେ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ରାଜ୍ୟର ୩୦ଟି ଜିଲାରେ ବିଦ୍ୟାଳୟ ଖୋଲାଯିବା ଲକ୍ଷ୍ୟ ରହିଥିବା ଖୁସିର କଥା ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଥିଲେ ଯେ ଡ. ସାମନ୍ତଙ୍କ ପ୍ରଚେଷ୍ଟା ବଳରେ ଆଜି କିସ ଭଳି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ମାଇଲ ଖୁଣ୍ଟ ସୃଷ୍ଟି କରିଛି। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ କହିଥିଲେ ଯେ ଡ. ସାମନ୍ତଙ୍କ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ଶିକ୍ଷା ନିମନ୍ତେ ହୋଇଥିବା ପ୍ରୟାସ ଯୋଗୁଁ ସେହି ପିଲାମାନେ ଉଚ୍ଚତର ଶିକ୍ଷାଲାଭର ସୁଯୋଗ ପାଇବା ସହିତ ସେମାନଙ୍କର ପ୍ରତିଭାର ବିକାଶ ମଧ୍ୟ କରିପାରୁଛନ୍ତି। କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ କିସ୍ ପ୍ରତିଷ୍ଠା ହେବାର ୩୦ ବର୍ଷ ମଧ୍ୟରେ ଏଠାରୁ ୩୦ ହଜାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରିଛନ୍ତି। ଉଦ୍ଘାଟନୀ ଉତ୍ସବରେ ବିଧାୟକ ସୁଧାଂଶୁ ଶେଖର ପରିଡ଼ା ଓ ସ୍ୱରୂପ କୁମାର ଦାସ, ଇମାମୀ ଗ୍ରୁପ୍ର ଅନ୍ୟତମ ନିର୍ଦେଶକ ସୁଶୀଲ ଗୋଏଙ୍କା, ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ, ବାଲେଶ୍ବର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସ୍ପି ସୁଧାଂଶୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟାଳୟ ପାଇଁ ଜମି କ୍ରୟ ଓ ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ନିର୍ମାଣରେ ମୋଟ ୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରୁ ଇମାମି ଗ୍ରୁପ୍ ୧୪ କୋଟିର ଆର୍ଥିକ ସହାୟତା ଦେଇଥିବାବଳେ ୩୬ କୋଟି ଟଙ୍କା କିଟ୍ ଖର୍ଚ୍ଚ କରିଛି। ଇମାମି-କିସ୍ ଆବାସିକ ବିଦ୍ୟାଳୟରେ ସିବିଏସଇ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯିବ।
Comments are closed.