www.samajalive.in
Sunday, December 7, 2025
26.1 C
Bhubaneswar

ରାଞ୍ଚି ହିଂସାରେ ୨ ମୃତ; ୟୁପିରେ ୨୩୭ ଗିରଫ

ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦଙ୍କ ସମ୍ପର୍କରେ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ସୃଷ୍ଟ ବିବାଦ ଥମିବାର ନାଁ ନେଉ ନାହିଁ। ଶୁକ୍ରବାର ମଧ୍ୟାହ୍ନ ନମାଜ ପରେ ଦେଶର ବିଭିନ୍ନ ସହରରେ ମୁସଲମାନଙ୍କ ଦ୍ବାରା ଅନୁଷ୍ଠିତ ବ୍ୟାପକ ବିକ୍ଷୋଭ ଓ ପୁଲିସ ସହ ସଂଘର୍ଷ ଘଟିଥିବାବେଳେ ଶନିବାର ମଧ୍ୟ କେତେକ ସ୍ଥାନରେ ଏହା ଜାରି ରହିଛି। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଶୁକ୍ରବାର ଘଟିଥିବା ହିଂସାତ୍ମକ ବିକ୍ଷୋଭରେ ୨ଜଣଙ୍କର ମୃତ୍ୟୁ ହୋଇଛି। ରାଞ୍ଚିରେ ପ୍ରବଳ ପୋଡ଼ାଜଳା ସହ ଢେଲାପଥର ମାଡ଼ ହୋଇଥିଲା ଓ ଏଥିରେ ଜନତା ଓ ପୁଲିସଙ୍କୁ ମିଶାଇ ୧୩ଜଣ ଆହତ ହୋଇଥିଲେ। ହିଂସ୍ର ବିକ୍ଷୋଭକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସର ଫାଙ୍କା ଗୁଳିଚାଳନାବେଳେ ଆହତ ଦୁଇ ଜଣ ସ୍ଥାନୀୟ ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ରେ ପ୍ରାଣ ହରାଇଛନ୍ତି। ଅନ୍ୟ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସହରରେ ଶୁକ୍ରବାରଠାରୁ କର୍ଫ୍ୟୁ ବଳବତ୍ତର ରହିଛି। ଏଥିସହ ୧୦ଟି ଥାନା ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ମୋବାଇଲ ଓ ଇଣ୍ଟରନେଟ ସେବା ବାତିଲ କରାଯାଇଛି। ଲୋକଙ୍କୁ ଘରୁ ନ ବାହାରିବାକୁ ପୁଲିସ ତାଗିଦା କରିଛି। ଏପରି ସ୍ଥଳେ ରାତିରେ ସ୍ଥାନୀୟ ସୂର୍ଯ୍ୟ ମନ୍ଦିରକୁ ଦୁର୍ବୃତ୍ତମାନେ ୪ଟି ପେଟ୍ରୋଲ ବୋମା ଫିଙ୍ଗିଛନ୍ତି। ମନ୍ଦିର ପରିସରରେ ପୂଜକ ଓ ତାଙ୍କ ପରିବାର ରହୁଥିଲେ ମଧ୍ୟ ସୌଭାଗ୍ୟକ୍ରମେ କେହି ମୃତାହତ ହୋଇ ନାହାନ୍ତି।
ପଶ୍ଚିମବଙ୍ଗର ହାଓଡ଼ା ଜିଲାରେ ପରିସ୍ଥିତି ସୁଧୁରି ନାହିଁ। ଶନିବାର ପୁନର୍ବାର କେତେକ ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ରାସ୍ତାରୋକ ସହ ରେଳରୋକ କରାଯାଇଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୁନ୍‌ ୧୫ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯିବା ସହ ଦୁଇଟି ଜିଲାରେ ଜୁନ୍‌ ୧୩ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ବାତିଲ କରାଯାଇଛି। ପରିସ୍ଥିତି ନିୟନ୍ତ୍ରଣରେ ବିଫଳତା ଯୋଗୁଁ ହାଓଡ଼ା ପୁଲିସ କମିସନର ସି. ସୁଧାକର ଓ ହାଓଡ଼ା ଗ୍ରାମାଞ୍ଚଳ ପୁଲିସ ଅଧୀକ୍ଷକ ସୌମ୍ୟ ରାୟଙ୍କୁ ବଦଳି କରାଯାଇଛି। ସେମାନଙ୍କ ସ୍ଥାନରେ ଯଥାକ୍ରମେ ପ୍ରବୀଣ ତ୍ରିପାଠୀ ଓ ସ୍ବାତୀ ଭାଙ୍ଗାଲିଆଙ୍କୁ ନିଯୁକ୍ତ କରାଯାଇଛି। ଗୃହ ମନ୍ତ୍ରୀ ସମଗ୍ର ଘଟଣାର ତଦନ୍ତ ଭାର ୧୦ ଆଇପିଏସ୍‌ ଅଧିକାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଦଳକୁ ପ୍ରଦାନ କରିଛନ୍ତି। ଅତିରିକ୍ତ ଡିଜି ନିରଜ ସିଂହଙ୍କ ନେତୃତ୍ବରେ ଏହି ଦଳ ଗଠନ କରାଯାଇଛି। ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଗିରଫ ହୋଇଛନ୍ତି। ସେ ୧୪୪ ଧାରା ଭାଙ୍ଗି ଉପଦ୍ରୁତ ଅଞ୍ଚଳକୁ ଯାଉଥିବାବେଳେ ବିଦ୍ୟାସାଗର ସେତୁ ନିକଟରେ ଗିରଫ ହୋଇଛନ୍ତି। ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ଦିଲୀପ ଘୋଷ ଶୁକ୍ରବାର ପୋଡ଼ାଯାଇଥିବା ଦଳୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ରାଜ୍ୟପାଳ ଜଗଦୀପ ଧନଖଡ଼ ଏହି ଘଟଣାରେ ଅସାମାଜିକ ଶକ୍ତି ସାମିଲ ଥିବା କହିଛନ୍ତି। ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି କେନ୍ଦ୍ରୀୟ ବାହିନୀ ମୁତୟନ ପାଇଁ ଦାବି କରିଛନ୍ତି। ରାଜ୍ୟରେ ମୋଟ ୭୦ଜଣଙ୍କୁ ଗିରଫ କରାଯାଇଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ହିଂସାକାଣ୍ଡକୁ ଉସୁକାଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି।
ଉତ୍ତର ପ୍ରଦେଶରେ ସରକାର ଅତି କେଠାର ଆଭିମୁଖ୍ୟ ପୋଷଣ କରିଛନ୍ତି। ଶୁକ୍ରବାର ଘଟଣା ପରିପ୍ରେକ୍ଷୀରେ ୨୩୭ଙ୍କୁ ଗିରଫ କରାଯାଇଥିବାବେଳେ ଅନେକଙ୍କୁ ଅଟକ ରଖାଯାଇଛି। ମୋଟ ୫ହଜାର ଜଣଙ୍କ ନାମରେ କୁଖ୍ୟାତ ଅପରାଧୀ ଦଫାରେ ଏତଲା ରୁଜୁ ହୋଇଛି। ପ୍ରୟାଗରାଜ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜାଭେଦ ଅହମ୍ମଦ ସମେତ ୬୮ଜଣଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରେ ପଢ଼ୁଥିବା ଜାଭେଦର ଝିଅ ମଧ୍ୟ ଏଥିରେ ସମ୍ପୃକ୍ତ ଥିବା ପୁଲିସ କହିଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି। ଶୁକ୍ରବାର ନମାଜ ପରେ ହିଂସାକାଣ୍ଡ ଘଟିଲେ ଶନିବାର ବୁଲ୍‌ଡୋଜର ଚାଲିବ ବୋଲି ଜଣେ ମନ୍ତ୍ରୀ କହିଛନ୍ତି। କାନପୁରରେ ଶୁକ୍ରବାର ଘଟିଥିବା ହିଂସାର ମୁଖ୍ୟ ଅଭିଯୁକ୍ତ ଜାଫର ହାସ୍‌ମିର ବେଆଇନ ସମ୍ପତ୍ତିକୁ ଶନିବାର ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। କାଶୀ ଧର୍ମ ପରିଷଦ ସମସ୍ତ ମସ୍‌ଜିଦରେ ସିସିଟିଭି କ୍ୟାମେରା ଲଗାଇବାକୁ ଦାବି କରିଛି।
ଅପରପକ୍ଷରେ ଦିଲ୍ଲୀ ପୁଲିସ ଜାମା ମସ୍‌ଜିଦ ନିକଟରେ ବିନାନୁମତିରେ ସହସ୍ରାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ନେଇ ଏତଲା ଦାୟର କରିଛି। ଅଭିଯୁକ୍ତଙ୍କ ବିରୋଧରେ ଏନ୍‌ଏସ୍‌ଏ ଲାଗୁ କରାଯିବ ବୋଲି ପୁଲିସ କହିଛି। ଜାମ୍ମୁ-କାଶ୍ମୀରର ପୁଞ୍ଚ ଜିଲା ସମେତ ଭଦେଡ଼ୱା ଓ କିସ୍ତୱର କର୍ଫ୍ୟୁ ଯୋଗୁଁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ମହାରାଷ୍ଟ୍ରର ଔରଙ୍ଗାବାଦରେ ବିକ୍ଷୋଭରେ ସାମିଲ ୧୦୦ ଜଣଙ୍କ ବିରୋଧରେ ପୁଲିସ ଏତଲା ଦାୟର କରିଛି; ତେବେ ରାଜ୍ୟରେ ପରିସ୍ଥିତି ଶାନ୍ତ ରହିଛି। ଅନ୍ୟ ରାଜ୍ୟରେ ସ୍ଥିତି ସୁଧୁରିଥିବା ସୂଚନା ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories