ନାବାଳିକା ଭିଡିଓ ଭାଇରାଲ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ
ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକାଙ୍କ ଗାଧୋଇବା ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ କରିବା ଅଭିଯୋଗରେ ଲାଞ୍ଜିଗଡ଼ ପୁଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଏହି ମାମଲାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ନରସିଂହପାଟଣା ଗାଁର କାହ୍ନୁଚରଣ ନାଏକଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଲାଞ୍ଜିଗଡ଼ ଥାନାଞ୍ଚଳର ଜଣେ ନାବାଳିକା ଗାଧୋଉଥିବାବେଳେ ତାଙ୍କ ଘର ନିକଟରେ ଘରଭଡ଼ା ନେଇ ରହୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ନରସିଂହପାଟଣା ଗାଁର କାହ୍ନୁଚରଣ ଭିଡିଓ ସୁଟିଂ କରିବା ସହିତ ଖଜୁରୀପଦର ଗାଁର ରଞ୍ଜିତ ଜାନୀ, ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ନିକଟସ୍ଥ ଦଣ୍ଡିସାହିର କୈଳାସ କୌଶଲ୍ୟା, ଅମ୍ବାଦଳାର ନିରାକାର ନିରଞ୍ଜନ ଗଉଡ଼ଙ୍କ ସମେତ ଲାଞ୍ଜିଗଡ଼ ଥାନା ବସନ୍ତପଡ଼ାର ମଧୁସୂଦନ ଗଉଡ଼ ଓ ଦିଲିପ ଗଉଡ଼ଙ୍କୁ ସେୟାର କରିଥିଲେ। ସମସ୍ତେ ମିଶି ମୋବାଇଲରୁ ମୋବାଇଲକୁ ଏଇ ଭିଡିଓ ଭାଇରାଲ କରିଥିଲେ। ଏପରିକି ନାବାଳିକାଙ୍କୁ ଭିଡିଓ ଦେଖାଇ ବ୍ଲାକମେଲ୍ କରିବାକୁ ଉଦ୍ୟମ କରୁଥିବାବେଳେ ଏ ସଂପର୍କରେ ନାବାଳିକାଙ୍କ ବାପା ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଲାଞ୍ଜିଗଡ଼ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ବରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବାବେଳେ ଏଥିରେ ଅଭିଯୁକ୍ତ ପାଞ୍ଚଜଣଙ୍କୁ ଗିରଫ କରିବା ସହ କୋର୍ଟଚାଲାଣ କରାଯାଇଥିଲା। ଏନେଇ ଲାଞ୍ଜିଗଡ଼ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।ଏହି ମାମଲାରେ ଫେରାର ଅଭିଯୁକ୍ତ କାହ୍ନୁକୁ ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।
Comments are closed.