www.samajalive.in
Sunday, December 14, 2025
14.1 C
Bhubaneswar

ସମୁଦ୍ର ତଳେ ୧୭ ବିଲିଅନ ଡଲାରର ସ୍ବର୍ଣ୍ଣ ମୁଦ୍ରା

ଲଣ୍ଡନ : କଲମ୍ବିଆର କାର୍ଟାଜେନା ସମୁଦ୍ର ଉପକୂଳରେ ସମୁଦ୍ରର ଗଭୀର ଜଳରାଶି ତଳେ ୧୭ ବିଲିଅନ ଡଲାର ମୂଲ୍ୟର ସୁନା ମୁଦ୍ରା ପଡ଼ିରହିଛି। ଉକ୍ତ ସୁନାଗୁଡିକ ଏକ ଜାହାଜରେ ପରିବହନ କରାଯାଉଥିବାବେଳେ ଆକ୍ରମଣରେ ତାହା ସମୁଦ୍ରରେ ବୁଡିଯାଇଥିଲା। ଏହି ଘଟଣା ପ୍ରାୟ ତିନିଶହ ବର୍ଷ ତଳେ ଘଟିଥିଲା। ୨୦୧୫ରେ ଉକ୍ତ ଜାହାଜର ଧ୍ୱଂସାବଶେଷକୁ ଠାବ କରାଯିବା ପରେ ସେଥିରେ ବିପୁଳ ପରିମାଣର ସୁନା ମୁଦ୍ରା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ରହିଥିବା ଜଣାପଡ଼ିଥିଲା। ବୁଡିଯାଇଥିବା ଜାହାଜଟି ସ୍ପେନ ନୌସେନାର ଏବଂ ତାହାର ନାମ ସାନ୍‍ ଜୋସ ବୋଲି ଜଣାଯାଇଛି। ଏ ସମ୍ପର୍କରେ ପ୍ରାପ୍ତ ସୂଚନାରୁ ଜାଣିବାକୁ ମିଳିଛି ଯେ ସାନ୍‍ ଜୋସ ଜାହାଜକୁ ଫ୍ରାନସିସ୍‍କୋ ଆଣ୍ଟୋନିଓ ଗାରୋଟ୍‍ ଡିଜାଇନ କରିଥିଲେ ଏବଂ ସ୍ପେନ୍‍ର ମାପିଲସ୍ଥିତ ଜାହାଜ ନିର୍ମାଣ କାରଖାନାରେ ପେଡ୍ରୋ ଡି ଆରୋସ୍ତେଗୁଇ ଦ୍ୱାରା ଏହାର ନିର୍ମାଣ ୧୬୯୭ରେ ଆରମ୍ଭ ହୋଇଥିଲା। ବର୍ଷକ ମଧ୍ୟରେ ନିର୍ମାଣ ଶେଷହେବା ପରେ ତାହାକୁ ସ୍ପେନ ନୌବାହିନୀରେ ୧୬୯୮ରେ ନିୟୋଜିତ କରାଯାଇଥିଲା। ସ୍ପେନ ଯୁଦ୍ଧ ସମୟରେ ଏହି ଜାହାଜ ସହିତ ଆଉ ଦୁଇଟି ସାମରିକ ଜାହାଜ ଏବଂ ୧୪ଟି ପଣ୍ୟବାହୀ ଜାହାଜ ୧୭୦୮ରେ ପାନାମାର ପୋର୍ତୋବେଲୋଠାରୁ କଲମ୍ବିଆର କାର୍ଟାଜେନା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ୧୭୦୮ ଜୁନ୍‍ ୮ ତାରିଖରେ ଉକ୍ତ ଜାହାଜଗୁଡିକ ବାରୁ ନିକଟରେ ବ୍ରିଟିଶ ସୈନ୍ୟବାହିନର ସାମ୍‍ନା ସାମ୍‍ନି ହୋଇଥିଲେ। ଦୁଇପକ୍ଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାପରେ ସାନ୍‍ ଜୋସରେ ଥିବା ବାରୁଦରେ ନିଆଁଲାଗି ସେଥିରେ ବିସ୍ଫୋରଣ ଘଟିବା ସହିତ ଜାହାଜ ସମୁଦ୍ର ଗର୍ଭରେ ବୁଡିଯାଇଥିଲା। ଫଳରେ ଜାହାଜରେ ଯାତ୍ରା କରୁଥିବା ପ୍ରାୟ ୬୦୦ ଲୋକଙ୍କ ସହିତ ସେଥିରେ ଥିବା ସୁନା, ରୂପା, ବୈଦୁର୍ଯ୍ୟ, ଅଳଙ୍କାର ଆଦି ସମୁଦ୍ର ଗର୍ଭକୁ ଚାଲିଯାଇଥିଲା। ଉକ୍ତ ଘଟଣାରେ ମାତ୍ର ୧୧ ଜଣ ଲୋକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ସ୍ପେନ ଯୁଦ୍ଧରେ ସ୍ପେନ ରାଜାଙ୍କୁ ସହାୟତା କରିବା ପାଇଁ ଏହି ମୂଲ୍ୟବାନ ପଦାର୍ଥ ଦକ୍ଷିଣ ଆମେରିକାର ଉପନିବେଶଗୁଡିକରୁ ସଂଗ୍ରହ କରାଯାଇଥିଲା। ସେଥିରେ ପ୍ରାୟ ୧୧ ନିୟୁତ ସୁନା ମୁଦ୍ରା ପରିବହନ କରାଯାଉଥିଲା। ପ୍ରତ୍ୟେକ ମୁଦ୍ରାର ଓଜନ ପ୍ରାୟ ୨୭ ଗ୍ରାମ ଏବଂ ତାହା ୯୨% ଶୁଦ୍ଧ, ଯାହାର ମୂଲ୍ୟ ପ୍ରାୟ ୧୬.୫ ବିଲିଅନ ଡଲାର ହେବ ବୋଲି ଆକଳନ କରାଯାଇଛି। ଏଥିସହିତ ବହୁ ପରିମାଣର ରୂପା ମୁଦ୍ରା ମଧ୍ୟ ରହିଥିଲା। ୨୦୧୫ ନଭେମ୍ବରରେ ଉଡ୍‍ସ୍‍ ହୋଲ ଓସନଗ୍ରାଫିକ ଇନଷ୍ଟିଚ୍ୟୁସନ ପକ୍ଷରୁ ଉକ୍ତ ଜାହାଜର ଧ୍ୱଂସାବଶେଷ ପ୍ରାୟ ୬୦୦ ମିଟର ଗଭୀର ସମୁଦ୍ର ଜଳରାଶି ମଧ୍ୟରେ ଠାବ କରାଯାଇଥିଲା। ତାହା ପୂର୍ବରୁ ଆମେରିକାର ଅନେକ ନିବେଶକ ‘ସି ସର୍ଚ୍ଚ ଅର୍ମଡା’ ନାମରେ ଏକ ଅଭିଯାନ ସମୟରେ ୧୯୮୧ରେ କଲମ୍ବିଆ ଉପକୂଳରେ ଉକ୍ତ ଜାହାଜର ଧ୍ୱଂସାବଶେଷ ଠାବ କରିଥିବା ଦାବି କରିଥିଲେ। ଏପରିକି ସେମାନେ ଉକ୍ତ ସମ୍ପଦ ମଧ୍ୟରୁ କଲମ୍ବିଆକୁ ୬୫% ଓ ସେମାନେ ୩୫% ନେବାକୁ ସର୍ତ୍ତ ରଖିଥିଲେ। କିନ୍ତୁ କଲମ୍ବିଆ ଏଥିପାଇଁ ଅନୁମତି ପ୍ରଦାନ କରିନଥିଲା। ସେମାନେ ଅଦାଲତକୁ ଯିବାପରେ କଲମ୍ବିଆ ସୁପ୍ରିମକୋର୍ଟ ୨୦୦୭ ଜୁଲାଇରେ ରାୟ ଦେଇଥିଲେ ଯେ ଉକ୍ତ ସମ୍ପଦ ଠାବ କରିଥିବା ସଂସ୍ଥା ଏବଂ କଲମ୍ବିଆ ସରକାରଙ୍କ ମଧ୍ୟରେ ତାହାକୁ ସମାନ ଭାବରେ ଭାଗ କରାଯିବ। ପରେ ଆମେରିକାର ନିବେଶକମାନେ ଆମେରିକାର ଏକ ଅଦାଲତରେ ଏ ସମ୍ପର୍କରେ ମାମଲା ଦାୟର କରିଥିଲେ। ବୈଷୟିକ କାରଣରୁ ଅଦାଲତ ୨୦୧୧ ଓ ୨୦୧୫ରେ ଦୁଇଥର ଉକ୍ତ ଆବେଦନକୁ ଖାରଜ କରିଥିଲେ। ଉକ୍ତ ସମ୍ପଦ କଲମ୍ବିଆ ସରକାରଙ୍କର ବୋଲି ଘୋଷଣା କରାଯାଇଥିଲା। ଅବଶ୍ୟ ଉକ୍ତ ସମ୍ପଦ ଭୂଭାଗକୁ ଆଣିବା ସକାଶେ ଏପର୍ଯ୍ୟନ୍ତ କୌଣସି ଯୋଜନା ପ୍ରସ୍ତୁତ କରାଯାଇନାହିଁ।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories