ରୁଷ ସହିତ ଖେରସନ ମିଶ୍ରଣ ପ୍ରକ୍ରିୟା ଆରମ୍ଭ
କିଭ୍/ମସ୍କୋ : ୟୁକ୍ରେନର ଖେରସନ ଅଞ୍ଚଳକୁ ରୁଷ ସହିତ ମିଶ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଉକ୍ତ ଅଞ୍ଚଳ ପାଇଁ ରୁଷ ପକ୍ଷରୁ ନିଯୁକ୍ତ ନେତା ଭ୍ଲାଡିମିର ସାଲଡୋ କହିଛନ୍ତି, ରୁଷ ସେମାନଙ୍କ ସହିତ ରହିଥିବା ନେଇ ସେମାନେ ନିଶ୍ଚିତ ଅଛନ୍ତି ଏବଂ ସେମାନେ ମଧ୍ୟ ଚିରଦିନ ପାଇଁ ରୁଷ ସହିତ ରହିଛନ୍ତି। ସମ୍ପ୍ରତି ଉକ୍ତ ଅଞ୍ଚଳକୁ ରୁଷ ସହିତ ମିଶାଇବା ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଏହା ତ୍ୱରିତ ବେଗରେ ଜାରି ରହିବ। ସୂଚନାଯୋଗ୍ୟ ଯେ ୟୁକ୍ରେନର ଦକ୍ଷିଣ ଭାଗରେ ଥିବା ଖେରସନ ସହର ରୁଷ ଆକ୍ରମଣର ଅଳ୍ପ କିଛିଦିନ ପରଠାରୁ ରୁଷ ସୈନ୍ୟଙ୍କ ଦଖଲରେ ରହିଛି। ତେବେ ନିକଟରେ ୟୁକ୍ରେନ ସୈନ୍ୟମାନେ ସେଠାରେ ଥିବା ରୁଷ ସେନା ଛାଉଣୀଗୁଡିକ ଉପରେ ସେମାନଙ୍କର ପାଲଟା ଆକ୍ରମଣକୁ ଜୋର୍ଦାର କରିଛନ୍ତି। ଇତିମଧ୍ୟରେ ଗହମ ବୋଝେଇ କରି ପ୍ରଥମ ଟ୍ରେନ ରୁଷ ଅଧିକୃତ ମେଲିଟପୋଲ ଛାଡିଥିବା ରୁଷ ସମର୍ଥିତ ନେତା ଇୟୁଗେନି ବାଲିତସ୍କି କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଉକ୍ତ ଟ୍ରେନ କ୍ରିମିଆ ଅଭିମୁଖେ ଯାତ୍ରା କରିଛି। ଉକ୍ତ ଟ୍ରେନରେ ମୋଟ ୧୧ଟି ଡବା ରହିଛି। ନିକଟ ଭବିଷ୍ୟତରେ ଆଉ ଅଧିକ ସଂଖ୍ୟାରେ ଗହମ ବୋଝେଇ ଟ୍ରେନ ୟୁକ୍ରେନରୁ ଯାତ୍ରା କରିବା ନେଇ ସେ ଆଶା ପ୍ରକାଶ କରିବା ସହିତ ଉକ୍ତ ଗହମ ତୁର୍କୀ, ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡିକୁ ପଠାଯିବ ବୋଲି ଇୟୁଗେନି କହିଛନ୍ତି। ତେବେ ରୁଷ ସୈନ୍ୟମାନେ ୟୁକ୍ରେନରୁ ପ୍ରାୟ ୬ ଲକ୍ଷ ଟନ୍ ଗହମ ଚୋରି କରିନେଇଥିବା ୟୁକ୍ରେନର ଜଣେ ଅଧିକାରୀ ଅଭିଯୋଗ କରିଛନ୍ତି। ୟୁକ୍ରେନ ଆଗ୍ରାରିଆନ କାଉନସିଲ ପବ୍ଲିକ ୟୁନିୟନ ଚେୟାରମ୍ୟାନ ଡେନିସ ମାରଚୁକ୍ କହିଛନ୍ତି, ଉକ୍ତ ଗହମକୁ ୟୁକ୍ରେନରୁ ଚୋରିକରି ମଧ୍ୟପ୍ରାଚ୍ୟକୁ ପଠାଯାଉଛି। ୟୁକ୍ରେନରୁ ପ୍ରଥମେ ଗହମକୁ କ୍ରିମିଆ ନିଆଯିବା ପରେ ସେଠାରୁ ସେବାସ୍ତୋପୋଲ ବନ୍ଦର ଦେଇ ତାହା ବିଭିନ୍ନ ସ୍ଥାନକୁ ଯାଉଛି। ଇତିମଧ୍ୟରେ ୟୁକ୍ରେନର ପରମାଣୁ ଶକ୍ତିକେନ୍ଦ୍ର ପାଇଁ ୧ ନିୟୁତ ଡଲାର ସହାୟତା ଯୋଗାଇଦେବାକୁ ଦକ୍ଷିଣ କୋରିଆ ଘୋଷଣା କରିଛି। ଏହି ସହାୟତା ଆନ୍ତର୍ଜାତିକ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ଜରିଆରେ ଯୋଗାଇ ଦିଆଯିବ। ଉକ୍ତ ଅର୍ଥରେ ଆବଶ୍ୟକ ଉପକରଣ ଖରିଦ କରାଯିବା ସହିତ ୟୁକ୍ରେନ ପରମାଣୁ ଶକ୍ତି କେନ୍ଦ୍ରରେ ନିରାପତ୍ତା ବ୍ୟବସ୍ଥା ବୃଦ୍ଧି ନିମନ୍ତେ ଆବଶ୍ୟକ ପଦକ୍ଷେପ ନିଆଯିବ।
ଋୁଷ ଦଖଲରେ ଥିôବା ଡନେସ୍କ ପିପୁଲ୍ସ ରିପବ୍ଲିକ୍ରେ ରୁଷ ସମର୍ଥିକ ଏକ ଅଦାଲତ ୨ ଜଣ ବ୍ରିଟେନ ଓ ଜଣେ ମରକ୍କୋ ନାଗରିକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି। ସେମାନେ ୟୁକ୍ରେନ ପାଇଁ ବିଦେଶୀ ଭଡାଟିଆ ସୈନ୍ୟ ଭାବରେ ରୁଷ ବିରୋଧରେ ଲଢେଇ କରୁଥିବା ଅଭିଯୋଗ ଆଣି ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ ରୁଷ ସୈନ୍ୟମାନେ ଏହି ତିନିଜଣଙ୍କୁ ଏପ୍ରିଲ ମଧ୍ୟଭାଗରେ ମାରିଉପୋଲ ସହରରୁ ଧରିଥିଲେ। ଇତିମଧ୍ୟରେ ମୁଦ୍ରାସ୍ଫୀତି ନୂଆ ରେକର୍ଡ ସ୍ତରରେ ପହଞ୍ଚିବା ପରେ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ତାହାର ସୁଧହାର ବୃଦ୍ଧି କରିବାକୁ ଯାଉଛି। ୨୦୧୧ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ସୁଧହାର ବୃଦ୍ଧି କରାଯାଉଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ୟୁରୋକୁ ମୁଦ୍ରା ଭାବରେ ବ୍ୟବହାର କରୁଥିବା ୧୯ଟି ୟୁରୋପୀୟ ରାଷ୍ଟ୍ରରେ ବାର୍ଷିକ ମୁଦ୍ରାସ୍ଫୀତି ହାର ଚଳିତ ବର୍ଷ ମେ ମାସରେ ୮.୧%ରେ ପହଞ୍ଚିଛି, ଯାହା ସର୍ବକାଳୀନ ସର୍ବୋଚ୍ଚ ସ୍ତର ହୋଇଛି। ରୁଷ ଖାଦ୍ୟକୁ ଯୁଦ୍ଧ ନିମନ୍ତେ ଅସ୍ତ୍ର ଭାବରେ ବ୍ୟବହାର କରୁଥିବାରୁ ତାହାକୁ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନରୁ ବହିଷ୍କୃତ କରିବାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଆହ୍ୱାନ ଦେଇଛନ୍ତି। ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ବିଶ୍ୱର ପ୍ରାୟ ୪୦ କୋଟି ଲୋକ କ୍ଷୁଧାତୁର ରହିବା ପଛରେ ରୁଷ ମୂଳ କାରଣ ହୋଇଛି। ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଚଳିତ ବର୍ଷ କ୍ଷୁଧାତୁରଙ୍କ ସଂଖ୍ୟା ଆଉ ପ୍ରାୟ ୫ କୋଟି ବୃଦ୍ଧିପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ରୁଷ ରାଷ୍ଟ୍ରପତିଙ୍କ ମୁଖପାତ୍ର ଡିମିତ୍ରି ପେସକୋଭଙ୍କ ପକ୍ଷରୁ କୁହାଯାଇଛି ଯେ ତୁର୍କୀ ଅଥବା ମଧ୍ୟପ୍ରାଚ୍ୟକୁ ଗହମ ରପ୍ତାନି କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ରାଜିନାମା ସ୍ୱାକ୍ଷରିତ ହୋଇନାହିଁ। ଏପରିକି ୟୁକ୍ରେନରୁ ଗହମ ବୋଝେଇ କରି ପ୍ରଥମ ଟ୍ରେନ ମେଲିଟୋପୋଲ ଛାଡିଥିବା ସମ୍ପର୍କରେ ମଧ୍ୟ ସେ ସଠିକ ଜାଣିନଥିବା ପେସକୋଭ କହିଛନ୍ତି। ୟୁକ୍ରେନରେ ମାନବୀୟ ସଙ୍କଟ ଗୁରୁତର ରୂପ ଧାରଣ କରୁଥିବାରୁ ଉକ୍ତ ରାଷ୍ଟ୍ରକୁ ଆଉ ୨୦୫ ନିୟୁତ ୟୁରୋ (୨୨୦ ନିୟୁତ ଡଲାର) ମାନବୀୟ ସହାୟତା ଆକାରରେ ପ୍ରଦାନ କରିବାକୁ ୟୁରୋପୀୟ ୟୁନିୟନ ରାଷ୍ଟ୍ରସମୂହ ଘୋଷଣା କରିଛନ୍ତି। ଏହାକୁ ମିଶାଇ ୟୁକ୍ରେନକୁ ୟୁରୋପୀୟ ୟୁନିୟନର ସହୟତା ପରିମାଣ ୩୪୮ ନିୟୁତ ୟୁରୋକୁ ବୃଦ୍ଧିପାଇଛି।
Comments are closed.