ଆରମ୍ଭରୁ ଝଟ୍‌କା : ଦକ୍ଷିଣ ଆଫ୍ରିକାର ଚମକପ୍ରଦ ବିଜୟ

ମିଲର-ଡ୍ୟୁସେନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ; ଭାରତର କ୍ରମାଗତ ୧୨ଟି ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଜୟରେ ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆରମ୍ଭରୁ ଭାରତକୁ ପରାଜୟ ଭୋଗିବାକୁ ପଡ଼ିଛି । ଗୁରୁବାର ଡେଭିଡ୍‌ ମିଲର ଓ ରାସି ଭାନ୍ ଡର୍ ଡ୍ୟୁସେନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତକୁ ୭ ୱିକେଟରେ ଦକ୍ଷିଣ ଆଫ୍ରିକା ପରାସ୍ତ କରିଛି । ଫଳରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୧-୦ରେ ଆଗୁଆ ହୋଇଛି । ଈଶାନ୍ କିଷନ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହ ଅନ୍ୟମାନଙ୍କ ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୪ ୱିକେଟରେ ୨୧୧ ରନ୍‌ କରିଥିଲା । ପରେ ମିଲର ଓ ଭାନ୍ ଡର୍ ଡ୍ୟୁସେନ୍‌ଙ୍କ ନିସ୍ତୁକ ପ୍ରହାର ବଳରେ ୫ଟି ବଲ୍‌ ବାକିଥାଇ ୩ ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଜିତିଥିଲା। ଫଳରେ ଭାରତର କ୍ରମାଗତ ୧୨ଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିବାର ବିଜୟଧାରା ଭଙ୍ଗ ହୋଇଛି । ଏହି ମ୍ୟାଚ୍‌ ଜିତିଥିଲେ ଭାରତ କ୍ରମଗାତ ସର୍ବାଧିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ବିଜୟର ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥାଆନ୍ତା। ରବିବାର ଶୃଙ୍ଖଳାର ୨ୟ ଟ୍ବେଣ୍ଟି-୨୦ ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ।
୨୧୨ ରନ୍‌ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ୨୨ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ଅଧିନାୟକ ତେମ୍ବା ବାଭୁମାଙ୍କ ୱିକେଟ ହରାଇଥିଲା। ହେଲେ ପିଞ୍ଚ୍‌ ହିଟର ଭାବେ ଆସିଥିବା ଡ୍ବେନ୍ ପ୍ରିଟୋରିୟସ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପ୍ରିଟୋରିୟସ୍ ମାତ୍ର ୧୩ ବଲ୍‌ରୁ ୪ଟି ଛକା ଓ ଗୋଟିଏ ଚୌକା ସହ ୨୯ ରନ୍‌ କରିଥିଲେ। ଆଇପିଏଲ୍‌ରେ ଚମତ୍କାର ଫର୍ମ ଦେଖାଇଥିବା କ୍ବିଣ୍ଟନ୍ ଡି କକ୍ ସ୍ବାଭାବିକ ବ୍ୟାଟିଂ କରି ପାରିନଥିଲେ। ବାମହାତି ଡି କକ୍ ୧୮ ବଲ୍‌ରୁ ୩ଟି ଚୌକା ସହ ୨୨ ରନ୍‌ କରିଥିଲେ। ୮୧ ରନ୍‌ରେ ୩ଟି ୱିକେଟ ପଡ଼ିଯିବା ପରେ ରାସି ଭାନ୍‌ ଡର ଡ୍ୟୁସେନ୍‌ ଜଗିରଖି ଖେଳିଥିବା ବେଳେ ଆଇପିଏଲ୍‌ ହିରୋ ଡେଭିଡ୍‌ ମିଲର ବିସ୍ଫୋରକ ବ୍ୟାଟିଂକରି ୨୨ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ଭାନ୍‌ ଡର ଡ୍ୟୁସେନ୍‌ ୩୦ ବଲ୍‌ରୁ ୨୯ ରନ୍‌ କରିଥିବା ବେଳେ ଶ୍ରେୟାସ ଆୟର ତାଙ୍କର ସହଜ କ୍ୟାଚ୍‌ ଛାଡ଼ିଥିଲେ। ଏହା ଫାଇଦା ଉଠାଇ ଭାନ୍‌ ଡର୍‌ ଡ୍ୟୁସେନ୍‌ ମଧ୍ୟ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ। ୪ ଓଭରରୁ ୫୬ ରନ୍‌ ଆବଶ୍ୟକ ଥିବା ବେଳେ ହର୍ଷଲ ପଟେଲଙ୍କ ଓଭରରୁ ମିଲର ୨୨ ରନ୍‌ ନେଇଥିଲେ। ୧୮ଶ ଓଭରରେ ଭୁବନେଶ୍ବର କୁମାର ମଧ୍ୟ ୨୨ ରନ୍‌ ଦେବାରୁ ଦକ୍ଷିଣ ଆଫ୍ରିକା ସହଜରେ ଜିତି ନେଇଥିଲା। ଭାନ୍ ଡର୍ ଡ୍ୟୁସେନ୍‌ ୪୬ ବଲ୍‌ରୁ ୫ଟି ଛକା ଓ ୭ଟି ଚୌକା ସହ ୭୫ ଏବଂ ମିଲର ୩୧ ବଲ୍‌ରୁ ୫ଟି ଛକା ଓ ୪ଟି ଚୌକା ସହ ୬୪ ରନ୍‌କରି ଅପରାଜିତ ଥିଲେ। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୬୩ ବଲ୍‌ରୁ ୧୩୧ ରନ୍‌ ସ୍କୋର୍ କରିଥିଲେ। ଡେଭିଡ୍‌ ମିଲର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।
ଟସ୍ ଜିତି ଦକ୍ଷିଣ ଆଫ୍ରିକା ଫିଲ୍‌ଡିଂ ନେଇଥିବା ବେଳେ ଭାରତୀୟ ଓପ୍‌ନର ଚମତ୍କାର ବ୍ୟାଟିଂ କରିଥିଲେ। ୫୭ ରନ୍‌ର ବିସ୍ଫୋରକ ଓପ୍‌ନିଂ ଭାଗିଦାରୀ ପରେ ଋତୁରାଜ ଗାଏକ୍‌ୱାଡ୍‌ ଆଉଟ୍‌ ହୋଇଥିଲେ। ଋତୁରାଜ ୧୫ ବଲ୍‌ରୁ ୩ଟି ଛକା ସହ ୨୩ ରନ୍‌ କରିଥିଲେ। ପରେ ଈଶାନ୍ କିଷନ୍ ଷ୍ଟ୍ରୋକ୍‌ ଖେଳିବା ଆରମ୍ଭ କରିଥିଲେ। ବାମହାତି କିଷନ୍ ଓ ଶ୍ରେୟାସ ଆୟର ୨ୟ ୱିକେଟ ପାଇଁ ଦ୍ରୁତ ୮୦ ରନ୍‌ ଯୋଡ଼ିଥିଲେ। ଈଶାନ୍ କିଷନ୍ ୪୮ ବଲ୍‌ରୁ ୩ଟି ଛକା ଓ ୧୧ଟି ଚୌକା ସହ ୭୬ ରନ୍‌ କରିଥିଲେ। ଇନିଂସ ଆରମ୍ଭରୁ ଏକ ଜୀବନଦାନ ପାଇଥିବା ଶ୍ରେୟାସ ଆୟର ୨୭ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ଅଧିନାୟକ ଋଷଭ ପନ୍ତ୍ ଓ ଆଇପିଏଲ୍‌ ବିଜେତା ଦଳର ଅଧିନାୟକ ହାର୍ଦିକ ପାଣ୍ଡ୍ୟା ମାତ୍ର ୧୮ ବଲ୍‌ରୁ ବିସ୍ଫୋରକ ୪୬ ରନ୍‌ ଯୋଗ କରିଥିଲେ। ପନ୍ତ୍ ଆକ୍ରମଣ କରି ୧୬ ବଲ୍‌ରୁ ୩ଟି ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍‌ କରିଥିଲେ। ବିଧ୍ବଂସୀ ବ୍ୟାଟିଂ କରିଥିବା ହାର୍ଦିକ ମାତ୍ର ୧୨ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୩୧ ରନ୍‌କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକାର ୨ ସ୍ପିନର କେଶବ ମହାରାଜ ଓ ତାବ୍ରେଜ୍‌ ସାମ୍‌ସି ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

kalyan agarbati

Comments are closed.