ଇଟା ଚୋରି ମାମଲାର ପୁନଃ ତଦନ୍ତ ପାଇଁ ସରପଞ୍ଚ ସଂଘର ଅନୁରୋଧ

ନର୍ଲା : ନର୍ଲା ବ୍ଲକ ବାଗପୁର ପଞ୍ଚାୟତର ସରପଞ୍ଚ ଗୋପାଳ ହାତୀଙ୍କ ନାମରେ ନର୍ଲା ଥାନାରେ ଏକ ଚୋରି ଅଭିଯୋଗ ହୋଇଥିବା ଜଣାପଡିଛି । ସରପଞ୍ଚ ଗୋପାଳ ହାତୀ ବାଗପୁର ପଞ୍ଚାୟତ ପିପଲପଦର ଗ୍ରାମର ଜଗବନ୍ଧୁ ନାଏକଙ୍କ ଇଟା ଭାଟିରୁ ଇଟା ଚୋରି କରି ନେଇଥିବା ଇଟା ଭାଟି ମାଲିକ ଅଭିଯୋଗ କରିଛନ୍ତି। ପ୍ରାଥମିକ ତଦନ୍ତ ପରେ ନର୍ଲା ଥାନାରେ ବାଗପୁର ସରପଞ୍ଚ ଗୋପାଳ କୃଷ୍ଣ ହାତିଙ୍କ ବିରୋଧରେ ଏକ ଚୋରି ମାମଲା ରୁଜୁ ହୋଇଥିବା ଡିଏସପି ସମ୍ୱିତ କୁମାର ମାଝୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବାଗପୁର ସରପଞ୍ଚ ଗୋପାଳଙ୍କ କହିବାନୁଯାୟୀ ତାଙ୍କ ଲୋକ ଟୁକୁ ନାଏକଙ୍କ ଇଟା ନେବା ପାଇଁ ଯାଇଥିଲେ। ଭୁଲବଶତଃ ନିକଟରେ ଥିବା ଜଗବନ୍ଧୁଙ୍କ ଇଟାଭାଟିରୁ ଇଟା ଟ୍ରାକ୍ଟରରେ ଲୋଡ କରିଥିଲେ ଓ ଏହା ଜାଣିବା ପରେ ସେମାନେ ଜଗବନ୍ଧୁଙ୍କ ଇଟା ରଖିଦେଇଥିଲେ। ସେ ଏବିଷୟରେ କିଛି ଜାଣିନାହାନ୍ତି ଏବଂ ସେ ନିର୍ଦୋଷ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି। ରାଜନୈତିକ ଅଭିସନ୍ଧି ରଖି କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଚକ୍ରାନ୍ତ କରି ମୋତେ ବଦନାମ କରିବାକୁ ଅପଚେଷ୍ଟା କରୁଛନ୍ତି ବୋଲି ସରପଞ୍ଚ ଗୋପାଳକୃଷ୍ଣ ହାତୀ ମତ ପ୍ରକାଶ କରିଛନ୍ତି। ଗୁରୁବାର ନର୍ଲା ବ୍ଲକର ସରପଞ୍ଚ ସଂଘ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ସରପଞ୍ଚ ସଂଘର ସଭାପତି ଅନନ୍ତରାମ ମାଝୀଙ୍କ ନେତୃତ୍ବରେ ନର୍ଲା ଥାନାକୁ ଯାଇ ଏହାର ସତ୍ୟାସତ୍ୟ ତଦନ୍ତ କରିବାକୁ ଡିଏସପି ସମ୍ବିତ ମାଝୀଙ୍କୁ ଅନୁରୋଧ କରିଛନ୍ତି। ତେବେ ସରପଞ୍ଚ ସଂଘର ଦାବୀକୁ ନେଇ ଏହାର ତଦନ୍ତ ଜାରୀ ରହିଛି, ଆଗକୁ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି ଡିଏସପି ପ୍ରକାଶ କରିଥିବା ସରପଞ୍ଚ ସଙ୍ଘ କହିଛି।

kalyan agarbati

Comments are closed.