ଦାଦନର ଦୁଃଖ- ରୋଜଗାର ପାଇଁ ଯାଇ ଶବ ହୋଇ ଫେରିଲେ ଯୁବକ
କଲମପୁର- କଳାହାଣ୍ଡିରେ ଥମିବାର ନାଁ ଧରୁନି ଦାଦନ ର ସମସ୍ୟା । କିଏ ଦଲାଲର ପ୍ରଲୋଭନର ଶିକାର ହେଇ ହାତ ଗୋଡ କାଟି ନିର୍ଯ୍ୟାତିତ ହେଇ ଫେରୁଛିତ ପୁଣି କିଏ ନିଖୋଜ ହେଇ ଯାଉଛି ସବୁ ଦିନ ପାଇଁ । ପୁଣି କିଏ ଶବ ହେଇ ଫେରୁଛି । ଏଭଳି ଜଣେ ଜଣେ ଯୁବ ଦାଦନ ର ଶବ ଗାଁ ମାଟିକୁ ବୁଧବାର ବିଳମ୍ବିତ ରାତିରେ ଫେରିଛି । ଗୁରୁବାର ସକାଳେ ଶୋକାକୁଳ ପରିବେଶ ମଧ୍ୟରେ ଦାଦନର ଦାହ ସଂସ୍କାର କରାଯାଇଛି ।
ପ୍ରାପ୍ତ ସୁଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁମୁଳ ରାମପୁର ବ୍ଲକ ଅଧିନସ୍ଥ ଗୋପିନାଥପୁର ପଂଚାୟତ ଅନ୍ତର୍ଗତ ଚିଙ୍ଗିରିପାସ୍ ଗ୍ରାମର ସାଧବ ଝୋଡିଆଙ୍କ ୩୦ ବର୍ଷିୟ ପୁଅ ସୁଦର୍ଶନ କେରଲ ରାଜ୍ୟ ଅନ୍ତର୍ଗତ ପାଲାକ୍କାଡ ଜିଲ୍ଲା ପଟ୍ଟାଂଦି ଅଂଚଳରେ ଥିବା ସାଉଥ ମାଲାବାର ଷ୍ଟିଲ କମ୍ପାନୀରେ ଜଣେ ଶ୍ରମିକ ଭାବେ ନିୟୋଜିତ ହେଇ କାମ କରୁଥିଲା । ଗତ ସୋମବାର ଦିନ ମଧ୍ୟାହ୍ନ ରେ ଖାଇବା ଛୁଟି ହେବା ପରେ ସୁଦର୍ଶନ କମ୍ପାନି ପରିସରରେ ଥିବା ଏକ ନଡିଆ ଗଛକୁ ଚଢିଥିଲା ନଡିଆ ତୋଳି ଖାଇବା ପାଇଁ । କିନ୍ତୁ ପରିତାପର ବିଷୟ ନଡିଆ ତୋଳି ଖାଇବା ପୂର୍ବରୁ ମୃତ୍ୟୁର ଫାଶ ଭାବେ ଥିବା ଏକ ବିଦ୍ୟୁତ୍ ତାର ସ୍ପର୍ଶରେ ଆସିଯାଇ ଗୁରୁତର ହେଇ ପଡିଥିଲା । ଏନେଇ ସୁଚନା ପାଇବା ପରେ ଘଟଣା ସ୍ଥଳରେ ସାଥି ଶ୍ରମିକଙ୍କ ସମେତ ସୁଜର୍ଶନର ଜଣେ ସମ୍ପର୍କୀୟ କାକା ପହଂଚି ଆମ୍ବୁଲାନ୍ସ ଯୋଗେ ନିକଟସ୍ତ ସେଭେନା ଚିକିତ୍ସାଳୟରେ ଭର୍ତି କରିଥିଲେ । କିନ୍ତୁ ସେତେବେଳକୁ ସୁଦର୍ସନର ମୃତ୍ୟୁ ହେଇ ସାରିଥିଲା । ପରବର୍ତି ସମୟରେ ସାଥି ଶ୍ରମିକଙ୍କ ସମେତ ପରିବାର ଲୋକଙ୍କ ଅନୁରୋଧ କ୍ରମେ ସୁଦର୍ଶନର ଶବ କୁ ଗାଁ ମାଟିକୁ ଆଣାଯାଇଥିଲା । ଏବେ ସୁଦର୍ଶନର ଅବର୍ତମାନରେ ସୁଦର୍ଶନର ପରିବାର ଅସହାୟ ହେଇ ପଡିଛି । ଦୁଇ କୁନି କୁନି ପୁଅ୍ ଝିଅର ଭବିଷ୍ୟତ ନେଇ ଚିନ୍ତାରେ ସୁଦର୍ଶନର ସ୍ତ୍ରୀ ।
କାମଧନ୍ଦା ଅଭାବରୁ ଅନେକ ଯୁବ ଶ୍ରମିକ ନିଜ ପରିବାର ଛାଡି ରାଜ୍ୟ ବାହାରକୁ ଯାଉଛନ୍ତି । ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଥିବା କୁହାଯାଉଥିଲେ ମଧ୍ୟ କୌଣସି ଯୋଜନା ସଫଳ ହେଇ ପାରୁନାହିଁ ଶ୍ରମିକ ·ଲାଣ ରୋକିବା ପାଇଁ । ଅନ୍ୟପଟେ ପଂଚାୟତ ସ୍ତରରେ ନାମ ପଞ୍ଜିକରଣ କରାଇ ରାଜ୍ୟ ବାହାରକୁ ଶ୍ରମିକ ଯିବାର ବ୍ୟବସ୍ଥା କରାଯାଇଥିବା କୁହାଯାଉଥିଲେ ମଧ୍ୟ ଲୋକଙ୍କ ସଚେତନ ଅଭାବରୁ ଏହା ସଫଳ ହେଇ ପାରୁ ନାହିଁ । ଅନ୍ୟପଟେ ପ୍ରଶାସନ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଶ୍ରମିକ କିଭଳି ନିଜ ନାମ ପଞ୍ଜିକରଣ କରାଇବେ ସେନେଇ ଅଜ୍ଞ । ଥୁଆମୁଳ ରାମପୁର ଅଂଚଳ ଏବେ ଏହି କାରଣରୁ ଦାଦାନ ଇଲାକା ପାଲଟିବାରେ ଲାଗିଛି । ପ୍ରତ୍ୟେକ ବର୍ଷ ଏକାଧିକ ଦାଦନ ଶ୍ରମିକ ମୃତ୍ୟୁବରଣ କରୁଛନ୍ତି । କିଛି ଶ୍ରମିକ ନିଖୋଜ ହେଇଯାଉଛନ୍ତି । ଯାହାର କୌଣସି ସୁଚନା ଜିଲ୍ଲା ଶ୍ରମ ବିଭାଗ ପାଖରେ ରହୁ ନାହିଁ । ତେଣୁ ଏଥିପ୍ରତି ଶ୍ରମ ବିଭାଗ ତରଫରୁ ଗୁରୁତ୍ୱ ଦେବାପାଇଁ ଦାବି ହେଉଛି ।
Comments are closed.