ଜାତୀୟ ରାଜପଥ କଡରୁ ଶାଗୁଆନ ଗଛ କାଟିବା ପ୍ରସଙ୍ଗ; ଗାଁ ଲୋକ ବନବିଭାଗର ଦ୍ୱାରସ୍ଥ

ହରଭଙ୍ଗା: ହରଭଙ୍ଗା ବ୍ଲକ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ଲକ୍ଷ୍ମୀନାଳ କଡରୁ ଶାଗୁଆନ, ଗମ୍ଭାରୀ ଭଳି ମୂଲ୍ୟବାନ ଗଛ କେହି ଦୁର୍ବୃତ୍ତ କାଟିଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଲୋକଲୋଚନକୁ ଆସିବାପରେ ପୁରୁଣାକଟକ ବାସିନ୍ଦା ସ୍ଥାନୀୟ ରେଞ୍ଜ ଅଫିସରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ପୁରୁଣାକଟକ ବନପାଳ ଗୋବର୍ଦ୍ଧନ ମେହେର କଟା ହୋଇଥିବା ଗଛଗୁଡିକ ଜବତ କରି ଗାଁ ଲୋକଙ୍କୁ ଜିମା ଦେଇଥିବା ଜଣାପଡ଼ିଛି।

ପ୍ରକାଶ ଯେ, ପୁରୁଣାକଟକ ଜୁନିୟର ଭୈରବୀ କଲେଜ ନିକଟରେ ପ୍ରସ୍ତାବିତ ମେଡିକାଲ ଏବଂ ବସଷ୍ଟାଣ୍ଡ ପାଇଁ ଜମି ଚିହ୍ନଟ ହୋଇଛି। ଜମି ଚିହ୍ନଟ ହୋଇଥିବା ସ୍ଥାନରେ ଅଧିକ ପରିମାଣରେ ଶାଗୁଆନ, ଗମ୍ଭାରୀ ଭଳି ମୂଲ୍ୟବାନ ଗଛ ରହିଛି। ମାତ୍ର ରାଜପଥ କଡରୁ ଏବଂ ବନାଞ୍ଚଳ କାର୍ଯ୍ୟାଳୟରୁ ମାତ୍ର ୨କିଲୋମିଟର ଦୂରରେ ରହିଥିବା ଏହି ସ୍ଥାନରୁ ବିନା ଅନୁମତିରେ ଗଛ କଟା ଖବର ବନବିଭାଗ ପାଖରେ ନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନ୍ୟପଟେ ବିନା ଅନୁମତିରେ କିଏ, କାହିଁକି ମେସିନ ଲଗାଇ ଗଛ ଉପାଡିଲେ ଏହା ଉପରେ ତଦନ୍ତ କରାଯିବା ଆବଶ୍ୟକତା ରହିଛି। ଅନ୍ୟପଟେ ଗଛ ଉପାଡିବା କାଟିବା ଘଟଣା ସର୍ମ୍ପକରେ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଗାଁ ଲୋକେ ଦାବୀ କରିଛନ୍ତି। ଏ ସର୍ମ୍ପକରେ ପୁରୁଣାକଟକ ରେଞ୍ଜ ଅଫିସର ନିହାର ରଂଜନ ମଲ୍ଲିକଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଟିମ ପହଞ୍ଚି ତଦନ୍ତ କରୁଛନ୍ତି। ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Comments are closed.