ଦମ୍ପତ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି ସୁନା ଅଳଙ୍କାର ଲୁଟିଲେ ଦୁର୍ବୁତ୍ତ
ପିପିଲି ବାଇପାସ୍ ରାଜପଥରେ ରାହାଜାନୀ
ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୁତ୍ତମାନେ ସୁନା ଅଳଙ୍କାର ଓ ମୋବାଇଲ୍ ଲୁଟି ନେଇଛନ୍ତି । ଦୁବୁର୍ତ୍ତଙ୍କ ଆକ୍ରମଣରେ ସ୍ୱାମୀ ଗୁରୁତର ଭାବେ ଆହତ ହୋଇଥିବା ବେଳେ ପତ୍ନୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଜାତୀୟ ରାଜପଥରେ ଯାତ୍ରୀଙ୍କ ଧନ, ଜୀବନର ସୁରକ୍ଷା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସୂଚନା ଅନୁଯାୟୀ, ପୁରୁଣା ଭୁବନେଶ୍ୱର ଅଞ୍ଚଳର ପ୍ରତାପ କୁମାର ସ୍ୱାଇଁ (୪୮) ଓ ତାଙ୍କ ପତ୍ନୀ ଏକ ସ୍କୁଟର ଯୋଗେ ମଙ୍ଗଳବାର ରାତିରେ ପୁରୀରୁ ଭୁବନେଶ୍ୱର ସ୍ଥିତ ବାସଭବନକୁ ଫେରୁଥିବା ବେଳେ ଲୁଟ୍ର ଶିକାର ହୋଇଥିଲେ। କେତେକ ଦୁର୍ବୁତ୍ତ ତାଙ୍କୁ ପିଛା କରି ପିପିଲି ବାଇପାସ ରାସ୍ତାର ତରାକାଜ ଛକ ଠାରୁ ଅନତି ଦୂରରେ ଥିବା ଏକ ଧର୍ମକଣ୍ଟା ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ। ଏକ ଧାରୁଆ ଅସ୍ତ୍ରରେ ସେମାନେ ଅତର୍କିତ ଭାବେ ପ୍ରତାପଙ୍କ ଡାହାଣ ହାତକୁ ୩ ଚୋଟ ଓ ବାମ ହାତକୁ ୨ଚୋଟ ପକାଇଥିଲେ । ଏଥିରେ ପ୍ରତାପ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସ୍କୁଟରରୁ ତଳେ ପଡି ଯାଇଥିଲେ। ଦୁର୍ବୁତ୍ତମାନେ ସେମାନଙ୍କ ଠାରୁ ସୁନାଚେନ୍, ମଙ୍ଗଳସୂତ୍ର, ମୋବାଇଲ୍ ଓ ଟଙ୍କା ଆଦି ଲୁଟି ନେଇ ଫେରାର ହୋଇଯାଇଥିଲେ। ଖବର ପାଇ ପିପିଲି ପୁଲିସ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଗୁରୁତର ପ୍ରତାପଙ୍କୁ ପରେ କ୍ୟାପିଟାଲ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ସଂପର୍କରେ ପିପିଲି ପୁଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ଘଟଣାର ତଦନ୍ତ ଚାଲିଥିବା ଓ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସଂପର୍କରେ ଆଇଆଇସି ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ପ୍ରତାପଙ୍କ ସ୍କୁଟରକୁ ପୁଲିସ ଘଟଣା ସ୍ଥଳରୁ ଉଦ୍ଧାର କରି ଥାନାରେ ରଖିଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳାଇ ଦେଇଥିବା ବେଳେ ଲୁଟିଆଙ୍କ ଦୌରାତ୍ମ୍ୟ ଯୋଗୁଁ ପିପିଲି ବାଇପାସ ରାସ୍ତାରେ ଲୋକେ ଯିବାକୁ ଆଦୌ ନିରାପଦ ମଣୁନାହାନ୍ତି।
Comments are closed.