ବିଶ୍ବ ଟେନିସ୍ ମାନ୍ୟତା : ଉଠିଲେ ନାଡାଲ୍, ଗୌଫ୍
ପ୍ୟାରିସ୍ : ରବିବାର ସମାପ୍ତ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍ରେ ଭଲ ପ୍ରଦର୍ଶନ ଜରିଆରେ ଟେନିସ୍ ବିଶ୍ବ ମାନ୍ୟତାରେ ଉନ୍ନତି ଘଟାଇଛନ୍ତି ସ୍ପେନ୍ର ଚମ୍ପିଆନ୍ ଖେଳାଳି ରାଫେଲ ନାଡାଲ ଓ ଆମେରିକାର କୋକୋ ଗୌଫ୍। ବାମହାତି ନାଡାଲ୍ ୧୪ ଥର ଫ୍ରେଞ୍ଚ୍ ଓପନ୍ରେ ପୁରୁଷ ସିଙ୍ଗଲ୍ସ ଜିତିବା ସହ ୨୨ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ମଧ୍ୟ ଜିତିଛନ୍ତି। ଫାଇନାଲରେ ନାଡାଲ୍ ସହଜରେ ୮ମ ସିଡ୍ ନରୱେର କାସ୍ପର ରୁଡ୍ଙ୍କୁ ପରାସ୍ତ କରିଥିଲେ। ଫଳରେ ନାଡାଲ ଗୋଟିଏ ସ୍ଥାନ ଉପରକୁ ଉଠି ୪ର୍ଥ ସ୍ଥାନରେ ରହିଛନ୍ତି। ଫ୍ରେଞ୍ଚ୍ ଓପନ୍ର କ୍ବାର୍ଟରଫାଇନାଲରେ ଜୋକୋଭିକ୍ଙ୍କୁ ନାଡାଲ ପରାସ୍ତ କରିଥିଲେ। ଏବେ ଜୋକୋଭିକ୍ ୧ନଂ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ନାଡାଲ୍ ଉଭୟ ଗ୍ରାଣ୍ଡସ୍ଲାମ୍- ଅଷ୍ଟ୍ରେଲିଆନ୍ ଓ ଫ୍ରେଞ୍ଚ୍ ଓପନ୍ ଜିତିଛନ୍ତି। ଫ୍ରେଞ୍ଚ୍ ଓପନ୍ରେ ରନର୍ସଅପ୍ ହୋଇଥିବା କାସ୍ପର ରୁଡ୍ ୨ଟି ସ୍ଥାନ ଉପରକୁ ଉଠି ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ରୁଷିଆର ଡାନିଲ୍ ମେଡ୍ଭେଡେଭ୍ ୨ୟ, ଜର୍ମାନୀର ଆଲେକ୍ଜାଣ୍ଡର ଜେରେଭ୍ ୩ୟ ଓ ଗ୍ରୀସ୍ର ଷ୍ଟିଫାନସ୍ ସିସିପାସ୍ ୫ମ ସ୍ଥାନରେ ରହିଛନ୍ତି। ମହିଳା ଟେନିସ୍ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଡବ୍ଲ୍ୟୁଟିଏ ମାନ୍ୟତାରେ ଫ୍ରେଞ୍ଚ୍ ଓପନ୍ ରନର୍ସଅପ୍ ୧୮ ବର୍ଷ ବୟସ୍କା ଆମେରିକାର କୋକୋ ଗୌଫ୍ ୫ଟି ସ୍ଥାନର ଉନ୍ନତି ଘଟାଇ ଜୀବନର ଶ୍ରେଷ୍ଠ ମାନ୍ୟତା ୧୩ରେ ପହଞ୍ଚିଛନ୍ତି। ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ଗୌଫ୍ଙ୍କୁ ବିଶ୍ବର ୧ନଂ ଖେଳାଳି ପୋଲାଣ୍ଡର ଇଗା ସ୍ବିଆଟେକ୍ ପରାସ୍ତ କରିଥିଲେ। ଫ୍ରେଞ୍ଚ୍ ଓପନ୍ ପୂର୍ବରୁ ଗୌଫ୍ କୌଣସି ଗ୍ରାଣ୍ଡସ୍ଲାମ୍ର କ୍ବାର୍ଟରଫାଇନାଲ ମଧ୍ୟ ଖେଳିନଥିଲେ। ଗୌଫ୍ ଫ୍ରେଞ୍ଚ୍ ଓପନ୍ରେ ମଧ୍ୟ ମହିଳା ଡବଲ୍ସ ରନର୍ସଅପ ହୋଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସ କ୍ବାର୍ଟରଫାଇନାଲ ଖେଳିଥିବା ଏବଂ ମହିଳା ଡବଲ୍ସରେ ଗୌଫ୍ଙ୍କ ସହ ମିଶି ରନର୍ସଅପ୍ ହୋଇଥିବା ଆମେରିକାର ଜେସିକା ପେଗୁଲା ଜୀବନରେ ପ୍ରଥମଥର ପାଇଁ ସିଙ୍ଗଲ୍ସ ମାନ୍ୟତାରେ ଶୀର୍ଷ-୧୦ରେ ପହଞ୍ଚିଛନ୍ତି। ସେ ୧୧ଶ ସ୍ଥାନରୁ ୮ମ ସ୍ଥାନକୁ ଉଠିଛନ୍ତି। ଗତବର୍ଷ ଫ୍ରେଞ୍ଚ୍ ଓପନ୍ରେ ମହିଳା ସିଙ୍ଗଲ୍ସ ଓ ଡବଲ୍ସ ଚମ୍ପିଆନ୍ ହୋଇଥିବା ଚେକ୍ ରିପବ୍ଲିକ୍ର ବାର୍ବୋରା କ୍ରେସିକୋଭା ଚଳିତବର୍ଷ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ। ପରେ କରୋନା ସଂକ୍ରମିତ ହେବାରୁ କ୍ରେସିକୋଭା ଡବଲ୍ସରୁ ମଧ୍ୟ ଓହରି ଯାଇଥିଲେ। ଫଳରେ କ୍ରେସିକୋଭା ୨ନଂ ସ୍ଥାନରୁ ୧୪ନଂକୁ ଖସି ଆସିଛନ୍ତି। ମହିଳା ସିଙ୍ଗଲ୍ସରେ ଇଷ୍ଟୋନିଆର ଆନେଟ୍ କୋଣ୍ଟାଭିଟ୍ ୨ୟ, ସ୍ପେନ୍ର ପାଓଲା ବାଡୋସା ୩ୟ, ଟ୍ୟୁନିସିଆର ଅନ୍ସ ଜାବ୍ୟୁର ୪ର୍ଥ ଓ ଗ୍ରୀସ୍ର ମାରିଆ ସାକାରି ୫ମ ସ୍ଥାନରେ ରହିଛନ୍ତି।
Comments are closed.