ଜୋର୍‌ ଧରିଲା ନୂପୁରଙ୍କ ଗିରଫ ଦାବି

ହାଇଦରାବାଦ/ ମୁମ୍ବଇ : କାନପୁର ହିଂସା ପାଇଁ ମୁଖ୍ୟତଃ ଦାୟୀ ବିଜେପି ନେତ୍ରୀ ନୂପୁର ଶର୍ମାଙ୍କୁ ଗିରଫ ପାଇଁ ଦାବି କରିଛନ୍ତି। ହାଇଦରାବାଦ ସାଂସଦ ଆସାଦୁଦ୍ଦିନ ଓୱାସୀ। ତାଙ୍କ ଯୋଗୁଁ ବିଦେଶରେ ବିଶେଷ କରି ଆରବ ସମେତ ସମଗ୍ର ଉପସାଗରୀୟ ରାଷ୍ଟ୍ର ସମୂହରେ ଭାରତର ମର୍ଯ୍ୟାଦା ହାନି ଘଟିଥିବାରୁ ନୂପୁରଙ୍କୁ ତୁରନ୍ତ ଗିରଫ କରାଯିବା ଉଚିତ ବୋଲି ଏଆଇଏମ୍‌ଆଇଏମ୍‌ ନେତା କହିଛନ୍ତି। ନୂପୁରଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁ କାନପୁରରେ ହିଂସାକାଣ୍ଡ ଘଟିଲା ଏବଂ ଏଥିପାଇଁ ଦେଶ ନିନ୍ଦିତ ହେଲା। ତାଙ୍କୁ ବିଜେପି କର୍ତ୍ତୃପକ୍ଷ କେବଳ ଦଳରୁ ନିଲମ୍ବନ କରିବା ଯଥେଷ୍ଟ ନୁହେଁ ବୋଲି ଓୱାସି କହିଛନ୍ତି। ବିଜେପି ନେତାମାନେ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ଏଭଳି ବିବାଦୀୟ ଓ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେଉଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ସମ୍ପ୍ରତି ବିଜେପିର ଅଂଶବିଶେଷ ପାଲଟିଯାଇଛି। ବିଦେଶରେ ଯଦି ଭାରତୀୟଙ୍କ ପ୍ରତି ଏଭଳି ଘୃଣ୍ୟ ଅପରାଧ ଓ ହିଂସା ଘଟେ ବୈଦେଶିକ ମନ୍ତ୍ରଣାଳୟ କ’ଣ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅପରପକ୍ଷରେ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ନିଲମ୍ବିତ ନେତ୍ରୀ ନୂପୁର ଶର୍ମାଙ୍କୁ ମୁମ୍ବଇ ପୁଲିସ ସମନ ଜାରି କରିଛି। ସମନରେ ମୁମ୍ବଇ ପୁଲିସ ନୂପୁରଙ୍କ ବୟାନ ରେକର୍ଡ କରାଇବାକୁ ଡକାଇଛନ୍ତି। ଅନ୍ୟପଟେ ନିଜର ବିବାଦୀୟ ମନ୍ତବ୍ୟ ପରେ ନୂପୁରଙ୍କୁ ହତ୍ୟା ଧମକ ମିଳିଛି। ହତ୍ୟା ଧମକ ସମ୍ପର୍କରେ ନୂପୁର ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଲ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ କହିଛି ଯେ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ଦୁଇ ନେତା ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ବିଭିନ୍ନ ସ୍ଥାନରେ ନୂପୁରଙ୍କ ଗିରଫ ଦାବିରେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।

kalyan agarbati

Comments are closed.